Cuttack Chandi Medha Tradition Expands: ମା’ଦୁର୍ଗାଙ୍କ ଧରାବତରଣ ପାଇଁ ଚଳଚଞ୍ଚଳ କଟକ; ପ୍ରାୟ ୨ କୁଇଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ
ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ କଟକ ସହର। ସାଜସଜା ଠାରୁ ତୋରଣ, ଚାନ୍ଦି ମେଢ ଠାରୁ ଆଲୋକୀକରଣ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ କଟକରେ ୩୭ଟି ପୂଜା କମିଟି ଚାନ୍ଦି ମେଢ କ୍ଲବରେ ସାମିଲ ହୋଇଛନ୍ତି । ଚାନ୍ଦି ମେଢ ପାଇଁ ପୂଜା କମିଟି ଗୁଡିକ ପ୍ରୟାସ କରୁଛନ୍ତି । ଚଳିତବର୍ଷ ନୂତନ କରି ଚାନ୍ଦିମେଢ କ୍ଲବରେ ସାମିଲ ହୋଇଛି ସାହେବଜାଦା ବଜାର ପୂଜା କମିଟି। ପ୍ରାୟ ୨ କୁଇଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ କରାଯାଇଛି ।
ପାଖେଇ ଆସିଲାଣି ଦଶହରା। ମଣ୍ଡପରେ ମା’ଙ୍କ ଆବାହନ ପାଇଁ ସାଂସ୍କୃତିକ ସହର କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି । ସାଜସଜ୍ଜା, ତୋରଣ, ଆଲୋକମାଳାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶେଷ ସ୍ପର୍ଶ ନେଉଛନ୍ତି ମା’ଙ୍କ ମୃଣ୍ମ୍ରୟୀ ମୂର୍ତ୍ତି । ସେପଟେ ମା’ଙ୍କୁ ଅପେକ୍ଷା କରି ରହିଛି ସୁନା ଚାନ୍ଦିର ମେଢ ଓ ଅଳଙ୍କାର ।
ରୁପା ତାରକସି କାମ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକରେ ଦିନକୁ ଦିନ ଚାନ୍ଦି ମେଢର ସଂଖ୍ୟା ବଢିବାରେ ଲାଗିଛି । କଟକରେ ପ୍ରଥମେ ୧୯୫୬ ମସିହାରେ ଚୈଧୁରୀବଜାର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢର ମୂଳଦୂଆ ପଡ଼ିଥିଲା । ଅଢେଇ କୁଇଣ୍ଟାଲ ଚାନ୍ଦିରେ ମେଢ ନିର୍ମାଣ କରାଯାଇଥିଲା। ୧୯୯୩ ମସିହାରେ ମା’ଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ସୁନା ଅଳଙ୍କାର ଆରମ୍ଭ ହୋଇଥିଲା। ଧିରେ ଧିରେ ସୁନାରେ ଅଳଙ୍କାର ପ୍ରସ୍ତୁତ ହେବା ପରେ ମେଢରେ ମଧ୍ୟ ସୁନା ବ୍ୟବହାର କରାଯାଇଛି ।
ଆଗକୁ ମେଢକୁ ସମ୍ପୁର୍ଣ୍ଣ ସୁନାରେ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କମିଟିର କର୍ମକର୍ତ୍ତା। ସେହିଭଳି ୧୯୯୧ ମସିହାରେ ଶେଖ ବଜାର ପୂଜା କମିଟି ୪ କୁଇଣ୍ଟାଲ ଚାନ୍ଦିରେ ଦ୍ବିତୀୟ ଚାନ୍ଦି ମେଢ ପ୍ରସ୍ତୁତ କରିଥିଲା । ଏବେ ଚାନ୍ଦିର ମେଢ ସହ ୧୦କେଜିରୁ ଉର୍ଦ୍ଧ ସୁନା ଅଳଙ୍କାରରେ ଅଳଙ୍କୃତ ହେଉଛନ୍ତି ମା’ । ପରେ ପରେ ଚାନ୍ଦିନୀଚୌକ, ଅଲିସାବଜାର, ହରିପୁର, ଶିଖରପୁର, ଚାଉଳିଆଗଞ୍ଜ, ଯୋବ୍ରା, ରାଣୀହାଟ, ମଙ୍ଗଳବାଗ, ବାଲୁବଜାର,କଲେଜଛକ , ବାଦାମବାଡ଼ି, ଖାନନଗର ପରି ପୂଜା କମିଟି ଚାନ୍ଦିମେଢ ପ୍ରସ୍ତୁତ କରିଥଲେ ।
ବର୍ତ୍ତମାନ କଟକରେ ୩୭ଟି ପୂଜା କମିଟି ଚାନ୍ଦି ମେଢ କ୍ଲବରେ ସାମିଲ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୁନା ଚାନ୍ଦି ମେଢ କରିବା ପାଇଁ କଟକରେ ଏକ ଅଘୋଷିତ ପ୍ରତିଯୋଗିତା ଲାଗିରହିଛି । ଚାନ୍ଦି ମେଢ ପାଇଁ ପୂଜା କମିଟି ଗୁଡିକ ପ୍ରୟାସ କରୁଥିବା ବେଳେ ଚଳିତବର୍ଷ ନୂତନ କରି ଚାନ୍ଦିମେଢ କ୍ଲବରେ ସାମିଲ ହୋଇଛି ସାହେବଜାଦା ବଜାର ପୂଜା କମିଟି। ପ୍ରାୟ ୨ କୁଇଣ୍ଟାଲ ଚାନ୍ଦିରେ ମେଢ ପ୍ରସ୍ତୁତ କରାଯାଇଛି । ପ୍ରତିବର୍ଷ ସୁନା ଓ ରୁପାର ଦର ବଢୁଥିଲେ ମଧ୍ୟ ପୂଜା କମିଟି ଗୁଡିକ ମେଢ ଓ ଅଳଙ୍କାରର ଆକାର ଓ ଓଜନ ମଧ୍ୟ ବଢାଇବାରେ ଲାଗିଛନ୍ତି । କୋଟି କୋଟି ଟଙ୍କାର ସୁନା ଚାନ୍ଦି ଅଳଙ୍କାରର ସୁରକ୍ଷା ମା’ ନିଜେ ନେଇଥାନ୍ତି ବୋଲି କହିଛନ୍ତି କମିଟିର କର୍ମକର୍ତ୍ତା ।
କଟକ ସହରରେ ସୁନା ଚାନ୍ଦି ମେଢର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ ହେବ । ଆଗାମୀ ଦିନରେ ଏହି ମୂଲ୍ୟ ଆହୁରି ବଢିବ ବୋଲି ଆକଳନ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।