MoU: କ୍ରିଟିକାଲ୍ ମିନେରାଲ୍ସ ଅନୁସନ୍ଧାନ ଦିଗରେ ଓଏମ୍ସି ଓ ଏଏମ୍ଡି ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର
"ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ନେସନାଲ୍ କ୍ରିଟିକାଲ୍ ମିନେରଲ୍ ମିସନ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ଖଣି ନିଗମ (ଓଏମ୍ସି) ଏବଂ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ ହାଇଦ୍ରାବାଦ ସ୍ଥିତ ପରମାଣୁ ଖଣିଜ ଅନୁସନ୍ଧାନ ଓ ଗବେଷଣା ନିର୍ଦ୍ଦେଶାଳୟ (ଏଏମ୍ଡି) ମଧ୍ୟରେ କ୍ରିଟିକାଲ୍ ମିନେରାଲ୍ସର ଗବେଷଣା ତଥା ଅନୁସନ୍ଧାନ ଉଦ୍ଦେଶ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି।
ଏହି ବୁଝାମଣାପତ୍ର ଅନୁଯାୟୀ, ଗବେଷଣା, ବୈଜ୍ଞାନିକ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ, ଅଭିଜ୍ଞତା ଓ ବିଶେଷଜ୍ଞତାର ବିନିମୟ ସହିତ ଓଏମ୍ସିର ଲିଜ୍ ଖଣି ଅଞ୍ଚଳ ସମେତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ କ୍ରିଟିକାଲ୍ ମିନେରାଲ୍ସର ଅନୁସନ୍ଧାନ କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ।Advertisment ୨୦୨୫ ମସିହା ଜାନୁଆରି ମାସରେ ଭାରତ ସରକାର ଦ୍ଵାରା ନେସନାଲ୍ କ୍ରିଟିକାଲ୍ ମିନେରଲ୍ ମିଶନ ଆରମ୍ଭ କରାଯାଇଥିଲା।
ଦେଶର ସ୍ୱଚ୍ଛ ଶକ୍ତିକୁ ଆପଣାଇବା ପ୍ରକ୍ରିୟା, ବୈଷୟିକ ପ୍ରଗତି ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକ କ୍ରିଟିକାଲ୍ ମିନେରାଲ୍ସର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଏହି ମିଶନର ପ୍ରମୁଖ ଉଦ୍ଦେଶ୍ୟ।
ଏଥିସହ ଖଣିଜ ଆମଦାନି ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବା, ଘରୋଇ ଖଣିଜ ଯୋଗାଣ ଓ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତା କ୍ଷମତା ବୃଦ୍ଧି କରିବା ମଧ୍ୟ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ।
ଏହି ମିଳିତ ସହଭାଗିତା ମାଧ୍ୟମରେ ଖଣିଜ ଅନୁସନ୍ଧାନ ପ୍ରଯୁକ୍ତିର ବ୍ୟବହାର, ବୈଜ୍ଞାନିକ ଅଧ୍ୟୟନ, ଜ୍ଞାନକୌଶଳର ଆଦାନପ୍ରଦାନ, ଦକ୍ଷତା ବିକାଶ ଏବଂ ମିଳିତ ଗବେଷଣା ପଦକ୍ଷେପକୁ ପ୍ରୋତ୍ସାହନ ଦିଆଯିବ।
ଯାହାଫଳରେ ଓଡ଼ିଶାରେ କ୍ରିଟିକାଲ୍ ମିନେରାଲ୍ସର ଅନୁସନ୍ଧାନ ଏବଂ ବିକାଶ ତ୍ୱରାନ୍ୱିତ ହେବ।
ଏହି ସହଭାଗିତା ଓଡ଼ିଶାକୁ କ୍ରିଟିକାଲ୍ ମିନେରାଲ୍ସ ପ୍ରଯୁକ୍ତିଭିତ୍ତିକ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।
ଏଥିସହ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଲକ୍ଷ୍ୟକୁ ମଧ୍ୟ ପୂରଣ କରିବ।
MoU: ଏସ୍ବିଆଇ ସହ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ଏମ୍ଓୟୁ: ସୁଯୋଗ୍ ପ୍ଲାଟଫର୍ମରେ ସହଜ ହେବ ଡିଜିଟାଲ୍ ପେମେଣ୍ଟ ଏହି ବୁଝାମଣା ମାଧ୍ୟମରେ ପ୍ରଯୁକ୍ତିନିର୍ଭର ଖଣିଜ ଅନୁସନ୍ଧାନ, ଦାୟିତ୍ୱପୂର୍ଣ୍ଣ ଖଣି କାର୍ଯ୍ୟ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖଣିଜ ସମ୍ପଦର ବିକାଶ ପ୍ରତି ଓଏମ୍ସିର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
ଆଗାମୀ ଦିନରେ ଏହି ପଦକ୍ଷେପ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାରେ ବେଶ୍ ସହାୟକ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।