Modi’s Big Message At BRICS: ବ୍ରିକ୍ସ ମଂଚରୁ ସାରା ବିଶ୍ବକୁ ଭାରତର ବାର୍ତ୍ତା; ବନ୍ଦ ହେଉ ଯୁଦ୍ଧ, ଟାରିଫରେ ଲାଗୁ ଲଗାମ୍

Sep 12, 2026 - 19:47
Modi’s Big Message At BRICS: ବ୍ରିକ୍ସ ମଂଚରୁ ସାରା ବିଶ୍ବକୁ ଭାରତର ବାର୍ତ୍ତା; ବନ୍ଦ ହେଉ ଯୁଦ୍ଧ, ଟାରିଫରେ ଲାଗୁ ଲଗାମ୍

ଭାରତରେ ଆୟୋଜିତ ବ୍ରିକ୍ସ ବିଶ୍ବ ମଂଚରୁ ସାରା ବିଶ୍ବକୁ ଭାରତର କଡ଼ା ବାର୍ତ୍ତା। ବନ୍ଦ ହେଉ ଯୁଦ୍ଧ, ଟାରିଫରେ ଲାଗୁ ଲଗାମ। ସଦସ୍ୟ ରାଷ୍ଟ୍ର ଗୁଡିକ ଦ୍ବାରା ସର୍ବସମ୍ମତି ଭାବେ ନୂଆଦିଲ୍ଲୀ ଘୋଷଣାନାମାକୁ ମଂଜୁରୀ ମିଳିଛି। ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା। ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ଲୋବାଲ୍ ସାଉଥ୍ କୁ ‘ରୁଲ୍-ଟେକର୍’ରୁ ‘ରୁଲ୍-ଶେପର୍’ କରିବାକୁ ପଡ଼ିବ।

ବ୍ରିକ୍ସ ସମ୍ମିଳନୀରେ ତିନି ବିଶ୍ବନେତା। ଗୋଟିଏ ଫ୍ରେମରେ ପିଏମ୍ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଗୋଟିଏ ସ୍ବର, ସାରା ବିଶ୍ବକୁ ଗୋଟିଏ ବାର୍ତ୍ତା। ଯୁଦ୍ଧ କାହା ସ୍ବାର୍ଥରେ ନୁହେଁ, ତୁରନ୍ତ ବନ୍ଦ ହେଉ। ବ୍ରିକ୍ସରେ ବିଶ୍ବ ନେତାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ ମାନବତା ପ୍ରଥମ କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ସଦସ୍ୟ ଦେଶଗୁଡ଼ିକ ଦ୍ବାରା ସର୍ବସମ୍ମତି କ୍ରମେ 'ନୂଆଦିଲ୍ଲୀ ଘୋଷଣାନାମା'କୁ ମଞ୍ଜୁରୀ ମିଳିଛି। ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା। 

ଘୋଷଣାନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ସାରା ବିଶ୍ବ ପାଇଁ ହାନିକାରକ, ଏଥିରେ ସମସ୍ତ ପକ୍ଷ ସର୍ବାଧିକ ସଂଯମତା ରକ୍ଷା କରନ୍ତୁ। କୌଣସି ବି ଦେଶ ଦ୍ୱାରା କରାଯାଉଥିବା "ଏକପାଖିଆ ଯୁଦ୍ଧ ଓ ଆକ୍ରମଣ" ନିନ୍ଦନୀୟ। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସାଧାରଣ ନାଗରିକଙ୍କ ସୁରକ୍ଷା, ସାମୁଦ୍ରିକ ପରିବହନ ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାର ନିରନ୍ତରତା ଜରୁରୀ। IMF ଏବଂ WTO ଭଳି ବଡ଼ ସଂସ୍ଥାଗୁଡ଼ିକରେ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶର ପ୍ରତିନିଧିତ୍ୱ ବୃଦ୍ଧି କରାଯିବା ଆବଶ୍ୟକୀୟ। 

ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ହେଉଥିବା ପାରସ୍ପରିକ ବାଣିଜ୍ୟ କାରବାରରେ ଆମେରିକୀୟ ଡଲାର ବଦଳରେ ନିଜ ନିଜ ଦେଶର ସ୍ଥାନୀୟ ମୁଦ୍ରାର ବ୍ୟବହାର ବୃଦ୍ଧି କରାଯାଉ। ସମସ୍ତ ପ୍ରକାରର ଆତଙ୍କବାଦକୁ ଘୋଷଣାନାମାରେ କଡ଼ା ଭାଷାରେ ନିନ୍ଦା କରାଯାଇଛି। ଭାରତର ପହଲଗାମ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିର୍ଦ୍ଦିଷ୍ଟ ଉଲ୍ଲେଖ କରାଯାଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ କୁହାଯାଇଛି। 

BRICS ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ବଡ଼ ବାର୍ତ୍ତା। କହିଛନ୍ତି, ବିକାଶଶୀଳ ଦେଶ ଏଣିକି ନିୟମ ମାନିବା ବଦଳରେ ନିୟମ ପ୍ରସ୍ତୁତକାରୀ ହୁଅନ୍ତୁ। BRICS ମାଧ୍ୟମରେ ହିଁ ଗ୍ଲୋବାଲ୍ ସାଉଥ୍ ଦେଶମାନଙ୍କୁ ଦକ୍ଷତା ପ୍ରଦାନ କରିହେବ। ବ୍ରିକ୍ସ ଏବେ ପରିପକ୍ବତା ସ୍ତରରେ ତେଣୁ, ଆଗାମୀ ୨୦ ବର୍ଷ ନୂଆ ଓ ଉଚ୍ଚାକାଂକ୍ଷୀ କାର୍ଯ୍ୟସୂଚୀ ନେଇ କାମ କରିବାକୁ ପଡ଼ିବ। ଏହି ପ୍ରକ୍ରିୟା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ ପ୍ରଣାଳୀରୁ ଆରମ୍ଭ କରିବା ଉଚିତ। BRICS ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଗଠନର ପ୍ରସ୍ତାବ ଦେଇଛନ୍ତି ମୋଦି। 

ସେ କହିଛନ୍ତି 'ବ୍ରିକ୍ସ ଟ୍ରୋଇକା ଟ୍ରାକିଂ ମେକାନିଜମ' ମାଧ୍ୟମରେ ସମସ୍ତ ପଦକ୍ଷେପ ଓ ଫଳାଫଳର ଫଲୋଅପ୍ ସମ୍ଭବ ହେବ। ରୋଡମ୍ୟାପ୍ ପ୍ରସ୍ତୁତ ସମୟରେ ୩ ପ୍ରମୁଖ ଦିଗ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଓ ନିୟମ ପ୍ରଣୟନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏଥିସହ ବିଶ୍ବମଂଚରୁ ସ୍ପଷ୍ଟ ମୋଦି କରିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରକୁ ଆଉ ବିଳମ୍ବ କରାଯାଇପାରିବ ନାହିଁ। ଏହି ଆଲୋଚନା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇ ସ୍ପଷ୍ଟ ଫଳାଫଳ ଆସିବା ଦରକାର। 

ବ୍ରିକ୍ସ ବୈଠକରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ବି ଦେଇଛନ୍ତି ବଡ଼ ବାର୍ତ୍ତା। କହିଛନ୍ତି, ବିଶ୍ବଶାନ୍ତି ପାଇଁ କାମ କରନ୍ତୁ ବ୍ରିକ୍ସ ରାଷ୍ଟ୍ର ସମୂହ। ଅନ୍ତର୍ଜାତୀୟ ସମୂହ ପାଇଁ ଯୁଦ୍ଧ ହିତକର ନୁହେଁ। କୂଟନୈତିକ ଉପାୟରେ ଯୁଦ୍ଧ ସାରିବାକୁ ଉଦ୍ୟମ କରିବାକୁ ହେବ। ଯୁଦ୍ଧ ପାଇଁ ସାଧାରଣ ଜନତା କ୍ଷତିଗ୍ରସ୍ତ ହେଉଛନ୍ତି, ବିଶ୍ବ ତୈଳ ବଜାର ପ୍ରଭାବିତ ହେଉଛି। ତେଣୁ ତୁରନ୍ତ ମଧ୍ୟପ୍ରାଚ୍ୟ ଯୁଦ୍ଧ ଶେଷ କରିବାକୁ ହେବ। 

୨୦୦୬ରେ ମାତ୍ର ୪ଟି ଦେଶକୁ ନେଇ ଗଠିତ ବ୍ରିକ୍ସରେ ଏବେ ୨୧ଟି ସଦସ୍ୟ। ବ୍ରିକ୍ସ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ଅବସରରରେ ଦୁଇଟି ସ୍ମାରକୀ ଡାକଟିକେଟ୍ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।