Modi Birthday Wishes From Putin And Trump: ମୋଦିଙ୍କ ଜନ୍ମଦିନରେ ପୁଟିନ୍‌-ଟ୍ରମ୍ପଙ୍କ ଶୁଭେଚ୍ଛା, କହିଲେ ଏମିତି କଥା

Sep 17, 2026 - 14:30
Modi Birthday Wishes From Putin And Trump: ମୋଦିଙ୍କ ଜନ୍ମଦିନରେ ପୁଟିନ୍‌-ଟ୍ରମ୍ପଙ୍କ ଶୁଭେଚ୍ଛା, କହିଲେ ଏମିତି କଥା

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ରୁଷ ଓ ଆମେରିକା ଦୂତାବାସ ପକ୍ଷରୁ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରକାଶ କରାଯାଇଛି।

ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, “ଆପଣ ନିଜ ଦେଶବାସୀଙ୍କ ନିକଟରୁ ଯଥାର୍ଥରେ ଗଭୀର ସମ୍ମାନ ଏବଂ ବିଶ୍ୱ ମଞ୍ଚରେ ବହୁତ ବଡ଼ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଭାରତ ଓ ରୁଷିଆ ମଧ୍ୟରେ ଥିବା ସ୍ୱତନ୍ତ୍ର ଓ ବିଶେଷାଧିକାରପ୍ରାପ୍ତ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାରେ ଆପଣଙ୍କ ବ୍ୟକ୍ତିଗତ ଅବଦାନକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ।”

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ ଭାରତସ୍ଥିତ ଆମେରିକା ଦୂତାବାସ ‘X’ରେ ଲେଖିଛି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଜଣାଉଛୁ। ଆଗାମୀ ବର୍ଷଟି ଆପଣଙ୍କ ପାଇଁ ସୁସ୍ଥତା ଓ ସୁଖରେ ପରିପୂର୍ଣ୍ଣ ହେଉ।”

ରୁଷ ଓ ଆମେରିକା ନେତାଙ୍କ ଏହି ଶୁଭେଚ୍ଛା ଏଭଳି ସମୟରେ ଆସିଛି, ଯେତେବେଳେ ରୁଷିଆଠାରୁ ପେଟ୍ରୋଲିୟମ୍‌ ଉତ୍ପାଦ କିଣୁଥିବା ଦେଶଗୁଡ଼ିକ ବିରୋଧରେ ଟ୍ରମ୍ପଙ୍କୁ ନୂଆ କ୍ଷମତା ପ୍ରଦାନ କରିବାକୁ ଥିବା ଏକ ପ୍ରତିବନ୍ଧ ବିଲ୍‌କୁ ଆମେରିକୀୟ କଂଗ୍ରେସ ଅନୁମୋଦନ କରିଛି।

ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ ଲିଣ୍ଡସେ ଓ. ଗ୍ରାହାମ୍‌ ସାନ୍‌କ୍ସନିଂ ରୁଷିଆ ଆଣ୍ଡ ଇରାନ୍‌ ଆକ୍ଟ, ୨୦୨୬’କୁ ୨୬୨-୧୫୯ ଭୋଟ୍‌ରେ ପାସ୍‌ କରିଛି। ଏହା ଏବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାକ୍ଷର ପାଇଁ ପଠାଯିବ।

ନୂଆ ଆଇନ ଅନୁଯାୟୀ, ରୁଷିଆରୁ ତେଲ କିଣୁଥିବା ୫ଟି ପ୍ରମୁଖ ଦେଶ—ଚୀନ୍‌, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବାଇଜାନ୍‌ ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରିବେ।

ଭାରତ-ରୁଷ ସମ୍ପର୍କକୁ ପୁଟିନ୍‌ଙ୍କ ପ୍ରଶଂସା

ଚଳିତ ମାସର ଆରମ୍ଭରେ BRICS ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଆସିଥିବା ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପ୍ରତିନିଧିମଣ୍ଡଳ ପକ୍ଷରୁ ମିଳିଥିବା ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପୁଟିନ୍‌ କହିଛନ୍ତି, “ଆମ ମଧ୍ୟରେ ହୋଇଥିବା ଆଲୋଚନା ନିଶ୍ଚିତ ଭାବେ ଅର୍ଥପୂର୍ଣ୍ଣ, ଖୋଲା ଓ ଫଳପ୍ରଦ ଥିଲା। ଆପଣଙ୍କ ସହ ଆଲୋଚନା କରିବା ମୋ ପାଇଁ ଆନନ୍ଦର ବିଷୟ। ଆମ ଆଲୋଚନା ପୁଣିଥରେ ଆପଣଙ୍କ ଅସାଧାରଣ ରାଜନୈତିକ ପ୍ରଜ୍ଞା ଓ ଦୂରଦୃଷ୍ଟିକୁ ପ୍ରମାଣିତ କରିଛି।”

ଏହାସହ ଭାରତ ଓ ରୁଷିଆର ମିତ୍ର ଦେଶଗୁଡ଼ିକର ହିତକୁ ଦୃଷ୍ଟିରେ ରଖି ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ “ଗଠନମୂଳକ ସହଯୋଗ ଜାରି ରଖିବା” ପାଇଁ ନିଜର ପ୍ରତିବଦ୍ଧତା ମଧ୍ୟ ପୁଟିନ୍‌ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।