Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ
"ଭୁବନେଶ୍ବର: ଆର୍ଏସ୍ଏସ୍ର ସରସଂଘଚାଳକ ମୋହନ ଭାଗବତ ଲର୍ଣ୍ଣଗୀତାର ୫୦ତମ ସ୍ୱର୍ଣ୍ଣିମ ବ୍ୟାଚ୍ର ଭବ୍ୟ ଅନ୍ଲାଇନ୍ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି, ସନାତନ ଧର୍ମର ପବିତ୍ର ଜ୍ଞାନ ଓ ଶ୍ରୀମଦ୍ଭଗବଦ୍ଗୀତାର ଦିବ୍ୟ ସନ୍ଦେଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟରତ "ଗୀତା ପରିବାର" ପକ୍ଷରୁ ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ସନ୍ଧ୍ୟା ୭ଟାରେ ଏକ ଐତିହାସିକ ଆଧ୍ୟାତ୍ମିକ ଅଧ୍ୟାୟର ଶୁଭାରମ୍ଭ ହୋଇଛି।
Advertisment ଏହି ଅବସରରେ ଲର୍ଣ୍ଣଗୀତାର ୫୦ତମ ସ୍ୱର୍ଣ୍ଣିମ ବ୍ୟାଚ୍ର ଭବ୍ୟ ଅନ୍ଲାଇନ୍ ଉଦ୍ଘାଟନ ହୋଇଥିଲା।
ଜାତୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘଚାଳକ ମାନନୀୟ ଡଃ ମୋହନ ଭାଗବତ ଏହି ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଜୁମ୍ ଓ ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରିତ ଏହି କାର୍ଯ୍ୟକ୍ରମରେ ଭାରତ ସମେତ ବିଭିନ୍ନ ଦେଶର ଏକ ଲକ୍ଷ ନୂତନ ସାଧକ ନିଃଶୁଳ୍କ ଗୀତା ଶିକ୍ଷାର ଯାତ୍ରା ଆରମ୍ଭ କରିଛନ୍ତି।
ଏହି ବ୍ୟାଚ୍ର ନିୟମିତ ଶିକ୍ଷାଦାନ ଅକ୍ଟୋବର ୧୯ରୁ ଆରମ୍ଭ ହେବ।
ଘରେ ବସି ନିଜ ସୁବିଧା ଅନୁସାରେ ୧୫ଟି ଭାଷାରେ ମାଗଣାରେ ଗୀତା ଶିଖିବାକୁ ଇଚ୍ଛୁକ ଯେକୌଣସି ଗୀତାପ୍ରେମୀ LearnGeeta.com ମାଧ୍ୟମରେ ପଞ୍ଜୀକରଣ କରି ଏହି ମହାଯଜ୍ଞରେ ସାମିଲ ହୋଇପାରିବେ।
ଏହି ପବିତ୍ର ଅବସରରେ ଭବିଷ୍ୟତ ପିଢ଼ି ମଧ୍ୟରେ ଉତ୍ତମ ସଂସ୍କାରର ବୀଜ ବପନ କରିବା ଉଦ୍ଦେଶ୍ୟରେ ଗର୍ଭବତୀ ମାତୃମାନଙ୍କ ପାଇଁ ଏକ ସ୍ୱତନ୍ତ୍ର "ପ୍ରେଗ୍ନାଣ୍ଟ ମଦର୍ସ ବ୍ୟାଚ୍"ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା।
ଆଶୀର୍ବଚନ ପ୍ରଦାନ କରି ଆର୍ଏସ୍ଏସ୍ର ସରସଂଘଚାଳକ ଡଃ ମୋହନ ଭାଗବତ କହିଥିଲେ ଯେ, ଗୀତା କେବଳ ପାଠ କରିବାର ଗ୍ରନ୍ଥ ନୁହେଁ; ଏହାକୁ ଜୀବନରେ ଆଚରଣ କରିବା ହିଁ ପ୍ରକୃତ ଲକ୍ଷ୍ୟ।
ଅତି ସରଳ ଭାଷାରେ ଗୀତାର ସାରତତ୍ତ୍ୱ ବ୍ୟାଖ୍ୟା କରି ସେ କହିଥିଲେ, “ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ।
ପଳାୟନ କଲେ ପରାଜୟ ନିଶ୍ଚିତ; କିନ୍ତୁ ପରିସ୍ଥିତିର ସାହସିକ ସମ୍ମୁଖୀନ ହୋଇ ଆସକ୍ତିରହିତ ଭାବରେ ନିଜ କର୍ତ୍ତବ୍ୟରେ ସମର୍ପିତ ହେଲେ ଉଚ୍ଚତର ଲକ୍ଷ୍ୟ ହାସଲ କରିହେବ।” ସେ ଆହୁରି କହିଥିଲେ ଯେ, ଭାରତରେ ରାଷ୍ଟ୍ରକାର୍ଯ୍ୟ ଓ ଧର୍ମକାର୍ଯ୍ୟ ଦୁଇଟି ପୃଥକ୍ ବିଷୟ ନୁହେଁ; ଏଗୁଡ଼ିକ ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ।
ଗୀତା କାହାରି ବିରୋଧ କରେ ନାହିଁ; ବରଂ ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମାର୍ଗ ପ୍ରଦର୍ଶନ କରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।