Mystery Deepens: ନଦୀରୁ ମିଳିଲା ବାଂଲାଦେଶ ବାୟୁସେନା ଅଧିକାରୀଙ୍କ ମୃତଦେହ, ଶେଖ୍ ହସିନାଙ୍କ ଭିଡିଓକୁ ନେଇ ହତ୍ୟା ସନ୍ଦେହ!
ବାଂଲାଦେଶର ତୁରାଗ ନଦୀରୁ ମିଳିଲା ବାୟୁସେନାର ପୂର୍ବତନ ଫ୍ଲାଇଟ୍ ଲେଫ୍ଟନାଣ୍ଟ କେ.ଏମ୍.
ତହସିଫ୍ ସୌରୀଙ୍କ ମୃତଦେହ।
ମାତ୍ର ୨୮ ବର୍ଷ ବୟସରେ ତାଙ୍କର ଏଭଳି ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାଇବା ସମୟର ଭିଡିଓ ସହ ତାଙ୍କ ନାମ ଯୋଡ଼ି ହୋଇଥିବାରୁ ଘଟଣାଟି ଏବେ ଚର୍ଚ୍ଚାରେ।
Advertisment ସୂଚନା ଅନୁସାରେ, ଅକ୍ଟୋବର ୨୭ ତାରିଖ ସନ୍ଧ୍ୟାରେ ସୌରୀ ଘରୁ ବାହାରିଥିଲେ।
ଜଣେ ବନ୍ଧୁ ତାଙ୍କୁ ତଳକୁ ଡାକିଥିବା କୁହାଯାଉଛି।
ହେଲେ ଏହା ପରେ ସେ ଆଉ ଘରକୁ ଫେରିନଥିଲେ।
ରାତି ୧ଟା ୩୫ ମିନିଟ୍ରେ ସେ ନିଜ ମାଆଙ୍କୁ ମେସେଜ୍ କରି କହିଥିଲେ, “ମାଆ, ମୁଁ ଆସୁଛି।” ତା'ପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରିନଥିଲା।
ଶେଷରେ ନଦୀରୁ ମିଳିଲା ତାଙ୍କ ମୃତଦେହ।
ହସିନାଙ୍କ ଭିଡିଓ ପାଇଁ ହତ୍ୟା ଅଭିଯୋଗ!
୨୦୨୪ ଅଗଷ୍ଟ ୫ରେ ବାଂଲାଦେଶରେ ବ୍ୟାପକ ଜନଆନ୍ଦୋଳନ ପରେ ଶେଖ୍ ହସିନା ଦେଶ ଛାଡ଼ିଥିଲେ।
ସେ ଏକ ସାମରିକ ବିମାନରେ ଦେଶ ଛାଡ଼ି ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଏହି ଭିଡିଓ ରେକର୍ଡ କିମ୍ବା ପ୍ରସାର କରିବା ଘଟଣାରେ ସୌରୀଙ୍କ ନାମ ସାମ୍ନାକୁ ଆସିଥିବା ରିପୋର୍ଟ ପ୍ରକାଶ ପାଇଥିଲା।
Advertisment ସୌରୀଙ୍କ ସମ୍ପର୍କୀୟ ଭଉଣୀ ମୋଶଫେକା ଜାହାନ୍ ଫେସବୁକ୍ରେ ଏକ ପୋଷ୍ଟ କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।
ଭିଡିଓ ପ୍ରସାର ସହ ଜଡ଼ିତ ଥିବାରୁ ସୌରୀଙ୍କୁ ମାନସିକ ଭାବେ ନିର୍ଯାତନା ଦିଆଯାଉଥିଲା ବୋଲି ସେ ଦାବି କରିଛନ୍ତି।
ତାଙ୍କ କହିବା ଅନୁସାରେ, ଭିଡିଓଟି ସୌରୀ ନିଜେ ରେକର୍ଡ କରିନଥିଲେ; ଅନ୍ୟ ଜଣେ ଅଧିକାରୀ ରେକର୍ଡ କରିଥିବା ଭିଡିଓକୁ ସେ କେବଳ ସେୟାର କରିଥିଲେ।
ମୃତ୍ୟୁ ପଛରେ କ'ଣ ରହସ୍ୟ?
ରିପୋର୍ଟ ଅନୁସାରେ, ୨୦୨୫ ଅଗଷ୍ଟରେ ସୌରୀଙ୍କୁ ବାୟୁସେନାରୁ ଅବସର ଦିଆଯାଇଥିଲା।
ସଂସ୍ଥାର ନିୟମ ଅନୁସାରେ ସାଧାରଣ ପ୍ରକ୍ରିୟାରେ ତାଙ୍କୁ ଅବସର ଦିଆଯାଇଥିବା ବାୟୁସେନାର ଜନସମ୍ପର୍କ ବିଭାଗ କହିଥିବା ଜଣାପଡ଼ିଛି।
ଅନ୍ୟପଟେ, ପୁଲିସ ତାଙ୍କ ମୃତଦେହ ମିଳିଥିବା ସ୍ପଷ୍ଟ କରିଛି।
ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି।
ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା—ଏଯାଏଁ ସ୍ପଷ୍ଟ ହୋଇନାହିଁ।
ତେଣୁ ହସିନାଙ୍କ ଭିଡିଓ ଓ ସୌରୀଙ୍କ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।