Murder Mystery Surrounds IPS Officer’s Mother’s Death: IPS ଅଫିସରଙ୍କ ୯୫ ବର୍ଷୀୟା ମାଆଙ୍କୁ ହତ୍ୟା, ଦେହରୁ ଖୋଲି ନେଇଛନ୍ତି ସୁନାଗହଣା
IPS ଅଫିସରଙ୍କ ମା’ଙ୍କୁ ହତ୍ୟା । ଘରେ ପଶି ୯୫ ବର୍ଷୀୟା ବୃଦ୍ଧାଙ୍କୁ ମର୍ଡର । ମାରିବା ପରେ ଗହଣା ଲୁଟିନେଲେ ଦୁର୍ବୃତ୍ତ । ଉତ୍ତର ପ୍ରଦେଶର ଆମ୍ବେଦକର ନଗରରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର । ଜଣେ IPS ଅଫିସରଙ୍କ ୯୫ ବର୍ଷୀୟା ମା’ ଇନ୍ଦ୍ରାବତୀଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରୁ ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି ।
ରୁଧା ଧାମରୁଆ ଗାଁରେ ଏକାକୀ ରହୁଥିଲେ ଇନ୍ଦ୍ରାବତୀ । ସେ ୨୦୧୬ ବ୍ୟାଚର IPS ଅଧିକାରୀ ଆଶୁତୋଷ ମିଶ୍ରଙ୍କ ମାଆ । ରବିବାର ସକାଳ ପ୍ରାୟ ୯ଟାରେ ତାଙ୍କ ଘରୋଇ ସହାୟିକା ଘର ଭିତରେ ଇନ୍ଦ୍ରାବତୀଙ୍କ ମୃତଦେହ ଦେଖିଥିଲେ । ପରେ ସେ ଆଶୁତୋଷଙ୍କୁ ଏକଥା ଜଣାଇଥିଲେ ।
IPS ଆଶୁତୋଷ ମିଶ୍ର ବର୍ତ୍ତମାନ ଲକ୍ଷ୍ନୌରେ କାର୍ଯ୍ୟରତ । ଖବର ପାଇ ସେ ରବିବାର ଅପରାହ୍ନରେ ଗାଁରେ ପହଞ୍ଚିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ମାଆଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ । ତାଙ୍କ ଶରୀରରେ କୌଣସି ସୁନାଗହଣା ନଥିଲା । ପରିବାରର ସନ୍ଦେହ, ଶନିବାର ରାତିରେ ଚୋରମାନେ ଘରେ ପଶି ଅଳଙ୍କାର ଲୁଟିବା ପୂର୍ବରୁ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ।
ଗାଁ ଘରେ ଏକୁଟିଆ ରହୁଥିଲେ ଆଶୁତୋଷଙ୍କ ମାଆ ଇନ୍ଦ୍ରାବତୀ । ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଘଟଣା ଉତ୍ତର ପ୍ରଦେଶର ଆଇନଶୃଙ୍ଖଳା ନେଇ ପୁଣି ପ୍ରଶ୍ନ ଉଠାଇଛି ।
ପୋଲିସର କହିବା ଅନୁସାରେ, ପ୍ରଥମେ ଇନ୍ଦ୍ରାବତୀଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ସୂଚନା ମିଳିଥିଲା । ପରେ ହତ୍ୟା ସନ୍ଦେହ ହେବାରୁ ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଥିଲେ । ବର୍ତ୍ତମାନ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ହେଲେ ବୃଦ୍ଧାଙ୍କ ଶରୀରରେ କୌଣସି ଆଘାତ କିମ୍ବା ଚିହ୍ନ ନଥିବା ପୋଲିସ କହିଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗକୁ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।