Mumbai Landslide: ଭୟଙ୍କର ଭୂସ୍ଖଳନ: ୫ ଜଣ ମୃତ, ଭଗ୍ନାବଶେଷ ତଳେ ଏକାଧିକ ଚାପି ହୋଇ ରହିଛନ୍ତି
ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଘଟିଛି ବଡ଼ ଅଘଟଣ। ବୁଧବାର ଭୋର ପ୍ରାୟ ୩ଟା ୪୮ ମିନିଟ୍ରେ ଚିରାଗ ନଗରର ଗୌସିଆ ଚାୱଲ୍ରେ ଭୂସ୍ଖଳନ ହୋଇଛି। ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଚାରିରୁ ପାଞ୍ଚ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି।
ଭୋର ୪ଟା ୩୨ ମିନିଟ୍ରେ ଅଗ୍ନିଶମ ବିଭାଗ ଘଟଣାକୁ ଲେଭଲ୍-୨ ଘଟଣା ଭାବେ ଘୋଷଣା କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ପାହାଡର କିଛି ଅଂଶ ଘର ଉପରେ ଧସି ପଡ଼ିବା ହେତୁ ଏହି ଅଘଟଣ ଘଟିଛି।
ଉଦ୍ଧାର ପରେ ୨୮ ବର୍ଷୀୟ ସାହିଲ ଅନସାରୀ ଓ ୧୪ ବର୍ଷୀୟ ମହମ୍ମଦ ସମୀରଙ୍କୁ ରାଜାୱାଡି ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି।
ଜୋରଦାର ଉଦ୍ଧାର ଅଭିଯାନ
ଭଗ୍ନାବଶେଷ ତଳେ ଆଉ ୪ରୁ ୫ ଜଣ ଫସିଥିବା ଆଶଙ୍କା କରାଯାଉଛି। ସ୍ୱତନ୍ତ୍ର ଉପକରଣ ସହାୟତାରେ ଉଦ୍ଧାର ଅଭିଯାନ ଜାରି ରହିଛି। ପ୍ରାୟ ୫୦ ଜଣ BMC କର୍ମଚାରୀ ଓ NDRF ଯବାନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଭାରି ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି। ଫସିଥିବା ଲୋକଙ୍କ ସଠିକ୍ ସଂଖ୍ୟା ଓ ଉଦ୍ଧାର ସମ୍ପର୍କିତ ତଥ୍ୟ ରେସ୍କ୍ୟୁ ଅପରେସନ୍ ପରେ ଅଧିକ ସ୍ପଷ୍ଟ ହେବ। ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।