Mumbai Police Uncover Alleged Plot to Kill Tiger Shroff: ଟାଇଗର ଶ୍ରଫଙ୍କୁ ହତ୍ୟା ଷଡ଼ଯନ୍ତ୍ର! ମାତ୍ର ୫୦ ହଜାର ଟଙ୍କା ଆଡଭାନ୍ସ
ଟାଇଗରଙ୍କୁ ହତ୍ୟା କରିବାକୁ ହ୍ରିତିକ୍ ରୋସନ୍ କରିଥିଲେ ଷଡ଼ଯନ୍ତ୍ର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା, ସତରେ ଏମିତି ଘଟିଛି ଆଉ ମୁମ୍ବାଇ ବି’ ଟାଉନ୍ ରେ ଏହାକୁ ନେଇ ଚର୍ଚ୍ଚା ଉଠୁଛି ପଡ଼ୁଛି। ହେଲେ ୟେ ଅଭିନେତା ହ୍ରିତିକ ରୋସନ୍ ନୁହେଁ, ୟେ ସୁଟର୍ ହ୍ରିତିକ୍ ଯାହାର ଅନ୍ୟ ନାଁ ରୋସନ୍। ମାତ୍ର ୫୦ ହଜାର ଟଙ୍କା ଆଉ ବିଦେଶରେ ଚାକିରୀ ପ୍ରତିଶ୍ରୁତିରେ ଏମାନେ ଭିଆଇଥିଲେ ଜଘନ୍ୟକାଣ୍ଡ। ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫଙ୍କ ଉପରେ ଗୁଳି ମାଡ଼ ମାମଲା ଉପରୁ ପରଦା ହଟୁଛି। ଆଉ ଏଇ କାହାଣୀ କୌଣସି ସିନେମାଠୁ କମ୍ ନୁହେଁ। ଅଭିଯୁକ୍ତମାନଙ୍କୁ ଦିଆଯାଇଥିଲା ବିଦେଶରେ ଚାକିରିର ପ୍ରଲୋଭନ। ତିନି ଜଣଙ୍କୁ ୫୦ ହଜାର ଟଙ୍କା ଅଗ୍ରିମ ଦିଆଯାଇଥିଲା, ଆକ୍ରମଣ ସଫଳ ହେଲେ ଆହୁରି ଟଙ୍କା ମିଳିବାର ଥିଲା ପ୍ରତିଶ୍ରୁତି। ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫଙ୍କ ଗତିବିଧିକୁ ରେକି କରିଥିଲେ। ମାସେ ଯାଏଁ ବୁଲିଥିଲେ, ପରଖିଥିଲେ ଟାଇଗର୍ କୁଆଡ଼େ ଯାଉଛନ୍ତି, କାହା ସହ ବୁଲୁଛନ୍ତି।
୯୦ ଦଶକରେ ଦାଉଦ୍ ଇବ୍ରାହିମ୍, ଏବେ ଲରେନ୍ସ ବିଷ୍ଣୋଇ। ମୁମ୍ବାଇର ସେଲିବ୍ରିଟିଙ୍କ ଛାତି ଧଡ଼ଧଡ଼। ଗୁଳିର ଗର୍ଜନରେ ପୁଣି କମ୍ପିଛି ବି ଟାଉନ୍।...ୟେ ହେଉଛନ୍ତି ସେଇ ତିନି ଅଭିଯୁକ୍ତ ସୁଟର୍। ହ୍ରିତିକ ଓରଫ ରୋଶନ, ବୟସ ୨୨ ବର୍ଷ, ବିହାର ବେଗୁସରାଇର। ରେହାନ ବୟସ ୧୮ ବର୍ଷ, ହରିୟାଣା ସୋନିପତର। ଆଉ ୟେ ହରିୟାଣାର ଫୁଲ ସିଂହ, ବୟସ ୧୮ ବର୍ଷ। ଟାଇଗରଙ୍କ ଉପରେ ଧନାଧନ୍ ଗୁଳି ମାଡ଼ ପରେ ଏହି ତିନି ଜଣ ମୁମ୍ବାଇ ଛାଡ଼ି ପଳାଇଥିଲେ। ହେଲେ ବ୍ୟବହାର ହୋଇଥିବା ବାଇକ୍, ସିସିଟିଭି, ମୋବାଇଲ୍ ନେଟୱର୍କ ଧରାପକାଇ ଦେଇଥିଲା। ଯେଉଁ ବାଇକ୍ କୁ ସେମାନେ ବ୍ୟବହାର କରିଥିଲେ ସେମାନଙ୍କ ମାଲିକଙ୍କ ପାଖରେ ପହଞ୍ଚିଥିଲା ପୋଲିସ୍। ପରେ ସିସିଟିଭି ଓ ଭାଇରାଲ୍ ଭିଡିଓରୁ ଚେହେରା ସାମ୍ନାକୁ ଆସିଥିଲା। ରାଜସ୍ଥାନର କୋଟା, ସେଠୁ ଦିଲ୍ଲୀ ଆଉ ନେପାଳକୁ ଫେରାର ହେବାକୁ ଥିଲା ଯୋଜନା। ହେଲେ ତା ପୂର୍ବରୁ ହିଁ ମାଡ଼ି ବସିଲା ପୋଲିସ୍।
ସେଇ ଅକ୍ଟୋବର ମାସ, ସେଇ ସଲମାନଙ୍କ ସାଙ୍ଗ। ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବର ୨୦୨୪ରେ ବିଚ୍ ରାସ୍ତାରେ ଗୁଳି ମାରି ହତ୍ୟା କରାଯାଇଥିଲା। ଖାଲି ଟାଇଗର୍ କିମ୍ବା ବାବା ନୁହଁନ୍ତି, କପିଲ ଶର୍ମା, ଏପି ଢିଲୋନ, ରୋହିତ ସେଟ୍ଟୀ, ଗିପି ଗରେୱାଲ୍ ଭଳି ଅନେକ ସେଲିବ୍ରିଟିଙ୍କୁ ହତ୍ୟା ପାଇଁ ଧମକ ଦେଇଛି ବିଷ୍ଣୋଇ ଗ୍ୟାଙ୍ଗ।
୧୯୯୮ରେ ରାଜସ୍ଥାନ ଯୋଦ୍ଧପୁରରେ ହିନ୍ଦୀ ଫିଲ୍ମ ହମ୍ ସାଥ୍ ସାଥ୍ ହେର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଫସିଥିଲେ ସଲମାନ୍ ଖାନ୍। କୃଷ୍ଣସାଗ ମୃଗ ବିଷ୍ଣୋଇ ସମାଜ ପାଇଁ ପୂଜ୍ୟ ଓ ସମ୍ମାନର ପ୍ରତୀକ। ସେବେଠୁ ସେଇ ମାମଲା ପାଇଁ ସଲମାନଙ୍କଠୁ କ୍ଷମା ମାଗୁଛି ବିଷ୍ଣୋଇ ଗ୍ୟାଙ୍ଗ। କ୍ଷମା ତ ସଲମାନ ମାଗିନାହାନ୍ତି, ତାଙ୍କ ଉପରେ ଓ ତାଙ୍କ ଲିଙ୍କ୍ ରେ ଥିବା ଅନେକଙ୍କୁ ଧମକ ଓ ହତ୍ୟା ଉଦ୍ୟମ ହେଲାଣି। ଏବେ ବି ଟାଇଗର୍ ଙ୍କୁ ବି ହତ୍ୟା ଉଦ୍ୟମ ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ଅନିଲ ପଣ୍ଡିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।