Munir Wants To Split Pakistan's 4 Provinces: ପାକିସ୍ତାନରେ ‘ଭାଗ କର, ଶାସନ କର’ ରଣନୀତି! ମୁନୀରଙ୍କ ବଡ଼ ପ୍ଲାନ

Oct 09, 2026 - 13:54
Munir Wants To Split Pakistan's 4 Provinces: ପାକିସ୍ତାନରେ ‘ଭାଗ କର, ଶାସନ କର’ ରଣନୀତି! ମୁନୀରଙ୍କ ବଡ଼ ପ୍ଲାନ

ପାକିସ୍ତାନରେ ପ୍ରଦେଶ ପୁନର୍ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍‌ ଅସୀମ ମୁନିର ଦେଶର ଚାରିଟି ବଡ଼ ପ୍ରଦେଶକୁ ଅନେକ ଛୋଟ ପ୍ରଦେଶରେ ବିଭକ୍ତ କରିବା ସପକ୍ଷରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଯାହା ପରେ ପାକିସ୍ତାନରେ ବର୍ତ୍ତମାନ ଥିବା ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇପାରେ। ତେବେ ଏହା ଏଯାଏଁ ଚୂଡ଼ାନ୍ତ ସରକାରୀ ନିଷ୍ପତ୍ତି ନୁହେଁ।

କେଉଁ ୪ଟି ପ୍ରଦେଶକୁ ଭାଗ କରିବା ନେଇ ଚର୍ଚ୍ଚା?

ବର୍ତ୍ତମାନ ପାକିସ୍ତାନରେ ଚାରିଟି ପ୍ରମୁଖ ପ୍ରଦେଶ ରହିଛି। ପଞ୍ଜାବ: ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ପ୍ରଦେଶ। ସିନ୍ଧ: କରାଚୀ ଭଳି ଗୁରୁତ୍ୱପୂର୍ଣ୍ଣ ସହର ଥିବା ପ୍ରଦେଶ। ଖାଇବର ପଖତୁନଖ୍ୱା: ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ପ୍ରମୁଖ ପ୍ରଦେଶ। ବଲୁଚିସ୍ତାନ: ଆୟତନ ଦୃଷ୍ଟିରୁ ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଚାରିଟି ପ୍ରଦେଶକୁ ଭାଗ କରି ୧୨ରୁ ୧୫ଟି ନୂଆ ପ୍ରଦେଶ ଗଠନ କରିବା ଭଳି ପ୍ରସ୍ତାବ ଉପରେ ଚର୍ଚ୍ଚା ହେଉଛି। ଏପରିକି ଅଧିକ ସଂଖ୍ୟକ ଛୋଟ ପ୍ରଶାସନିକ ଅଞ୍ଚଳ ଗଠନର ମଧ୍ୟ ଆଲୋଚନା ଚାଲିଛି। କିନ୍ତୁ କେଉଁ ଅଞ୍ଚଳକୁ ଭାଗ କରାଯିବ ଏବଂ ନୂଆ ପ୍ରଦେଶର ସୀମା କିପରି ନିର୍ଦ୍ଧାରଣ ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

‘ଭାଗ କର, ଶାସନ କର’ ରଣନୀତି କ’ଣ?

ଏହି ପ୍ରସ୍ତାବକୁ ନେଇ ମୁଖ୍ୟ ବିବାଦ ହେଉଛି ଏହାର ଉଦ୍ଦେଶ୍ୟକୁ ନେଇ। ସମର୍ଥକଙ୍କ ମତରେ, ବଡ଼ ପ୍ରଦେଶଗୁଡ଼ିକୁ ଛୋଟ ଅଞ୍ଚଳରେ ବିଭକ୍ତ କଲେ ପ୍ରଶାସନିକ କାର୍ଯ୍ୟ ସହଜ ହେବ ଏବଂ ଲୋକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ସୁବିଧାଜନକ ହେବ। କିନ୍ତୁ ସମାଲୋଚକଙ୍କ ଆଶଙ୍କା ହେଉଛି, ଏହି ପୁନର୍ଗଠନ ଦ୍ୱାରା ପ୍ରଦେଶଗୁଡ଼ିକର ରାଜନୈତିକ ପ୍ରଭାବ ଦୁର୍ବଳ ହୋଇପାରେ। ଛୋଟ ପ୍ରଦେଶ ଗଠନ ହେଲେ ସେମାନଙ୍କର ନିଜସ୍ୱ ରାଜନୈତିକ ନେତୃତ୍ୱ ଓ କ୍ଷମତାର ପରିସର ବଦଳିପାରେ। ଫଳରେ କେନ୍ଦ୍ର ସରକାର ଓ ସେନା ପ୍ରତିଷ୍ଠାନ ପାଇଁ ଏହି ଅଞ୍ଚଳଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିବା ସହଜ ହୋଇପାରେ। ଏହି ଆଶଙ୍କାକୁ ନେଇ ଏହାକୁ ‘ଡିଭାଇଡ୍ ଆଣ୍ଡ୍ ରୁଲ୍‌’ ବା ‘ଭାଗ କର, ଶାସନ କର’ ରଣନୀତି ବୋଲି କୁହାଯାଉଛି। 

ପାକିସ୍ତାନର ରାଜନୀତିରେ ପଞ୍ଜାବ ଓ ସିନ୍ଧର ବିଶେଷ ଗୁରୁତ୍ୱ ରହିଛି। ପଞ୍ଜାବରେ ଦେଶର ଅଧାରୁ ଅଧିକ ଜନସଂଖ୍ୟା ବାସ କରୁଥିବାରୁ ଏହାର ରାଜନୈତିକ ପ୍ରଭାବ ଅତ୍ୟନ୍ତ ଅଧିକ। ସେହିପରି ସିନ୍ଧ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଏକ ପ୍ରମୁଖ ରାଜନୈତିକ ଆଧାର।

ଏହି ପ୍ରଦେଶଗୁଡ଼ିକର କ୍ଷମତା ଓ ରାଜନୈତିକ ପ୍ରଭାବକୁ ଛୋଟ ଅଞ୍ଚଳରେ ବାଣ୍ଟି ଦିଆଗଲେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ କମିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହା କେବଳ ପ୍ରଶାସନିକ ପୁନର୍ଗଠନର ପ୍ରସଙ୍ଗ ନୁହେଁ; ଏହା ପାକିସ୍ତାନର କ୍ଷମତା ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିପାରେ।

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ କିମ୍ବା ପ୍ରଶାସନିକ ଅଞ୍ଚଳର ପୁନର୍ଗଠନ ନେଇ ପୂର୍ବରୁ ମଧ୍ୟ ଆଲୋଚନା ହୋଇଛି। ପାକିସ୍ତାନର ଯୋଜନା ଓ ଉନ୍ନୟନ ମନ୍ତ୍ରୀ ଅହସାନ ଇକବାଲ୍‌ ୧୨ରୁ ୧୫ଟି ପ୍ରଦେଶ ଗଠନର ସମ୍ଭାବନା ଉପରେ ଜାତୀୟ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ପ୍ରାୟ ୧୬୦ଟି ଜିଲ୍ଲାସ୍ତରୀୟ ପ୍ରଶାସନିକ ସଂସ୍ଥାକୁ ଅଧିକ କ୍ଷମତା ଦେବା ଉପରେ ପ୍ରସ୍ତାବ ଦେଇଥିଲେ।

ପାକିସ୍ତାନର ସମ୍ବିଧାନ ଅନୁଯାୟୀ, କୌଣସି ପ୍ରଦେଶର ସୀମା ପରିବର୍ତ୍ତନ କରିବା ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ। ସମ୍ବିଧାନର ଧାରା ୨୩୯(୪) ଅନୁଯାୟୀ, ସମ୍ପୃକ୍ତ ପ୍ରଦେଶର ବିଧାନସଭାର ମୋଟ ସଦସ୍ୟଙ୍କ ଅତି କମ୍‌ରେ ଦୁଇ-ତୃତୀୟାଂଶଙ୍କ ସମର୍ଥନ ମିଳିବା ଆବଶ୍ୟକ। ତେଣୁ ସେନାମୁଖ୍ୟଙ୍କ ଇଚ୍ଛାରେ ଏପରି ପରିବର୍ତ୍ତନ କରିବା ସମ୍ଭବ ନୁହେଁ; ଏଥିପାଇଁ ଆଇନଗତ ପ୍ରକ୍ରିୟା ଓ ରାଜନୈତିକ ସହମତି ଦରକାର।

ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (PTI)ର ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍‌ ମଧ୍ୟ ତରବରିଆ ନିଷ୍ପତ୍ତି ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିପାରେ ବୋଲି ସତର୍କ କରିଥିଲେ। ଅନ୍ୟପକ୍ଷରେ, ସରକାରୀ ମହଲରେ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲେ ମଧ୍ୟ ଏହାର ରୂପରେଖ ଓ କାର୍ଯ୍ୟକାରିତା ନେଇ ସହମତି ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।