Mumbai Woman: ଶୋଇ ଶୋଇ ଜିତିଲେ ମହିଳା; ପାଇଲେ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି

Nov 07, 2026 - 22:01
Mumbai Woman: ଶୋଇ ଶୋଇ ଜିତିଲେ ମହିଳା; ପାଇଲେ  ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି

ମୁମ୍ବାଇ: ମୁମ୍ବାଇ ର ଜଣେ ମହିଳା ଲଗାତାର ୬୦ ଦିନ ନିଜ ନିଦ ଓ ଦୈନନ୍ଦିନ ଜୀବନଶୈଳୀ ଉପରେ ଧ୍ୟାନ ଦେଇ ୯.୬ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି।

ଏହି ସୁଯୋଗ ତାଙ୍କୁ ଏକ ନିଆରା ଇଣ୍ଟର୍ନସିପ୍‌ ଜରିଆରେ ମିଳିଛି।

ସାଧାରଣତଃ ଇଣ୍ଟର୍ନସିପ୍‌ରେ ଯୁବପିଢ଼ି କୌଣସି କମ୍ପାନିରେ କାମ କରିବାର ଅଭିଜ୍ଞତା ହାସଲ କରନ୍ତି ଏବଂ ବଦଳରେ ଷ୍ଟାଇପେଣ୍ଡ୍‌ ପାଆନ୍ତି।

କିନ୍ତୁ ୱେକଫିଟ ଇଣ୍ଟର୍ନସିପ୍‌ ସମ୍ପୂର୍ଣ୍ଣ ଭିନ୍ନ।

ଏଥିରେ ପ୍ରତିଯୋଗୀମାନଙ୍କୁ ନିଜ ନିଦର ଗୁଣବତ୍ତା ବଢ଼ାଇବା, ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।

ପ୍ରାୟ ୬୦ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସମସ୍ତଙ୍କ ନିଦକୁ ଟ୍ରାକ୍‌ କରାଯାଇଥିଲା ଏବଂ ପ୍ରଦର୍ଶନ ଆଧାରରେ ସ୍କୋର ପ୍ରସ୍ତୁତ ହୋଇଥିଲା।

Advertisment ମୁମ୍ବାଇର ଜିନିଆ ଚାଟାର୍ଜୀ ୱେକଫିଟର ପଞ୍ଚମ ସ୍ଲିପ୍‌ ଇଣ୍ଟର୍ନସିପ୍‌ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଏହି ବିଜୟ ସହିତ ସେ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ କମ୍ପାନି ପକ୍ଷରୁ ସ୍ପନ୍ସର୍‌ ହୋଇଥିବା ଛୁଟି କାଟିବାର ସୁଯୋଗ ମଧ୍ୟ ପାଇଛନ୍ତି।

ଏହି ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ।

କିନ୍ତୁ ଯାଞ୍ଚ ପରେ ମାତ୍ର ୧୦ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା।

୬୦ ଦିନ ପରେ ରତ୍ନଗିରିର ମଣିକନ୍ଦନ, ଜିନିଆ ଚାଟାର୍ଜୀ ଏବଂ ମେହେକ ଖୋତ୍‌ ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀ ଭାବେ ସାମ୍ନାକୁ ଆସିଥିଲେ।

ଅନ୍ୟପଟେ ହାଇଦ୍ରାବାଦର କରିମ୍‌ ଖାନ୍‌ଙ୍କୁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଥିଲା।

ଏହିପରି ଚାରି ଜଣ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେରେ ସ୍ଥାନ ପାଇଥିଲେ।

ଫିନାଲେରେ 'ମେମୋରି ଫୋମ୍‌ ଚ୍ୟାଲେଞ୍ଜ' ଅନୁଯାୟୀ ପ୍ରତିଯୋଗୀମାନଙ୍କୁ ଏକ ଫଟୋ ଦେଖି ସେହିଭଳି ଏକ ଶୋଇବା ଘର ପ୍ରସ୍ତୁତ କରିବାକୁ ପଡ଼ିଥିଲା।

ଏହାପରେ 'ସ୍ଲିପ୍‌ ଅକ୍ସନ୍‌' ଆୟୋଜନ ହୋଇଥିଲା।

ଏଥିରେ ତକିଆ, କମ୍ବଳ, ଏସି, ଆଲୋକ ବ୍ୟବସ୍ଥା ଏବଂ ଘରର ଶବ୍ଦ ନିୟନ୍ତ୍ରଣ ଭଳି ସୁବିଧା ପାଇଁ ପ୍ରତିଯୋଗୀମାନଙ୍କୁ ନିଲାମ ଡାକିବାକୁ ପଡ଼ିଥିଲା।

ଶେଷରେ ସମସ୍ତଙ୍କ ନିଦର ସ୍କୋର ଯାଞ୍ଚ କରାଯାଇଥିଲା ଏବଂ ଜିନିଆ ବିଜେତା ହୋଇଥିଲେ।

୨୦୧୯ରେ ଆରମ୍ଭ ହୋଇଥିଲା ଏହି ନିଆରା ପଦକ୍ଷେପ ୱେକଫିଟ ୨୦୧୯ ମସିହାରେ ଏହି ନିଆରା ସ୍ଲିପ୍‌ ଇଣ୍ଟର୍ନସିପ୍‌ ଆରମ୍ଭ କରିଥିଲା।

କମ୍ପାନିର ସୂଚନା ଅନୁଯାୟୀ, ପ୍ରଥମ ଚାରିଟି ସିଜନ୍‌ରେ ୧୦ ଲକ୍ଷରୁ ଅଧିକ ଆବେଦନ ମିଳିଥିଲା।

ଏଥିରେ ୬୫ ଜଣ ଇଣ୍ଟର୍ନଙ୍କୁ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ୍‌ ଦିଆଯାଇଥିଲା।

ଏବେ ପଞ୍ଚମ ସିଜନ୍‌ର ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କା ମିଳିଛି।

କମ୍ପାନି ଷଷ୍ଠ ସିଜନ୍‌ ପାଇଁ ପ୍ରି-ରେଜିଷ୍ଟ୍ରେସନ୍‌ ମଧ୍ୟ ଆରମ୍ଭ କରିଦେଇଛି।

ଲୋକଙ୍କୁ ଭଲ ନିଦର ଗୁରୁତ୍ୱ ବୁଝାଇବା ଏବଂ ସୁସ୍ଥ ଦୈନନ୍ଦିନ ଜୀବନଶୈଳୀ ଆପଣାଇବାକୁ ପ୍ରେରିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଇଣ୍ଟର୍ନସିପ୍‌ରେ ପ୍ରତିଯୋଗୀମାନଙ୍କୁ କେବଳ ବିଛଣାରେ ଶୋଇ ରହିବାକୁ ପଡ଼ୁ ନଥିଲା।

ପ୍ରତି ସପ୍ତାହରେ ସେମାନଙ୍କୁ କିଛି ସୃଜନଶୀଳ କାର୍ଯ୍ୟକଳାପରେ ମଧ୍ୟ ଭାଗ ନେବାକୁ ହେଉଥିଲା।

ଏଥିରେ 'ସ୍ଲିପ୍‌ ସିନେମା' ନାମକ ଏକ ଚ୍ୟାଲେଞ୍ଜ ଥିଲା।

ଏଥିରେ ପ୍ରସିଦ୍ଧ ଚଳଚ୍ଚିତ୍ରର ଦୃଶ୍ୟଗୁଡ଼ିକୁ ନିଦ ସହ ଯୋଡ଼ି ପୁଣିଥରେ ଉପସ୍ଥାପନ କରିବାକୁ ପଡ଼ୁଥିଲା।

ସେହିପରି 'ସ୍ଲିପ୍‌ ବିଙ୍ଗୋ'ରେ ନିଜ ଶୋଇବା ଅଭ୍ୟାସର ମୂଲ୍ୟାଙ୍କନ କରିବାକୁ ହେଉଥିଲା।

ପ୍ରତି ସପ୍ତାହରେ ଭଲ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀଙ୍କୁ 'ପ୍ରୋ ସ୍ଲିପର୍‌ ଅଫ୍‌ ଦି ୱିକ୍‌' ଉପାଧି ମିଳୁଥିଲା।

ଦୀପାବଳି ଅନ୍ଧାର ଉପରେ ଆଲୋକ, ନିରାଶା ଉପରେ ଆଶାର ଅନନ୍ତ ବିଜୟର ପ୍ରତୀକ: ପ୍ରଧାନମନ୍ତ୍ରୀ ମୋଦୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।