Nabarangpur Success Story: ଲକ୍ଷାଧିକ ଦରମାର ଆଇଟି ଚାକିରି ଛାଡ଼ି ଛତୁ ଚାଷ; ବର୍ଷକୁ ୪୦ ଲକ୍ଷରୁ ଅଧିକ ଆୟ

Oct 02, 2026 - 18:48
Nabarangpur Success Story: ଲକ୍ଷାଧିକ ଦରମାର ଆଇଟି ଚାକିରି ଛାଡ଼ି ଛତୁ ଚାଷ; ବର୍ଷକୁ ୪୦ ଲକ୍ଷରୁ ଅଧିକ ଆୟ

ନାମୀ ସଫ୍ଟୱେର କମ୍ପାନୀର ଚାକିରି, ଲକ୍ଷାଧିକ ଟଙ୍କାର ମାସିକ ଦରମା। କିନ୍ତୁ ସବୁ ଛାଡ଼ି ନିଜ ଜିଲ୍ଲାକୁ ଫେରି ଛତୁ ଚାଷକୁ ବାଛିଲେ ଯୁବ ଇଞ୍ଜିନିୟର। ଆଜି ନିଜେ ଲକ୍ଷାଧିକ ଟଙ୍କା ଆୟ କରିବା ସହ ୨୪ ଜଣଙ୍କୁ ସ୍ଥାୟୀ ରୋଜଗାର ଦେଇଛନ୍ତି।

ଏହି ସଫଳ ଯୁବ କୃଷି ଉଦ୍ୟୋଗୀ ହେଲେ ନବରଙ୍ଗପୁର ସହର ଦଳାଇ ସାହିର ବିକ୍ରମଦେବ ମହାପାତ୍ର। ଆଧୁନିକ ପ୍ରଣାଳୀରେ ବଟନ ଛତୁ ଉତ୍ପାଦନ କରି ସେ ଏବେ ଜିଲ୍ଲାରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

୧୪ ବର୍ଷର ଆଇଟି କ୍ୟାରିୟର ପରେ କୃଷି ଉଦ୍ୟୋଗ

ବିକ୍ରମଦେବ ପ୍ରାୟ ୧୪ ବର୍ଷ ଧରି ଆଇଟି ସେକ୍ଟରରେ କାମ କରୁଥିଲେ। କୋଭିଡ୍ ସମୟରେ ଘରୁ କାମ କରୁଥିବା ବେଳେ ତାଙ୍କ ମନରେ ନିଜ ଅଞ୍ଚଳରେ କିଛି ନୂଆ କରିବାର ଭାବନା ଆସିଥିଲା। ପରେ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ସହାୟତାରେ ନବରଙ୍ଗପୁର ସହର ଉପକଣ୍ଠ ଅଗ୍ନିପୁରରେ ସେ ବଟନ ଛତୁ ୟୁନିଟ୍ ଆରମ୍ଭ କରିଥିଲେ। ପ୍ରାୟ ୩ କୋଟି ଟଙ୍କା ନିବେଶରେ ଗଢ଼ିଉଠିଥିବା ଏହି ୟୁନିଟ୍‌ରେ ରହିଛି ୬ଟି ଆଧୁନିକ ଚାମ୍ବର।

ପ୍ରତିମାସ ୧୫ ଟନ୍ ବଟନ ଛତୁ

ୟୁନିଟ୍‌ର ତିନୋଟି ଚାମ୍ବରରୁ ପ୍ରତିମାସ ପ୍ରାୟ ୧୫ ଟନ୍ ବଟନ ଛତୁ ଉତ୍ପାଦନ ହେଉଛି। ଛତୁ ଉତ୍ପାଦନ ପାଇଁ ପ୍ରାୟ ୭୦ରୁ ୮୦ ଦିନ ସମୟ ଲାଗୁଛି। ଅମଳ ପରେ ସଙ୍ଗେସଙ୍ଗେ ପ୍ୟାକିଂ କରାଯାଉଥିବା ବେଳେ ତାଜାପଣ ବଜାୟ ରଖିବାକୁ କୁଲିଂ ବ୍ୟବସ୍ଥା ମଧ୍ୟ ରହିଛି। ଏହା ଫଳରେ ଛତୁକୁ ଦୀର୍ଘ ସମୟ ଭଲ ରଖିବା ସହ ବଜାରକୁ ଗୁଣବତ୍ତା ଅବିକୃତ ଅବସ୍ଥାରେ ପହଞ୍ଚାଯାଉଛି।

ବର୍ଷକୁ ୪୦ ଲକ୍ଷରୁ ଅଧିକ ଆୟ

ନବରଙ୍ଗପୁର ବଜାରରେ ବଟନ ଛତୁ କେଜି ପିଛା ପ୍ରାୟ ୧୧୦ରୁ ୧୨୦ ଟଙ୍କାରେ ହୋଲସେଲ୍ ବିକ୍ରି ହେଉଛି। ସମସ୍ତ ଖର୍ଚ୍ଚ ବାଦ୍ ଦେବା ପରେ ବିକ୍ରମଦେବ ବର୍ଷକୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା କହିଛନ୍ତି। କେବଳ ନିଜ ରୋଜଗାରରେ ସୀମିତ ରହିନାହାନ୍ତି ବିକ୍ରମ। ତାଙ୍କ ପ୍ଲାଣ୍ଟରେ ୨୪ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାୟୀ ରୋଜଗାର ମିଳିଛି। ଫଳରେ ଏହି ଉଦ୍ୟୋଗ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସହାୟତା କରୁଛି।

ଯେଉଁଠି ବାହାରୁ ଆସୁଥିଲା ଛତୁ, ଏବେ ସେଠାରୁ ଯାଉଛି ବାହାରକୁ

ଏକ ସମୟରେ ନବରଙ୍ଗପୁର ବଟନ ଛତୁ ପାଇଁ ଅନ୍ୟ ଜିଲ୍ଲା ଓ ରାଜ୍ୟ ଉପରେ ନିର୍ଭର କରୁଥିଲା। ଏବେ ବିକ୍ରମଦେବଙ୍କ ୟୁନିଟ୍‌ରୁ ଉତ୍ପାଦିତ ଛତୁ ଜିଲ୍ଲା ବାହାରକୁ ମଧ୍ୟ ପଠାଯାଉଛି।

ଆଇଟିରୁ ଏଗ୍ରିକଲଚର, ଇଞ୍ଜିନିୟରରୁ କୃଷି ଉଦ୍ୟୋଗୀ—ବିକ୍ରମଦେବଙ୍କ ଏହି ଯାତ୍ରା ଏବେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛି। ଚାକିରି ହିଁ ସଫଳତାର ଏକମାତ୍ର ରାସ୍ତା ନୁହେଁ, ନୂଆ ଚିନ୍ତାଧାରା ଓ ଯୋଜନାବଦ୍ଧ ଉଦ୍ୟମ ଦ୍ୱାରା କୃଷି କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ହାସଲ କରାଯାଇପାରେ—ତାହା ପ୍ରମାଣ କରିଛନ୍ତି ବିକ୍ରମଦେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।