Explosion at Military Base: ଭୟଙ୍କର ବିସ୍ଫୋରଣ; ୧୦ରୁ ଅଧିକ ମୃତ, ଅନେକ ଆହତ
ବୋଲିଭିଆର ପଶ୍ଚିମାଞ୍ଚଳ ସହର ଭିଆଚାରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୦ରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୫୮ ଜଣ ଆହତ ହୋଇଛନ୍ତି।
ରାଜଧାନୀ ଲା ପାଜ୍ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଭିଆଚା ସହରର ଏହି ସାମରିକ କମ୍ପ୍ଲେକ୍ସରେ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୨ଟା ୩୦ରେ ବିସ୍ଫୋରଣ ଘଟିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡ଼ିତ ଆତସବାଜି ଓ ପାଇରୋଟେକ୍ନିକ୍ ସାମଗ୍ରୀ ରଖାଯାଇଥିବା ଏକ ସ୍ଥାନରୁ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ତଦନ୍ତ ଜାରି ରହିଛି।
ବୋଲିଭିଆର ପ୍ରତିରକ୍ଷା ମନ୍ତ୍ରୀ ଏର୍ନେଷ୍ଟୋ ଜଷ୍ଟିନିଆନୋଙ୍କ ସୂଚନା ଅନୁସାରେ, ଆହତଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ। ଅନେକ ଆହତଙ୍କୁ ଚିକିତ୍ସା ପାଇଁ ଲା ପାଜ୍ର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ନିକଟବର୍ତ୍ତୀ ଅନେକ ଘରର ଝରକା କାଚ ଭାଙ୍ଗିଯାଇଥିବା ସହ ଅନ୍ୟାନ୍ୟ କ୍ଷୟକ୍ଷତି ମଧ୍ୟ ଘଟିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ଚିକିତ୍ସା ଦଳ ଓ ପୋଲିସ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚଳାଇଛନ୍ତି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସ୍ଥାନୀୟ ଲୋକଙ୍କୁ ଘଟଣାସ୍ଥଳଠାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।