Munna Bhai MBBS in Real Life: ନକଲି ଡାକ୍ତରଙ୍କ ଅସଲି ଖେଳ, ଚଲାଉଥିଲେ ୧୦୦ ବେଡ୍‌ର ହସ୍ପିଟାଲ

Oct 16, 2026 - 19:09
Munna Bhai MBBS in Real Life: ନକଲି ଡାକ୍ତରଙ୍କ ଅସଲି ଖେଳ, ଚଲାଉଥିଲେ ୧୦୦ ବେଡ୍‌ର ହସ୍ପିଟାଲ

ଫିଲ୍ମରେ ଦେଖିଥିବେ ‘ମୁନ୍ନାଭାଇ MBBS’ର କାହାଣୀ। କିନ୍ତୁ ଏଠି ରିଲ୍ ନୁହେଁ, ରିଅଲ୍ ଲାଇଫ୍‌ରେ ସାମ୍ନାକୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା, ଯାହା ଶୁଣିଲେ ଆପଣ ବି ହୋଇଯିବେ ତାଜୁବ। ଅଷ୍ଟମ ଶ୍ରେଣୀ ପାସ୍‌ କରିଥିବା ଜଣେ ବ୍ୟକ୍ତି ନକଲି ଡିଗ୍ରୀ ଦେଖାଇ ଡାକ୍ତର ସାଜିବା ସହ ପ୍ରାୟ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଚଲାଉଥିବା ଅଭିଯୋଗ ହୋଇଛି। ଏତିକି ନୁହେଁ, ସେ ନିଜେ ଏକାଧିକ ଅସ୍ତ୍ରୋପଚାର କରିଥିବା ମଧ୍ୟ ଅଭିଯୋଗ ରହିଛି। ରାଜସ୍ଥାନରୁ ଆସିଥିବା ଏହି ଘଟଣା ଏବେ ଚର୍ଚ୍ଚାରେ।

ଘଟଣାଟି ରାଜସ୍ଥାନର ଜାଲୋର ଜିଲ୍ଲା ରାଣୀୱାଡ଼ା ଅଞ୍ଚଳର। ଏଠାରେ ଭାସ୍କର ହସ୍ପିଟାଲ ଚଳାଉଥିବା ନାନଜୀରାମ ଚୌଧୁରୀଙ୍କ ଉପରେ ନକଲି ଶିକ୍ଷାଗତ ପ୍ରମାଣପତ୍ର ବ୍ୟବହାର କରି ଡାକ୍ତର ସାଜିଥିବା ଅଭିଯୋଗ ହୋଇଛି। ତାଙ୍କର ଦଶମ, ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌ଠାରୁ ଆରମ୍ଭ କରି MBBS ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ ଡିପ୍ଲୋମା ପର୍ଯ୍ୟନ୍ତ ପ୍ରମାଣପତ୍ର ନକଲି ବୋଲି ଅଭିଯୋଗ ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ନାନଜୀରାମ ଦିନେ ସେହି ହସ୍ପିଟାଲର OPD କାଉଣ୍ଟରରେ ରୋଗୀଙ୍କ ପାଇଁ ପଞ୍ଜୀକରଣ ଚିଠା କାଟିବା କାମ କରୁଥିଲେ। କିନ୍ତୁ କିଛି ବର୍ଷ ପରେ ସେହି ହସ୍ପିଟାଲର ମାଲିକ ହୋଇଗଲେ। ଏବେ ତାଙ୍କ ଡାକ୍ତରୀ ଯୋଗ୍ୟତା ଏବଂ ହସ୍ପିଟାଲରେ କରାଯାଇଥିବା ଅସ୍ତ୍ରୋପଚାରକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଏହି ମାମଲାରେ ପଙ୍କଜ ଯାଦବ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅଭିଯୁକ୍ତ। ସେ କାଜାଖସ୍ତାନରୁ MBBS ପଢ଼ିଥିଲେ, କିନ୍ତୁ ଭାରତରେ ଡାକ୍ତରୀ ଅଭ୍ୟାସ କରିବା ପାଇଁ ଆବଶ୍ୟକ FMGE ପରୀକ୍ଷାରେ ଛଅ ଥର ବିଫଳ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ପରେ ସେ ନକଲି MBBS ଡିଗ୍ରୀର ସାହାଯ୍ୟ ନେଇଥିଲେ।

ଏହି ଦୁଇ ଅଭିଯୁକ୍ତଙ୍କୁ ରାଜସ୍ଥାନ ପୋଲିସର SOG ଗିରଫ କରିଛି। ଏବେ ଏହି ନକଲି ଡାକ୍ତର ନେଟୱର୍କର ଚେର କେତେ ଦୂର ଲମ୍ବିଛି ଏବଂ ରୋଗୀଙ୍କ ଜୀବନକୁ କେତେ ବିପଦରେ ପକାଯାଇଛି, ସେନେଇ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।