Nana Patekar Left Films To Serve In Army: ପ୍ରକୃତ ଦେଶପ୍ରେମୀ ଥିଲେ ନାନା, କାର୍ଗିଲ ଯୁଦ୍ଧରେ ଯୋଗ ଦେବାକୁ ଛାଡିଥିଲେ ଫିଲ୍ମ
ଦିବଂଗତ ଅଭିନେତା ନାନା ପାଟେକର କେବଳ ଜଣେ ଦମଦାର ଅଭିନେତା ନଥିଲେ, ବରଂ ଜଣେ ପ୍ରକୃତ ଦେଶପ୍ରେମୀ ମଧ୍ୟ ଥିଲେ। ଅଭିନୟ ପ୍ରତି ତାଙ୍କର ନିଷ୍ଠା ତାଙ୍କୁ ଭାରତୀୟ ସେନା ସହିତ ଯୋଡ଼ି ହେବାକୁ ପ୍ରେରଣା ଦେଇଥିଲା।
୧୯୯୧ ମସିହାରେ ଆସିଥିବା ଚଳଚ୍ଚିତ୍ର 'ପ୍ରହାର'ରେ ଜଣେ ଆର୍ମି କମାଣ୍ଡୋ ଭୂମିକାରେ ଅଭିନୟ କରିବା ପାଇଁ ସେ ମରାଠା ଲାଇଟ୍ ଇନଫାଣ୍ଟ୍ରି ସହିତ ତିନି ବର୍ଷ ପର୍ଯ୍ୟନ୍ତ କଠିନ ପ୍ରଶିକ୍ଷଣ ନେଇଥିଲେ। କୌଣସି ସର୍ଟକଟ୍ ନ ନେଇ ସେ ପ୍ରକୃତ ସୈନିକ ଭଳି ତାଲିମ ନେଇଥିଲେ। ଏହି ତାଲିମ ସମୟରେ ସେନା ଜୀବନ ଓ ଯବାନଙ୍କ କଠିନ ପରିସ୍ଥିତିକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଥିଲେ।
୧୯୯୯ ମସିହାରେ ଭାରତ-ପାକିସ୍ତାନ କାର୍ଗିଲ ଯୁଦ୍ଧ ସମୟରେ ସେ ସେନାରେ ସେବା ଯୋଗାଇବା ପାଇଁ ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କୁ ଅନୁରୋଧ କରିଥିଲେ। ଅନୁମତି ପାଇବା ପରେ ସେ ନିଜର ଶିଖରରେ ଥିବା ଫିଲ୍ମ କ୍ୟାରିୟରକୁ କିଛି ଦିନ ପାଇଁ ଛାଡି ସେନାର 'କ୍ୱିକ୍ ରିଆକ୍ସନ ଟିମ୍'ରେ ଯୋଗଦେଇଥିଲେ।
ଶ୍ରୀନଗର, ଦ୍ରାସ ଏବଂ ଲେହ ଅଞ୍ଚଳରେ ସେନା ସହିତ ପ୍ରାୟ ୬୦ ଦିନ ବିତାଇଥିଲେ। ସେତେବେଳେ ତାଙ୍କର ଓଜନ ୭୬ କିଲୋଗ୍ରାମ ଥିଲା, କିନ୍ତୁ ସେଠାକାର କଠିନ ପରିସ୍ଥିତି ଓ ପରିଶ୍ରମ ଯୋଗୁଁ ଫେରିଲା ବେଳକୁ ତାଙ୍କ ଓଜନ ୫୬ କିଲୋଗ୍ରାମକୁ ଖସିଆସିଥିଲା।
କାର୍ଗିଲ୍ ଅଞ୍ଚଳର ଉଚ୍ଚ ପାହାଡ଼ିଆ ଭୂଭାଗରେ ଯବାନମାନେ କେତେ କଠିନ ପରିସ୍ଥିତିରେ ଦେଶର ସୁରକ୍ଷା କରୁଥିଲେ, ସେ ସମ୍ପର୍କରେ ନାନା ପାଟେକର ଅନେକଥର ନିଜ ଅନୁଭୂତି ବାଣ୍ଟିଥିଲେ।
ସୂଚନାଯୋଗ୍ୟ, ଭାରତୀୟ ସିନେମାର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଆଜି ସକାଳେ ଗୋଆରେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ହୋଇଛି। ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦେଇ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଏହି କିମ୍ବଦନ୍ତୀ ଅଭିନେତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅକ୍ଷୟ କୁମାର, ରିତେଶ ଦେଶମୁଖ ଏବଂ ରଜନୀକାନ୍ତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ 'ରିଅଲ୍ ହିରୋ' ଭାବେ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।