Modi-Putin Meet: ଦ୍ୱିପାକ୍ଷିକ ବୈଠକ ପରେ ମୋଦି-ପୁଟିନ ଏକାଠି ଗଲେ କାର୍ରେ
ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକାଠି କାର୍ରେ ଭାରତ ମଣ୍ଡପମ୍ରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଯାଇଥିଲେ।
ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଭାରତ-ରୁଷିଆ ସମ୍ପର୍କର ବିଭିନ୍ନ ଦିଗ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ନେଇ ଦୁଇ ନେତା ସମୀକ୍ଷା କରିଥିଲେ।
ଦୁଇ ସପ୍ତାହ ମଧ୍ୟରେ ମୋଦି ଓ ପୁଟିନଙ୍କ ଏହା ଥିଲା ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ ଅଗଷ୍ଟ ୩୧ରେ ବିସକେକ୍ରେ ଅନୁଷ୍ଠିତ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ସାକ୍ଷାତ ହୋଇଥିଲା।
ବୈଠକ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ୍ ‘X’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ ଭାରତ-ରୁଷିଆର ‘ସ୍ପେଶାଲ୍ ଆଣ୍ଡ ପ୍ରିଭିଲେଜ୍ଡ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ବାଣିଜ୍ୟ, ଶକ୍ତି, ପ୍ରତିରକ୍ଷା, ମହାକାଶ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ଦୁଇ ନେତା ସମୀକ୍ଷା କରିଥିଲେ।
ଏହି ସମୟରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ପ୍ରମୁଖ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ। ପଶ୍ଚିମ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ସାମୁଦ୍ରିକ ବାଣିଜ୍ୟ ଏବଂ ଭାରତୀୟ ନାବିକମାନଙ୍କ ସୁରକ୍ଷା ପ୍ରଭାବିତ ହୋଇଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ପୁନର୍ବାର କହିଥିଲେ ଯେ, ସଂଘର୍ଷର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ମାର୍ଗ। ଶାନ୍ତି ପ୍ରତିଷ୍ଠା ପ୍ରୟାସରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ବୋଲି ସେ କହିଥିଲେ।
ଏହାସହ ରୁଷିଆର ଅନ୍ତର୍ଜାତୀୟ ଶିଳ୍ପ ପ୍ରଦର୍ଶନୀ ‘INNOPROM India’କୁ ନେଇ ଦୁଇ ନେତା ସ୍ୱାଗତ ଜଣାଇଥିଲେ।
ସେପ୍ଟେମ୍ବର ୯ରୁ ୧୧ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀ ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ଶିଳ୍ପ ସମ୍ପର୍କକୁ ଆହୁରି ବିସ୍ତାର କରିବାରେ ସହାୟତା ମିଳିବ ବୋଲି ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ।
ପରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ ଭାରତ ମଣ୍ଡପମ୍ରେ ଆୟୋଜିତ ‘INNOPROM India’ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଓ ଅଂଶୀଦାରମାନଙ୍କ ସହ ଆଲୋଚନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।