Odisha Celebrates Maha Navami With Crowded Pandals: ମହାନବମୀରେ ମାଆଙ୍କ ମହାପୂଜା, ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼
ଦିବ୍ୟ ମୁଖମଣ୍ଡଳ, ମମତାଭରା ଚାହାଣି। କାହା ଆଖିରେ ଆକୁଳତା, ତ କାହା ମନରେ ଅକୁହା କୋହ। ଯେତେ ଦେଖିଲେ ଆଖି ଭରୁନି, ଯେତେ ଚାହିଁଲେ ମନ ପୂରୁନି। ଢୋଲ, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଧରା। ଧୂପ, ଦୀପ ଆଉ ଶଙ୍ଖନାଦରେ ମହକୁଛି ପରିବେଶ। ଆସ୍ଥା, ଆବେଗ, ଐତିହ୍ୟ ଆଉ ଆଧ୍ୟାତ୍ମିକତାର ଅପୂର୍ବ ସମାହାର ଭିତରେ ମଣ୍ଡପରେ ମହାନବମୀରେ ଚାଲିଛି ମାଆଙ୍କ ମହାପୂଜା। ଝଲସୁଛି ମାଆଙ୍କ ମୁଖମଣ୍ଡଳ, ମନ୍ତ୍ରୋଚ୍ଚାରଣରେ ପବିତ୍ର ହେଉଛି ପରିବେଶ। ଆଉ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼। ଇଏ ରୌପ୍ୟନଗରୀ କଟକ। ଏଠି ଦୁର୍ଗାପୂଜାର ରଙ୍ଗ ଯେମିତି ନିଆରା, ସେମିତି ଭିନ୍ନ ପରମ୍ପରା। ଆକର୍ଷଣୀୟ ତୋରଣ, ସୁନାଚାନ୍ଦିର ମେଢ଼ ଭିତରେ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ରହିଛି ସ୍ୱତନ୍ତ୍ର ଆକର୍ଷଣ। ଦେଖୁନାହାନ୍ତି, କୁଇଣ୍ଟାଲ କୁଇଣ୍ଟାଲ୍ ମାଛ ଛଣା ଚାଲିଛି, ତରକାରୀ ହଣ୍ଡା ଘଣ୍ଟା ହେଉଛି। ମହାନବମୀରେ ଏଠି ମାଆଙ୍କ ପାଖରେ ଲାଗି ହେଉଛି ମାଛ ଭୋଗ। ଭୋଗ ଲାଗି ହେବା ପରେ ପ୍ରସାଦ ଭକ୍ତ ଓ ଶ୍ରଦ୍ଧାଳୁ ସେବନ କରିବାର ବିଧି ରହିଛି ।
ନାରୀ ହିଁ ଶକ୍ତି, କନ୍ୟା ହିଁ ଦେବୀଙ୍କ ପ୍ରତୀକ। ସେହି ଭାବ ଓ ବିଶ୍ୱାସକୁ ନେଇ ଭୁବନେଶ୍ୱରର ବଡ଼ୁନିଯୋଗ ସାହି ଓ କଟକର ହରିପୁର ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଛି କୁମାରୀ ପୂଜା। କୁନି କୁନି କନ୍ୟାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ, ଚନ୍ଦନ ଓ ପୁଷ୍ପ ଅର୍ପଣ କରି ପୂଜା କରାଯାଉଛି। ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟାର ନାଦ ଆଉ ଭକ୍ତିମୟ ପରିବେଶ ମଧ୍ୟରେ ଦେବୀଙ୍କ ସ୍ୱରୂପ ଭାବେ କନ୍ୟାଙ୍କ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ।
ଏପଟେ ଦକ୍ଷିଣ ଓଡ଼ିଶାରେ ଦଶହରାର ମାହୋଲ୍ ଆହୁରି ନିଆରା। ଭକ୍ତିର ରୂପ ଭିନ୍ନ, ପରମ୍ପରାର ପରିଚୟ ଅନନ୍ୟ। ପ୍ରତିଟି ରୀତିରେ ଝଲସୁଛି ଆଦିବାସୀ ଓ ରାଜକୀୟ ସଂସ୍କୃତିର ଗଭୀରତା। ଅବିଭକ୍ତ କୋରାପୁଟର ୪୦ରୁ ଅଧିକ ଆଦିବାସୀ ଗାଁର ପରିବାର ଲାଠିର ସ୍ନାନ, ପାରମ୍ପରିକ ଖଣ୍ଡା ଓ ଢାଲ ପୂଜା ସହିତ ବାଦ୍ୟଯନ୍ତ୍ରର ତାଳେ ତାଳେ ଶୋଭାଯାତ୍ରା କରି ଦଶହରା ପାଳିଛନ୍ତି।। ପରମ୍ପରାର ଆଉ ଏକ ଅନନ୍ୟ ରୂପ ଦେଖିବାକୁ ମିଳିଛି ଗଞ୍ଜାମର ଐତିହାସିକ ଗଡ଼ଜାତ ସହର ଖଲ୍ଲିକୋଟରେ। ପ୍ରାୟ ୮୦ ବର୍ଷ ପୁରୁଣା ବାଡ଼ ଯାତ୍ରା ଆଜି ବି ବଜାୟ ରଖିଛି। ଯୁବକମାନଙ୍କ ବାଘବେଶ ଓ ବାଜାର ତାଳେ ତାଳେ ସାହି ପରିକ୍ରମା କରି ମନ ଜିଣିଛନ୍ତି। ଇଏ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା କନକ ବର୍ଦ୍ଧନ ସିଂ ଦେଓ। ହାତରେ ବନ୍ଧୁକ, ଆଖିରେ ଲକ୍ଷ୍ୟ ଆଉ ନିଶାଣ ଅଚୁକ୍। ପାଟଣା ରାଜପରିବାରର ପରମ୍ପରା ଅନୁଯାୟୀ ରାଜ ଖମାରରେ ଲାଖ ବିନ୍ଧା କାର୍ଯ୍ୟକ୍ରମରେ ସାମିଲ ହୋଇ ଅସ୍ତ୍ରଶସ୍ତ୍ର ପୂଜାର୍ଚ୍ଚନା କରିଥିଲେ। ପରେ ନିଜ ନିଶାଣରେ ଦେଖାଇଥିଲେ ପରାକାଷ୍ଠା ।
ପରମ୍ପରା ପୁରୁଣା ହୋଇଥାଇପାର, ହେଲେ ଆବେଗ ସବୁବେଳେ ନୂଆ। ଯେଉଁଠି ଭକ୍ତି ମଣିଷକୁ ମଣିଷ ସହ ଯୋଡ଼େ, ଆଉ ମାଆଙ୍କ ଆଶୀର୍ବାଦ ସମସ୍ତଙ୍କ ମନରେ ଭରିଦିଏ ଆଶାର ଆଲୋକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।