MV Ocean Winner Missing: ସମୁଦ୍ର ଭିତରେ ଚାଲିଛି ତଲାସି! MV Ocean Winner କେଉଁଠି, ୨୨ ଜଣଙ୍କର କ’ଣ ହେଲା?
ବଙ୍ଗୋପସାଗରରେ ଚାଲିଛି ତନାଘନା। କାର୍ଗୋ ଜାହାଜକୁ ଖୋଜୁଛି ଭାରତୀୟ ସେନା। କେଉଁଠି ବୁଡ଼ିଛି MV Ocean Winner ? ଜାହାଜ ବୁଡ଼ିବା ସ୍ଥାନର ଗଭୀରତା କେତେ? ଏସବୁ ଦିଗକୁ ଦୃଷ୍ଟିରେ ରଖି ଏବେ ସମୁଦ୍ର ଭିତରେ ଜୋରଦାର ଅପରେସନ୍ ଜାରି ରହିଛି। ଭାରତୀୟ ତଟରକ୍ଷୀ ବାହିନୀ ସହ ଚୀନ୍ର ଦୁଇଟି ଜାହାଜ ‘ଏମଭି ଓସେନ୍ ୱିନର୍’କୁ ସମୁଦ୍ର ଭିତରେ ଖୋଜା ଖୋଜି କରୁଛନ୍ତି। ଫଳରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା କାର୍ଗୋ ଜାହାଜ ‘ଏମଭି ଓସେନ୍ ୱିନର୍’ର ସନ୍ଧାନ ଅଭିଯାନ ଆହୁରି ତୀବ୍ର ହୋଇଛି। ଏହି ଅଭିଯାନ ମଧ୍ୟରେ ଜାହାଜର ଏକ ଲାଇଫ୍ ବୋଟ୍ ଠାବ ହେବା ଘଟଣା ନୂଆ ଆଶା ସୃଷ୍ଟି କରିଛି।
ଲାଇଫ୍ ବୋଟ୍ରୁ କୌଣସି ଜୀବିତ ବ୍ୟକ୍ତି ମିଳିନଥିବାରୁ ଉଦ୍ଧାର ଅଭିଯାନ ଆହୁରି ଚିନ୍ତା ବଢ଼ାଇଛି। ଗଭୀର ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ବରାଡ’ ଏହି ଲାଇଫ୍ ବୋଟ୍କୁ ଚିହ୍ନଟ କରିଥିଲା। ପରେ ଏକ ବୋର୍ଡିଂ ଟିମ୍ ଲାଇଫ୍ ବୋଟ୍ରେ ପହଞ୍ଚି ଯାଞ୍ଚ କରିଥିଲେ। ସେଠାରୁ ଏକ ଜରୁରୀକାଳୀନ ବିକନ୍ ମଧ୍ୟ ଉଦ୍ଧାର ହୋଇଛି। ଯାଞ୍ଚ ପରେ ଏହି ବିକନ୍ ‘ଏମଭି ଓସେନ୍ ୱିନର୍’ ସହ ସମ୍ପୃକ୍ତ ବୋଲି ନିଶ୍ଚିତ ହୋଇଛି। ଅନ୍ୟପଟେ, ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ପୂର୍ବରୁ ମାତ୍ର ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ଅନ୍ୟ ୨୨ ଜଣଙ୍କ ସନ୍ଧାନରେ ବ୍ୟାପକ ଅଭିଯାନ ଚାଲିଛି। ଭାରତୀୟ ତଟରକ୍ଷୀ ବାହିନୀ ସହ ଚୀନ୍ର ଦୁଇଟି ଜାହାଜ ମଧ୍ୟ ସର୍ଚ୍ଚ ଅପରେସନ୍ରେ ସାମିଲ ହୋଇଛି। ଅଧିକ ଦୂର ପର୍ଯ୍ୟନ୍ତ ତଲାସି ପାଇଁ ‘ବିଜିତ’ ବଦଳରେ ‘ବିଶ୍ୱସ୍ତ’କୁ ଅଭିଯାନରେ ନିୟୋଜିତ କରାଯାଇଛି।
ଆକାଶମାର୍ଗରୁ ଖୋଜାଖୋଜି ସମୟରେ ନୌସେନାର ଏକ ବିମାନ ବିପଦ ସଙ୍କେତ ଚିହ୍ନଟ କରିଥିଲା। ଏହାପରେ ‘ବରାଡ’କୁ ସେହି ଅଞ୍ଚଳକୁ ପଠାଯାଇଥିଲା। ଲାଇଫ୍ ବୋଟ୍ ମିଳିଥିବାରୁ ଜାହାଜର ଅବସ୍ଥାନ ସମ୍ପର୍କରେ କିଛି ସୁରାଗ ମିଳିବ ବୋଲି ଆଶା କରାଯାଉଛି। ନିଖୋଜ ୨୨ ଜଣଙ୍କୁ ଖୋଜିବା ପାଇଁ ସମୁଦ୍ରରେ ଅବିରତ ଭାବେ ସନ୍ଧାନ ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।