Naveen Patnaik Faces His Toughest Political Test: ୮୦ ବର୍ଷରେ ନବୀନଙ୍କ ଆଗରେ ଅସୀମ ଆହ୍ୱାନ, ବିଜେଡିକୁ କେମିତି ମିଳିବ ନୂଆ ଜୀବନ?

Oct 17, 2026 - 18:24
Naveen Patnaik Faces His Toughest Political Test: ୮୦ ବର୍ଷରେ ନବୀନଙ୍କ ଆଗରେ ଅସୀମ ଆହ୍ୱାନ, ବିଜେଡିକୁ କେମିତି ମିଳିବ ନୂଆ ଜୀବନ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଅର୍ଥାତ୍ ଅକ୍ଟେବର ୧୬ ତାରିଖ ଦିନ ଅଶୀ ବର୍ଷରେ ପଦାର୍ପଣ କରିଛନ୍ତି ।  ଓଡ଼ିଶା ରାଜନୀତିର ଏହି ଅନ୍ୟତମ ପ୍ରଭାବଶାଳୀ ନେତା ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଡୋରି ଧରିଥିଲେ । ସେଥିପାଇଁ ସେ କେବଳ ନିଜ  ରାଜ୍ୟରେ କାହିଁକି, ସମଗ୍ର ଦେଶରେ ବେଶ୍ ସ୍ୱତନ୍ତ୍ର ସ୍ୱୀକୃତି ପାଇଥାଆନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା ଏବଂ ବିଜେପି ନେତାଙ୍କ ନବୀନ ନିବାସ ଯିବା ଏହି ଅଭିଜ୍ଞ ନେତାଙ୍କ ପ୍ରତି ରାଜନୈତିକ ସମ୍ମାନକୁ ପ୍ରତିଫଳିତ କରୁଛି। କିନ୍ତୁ ରାଜନୈତିକ ସୌଜନ୍ୟକୁ ରାଜନୈତିକ ଶକ୍ତି ସହ ଏକ କରି ଦେଖିବା ଠିକ୍ ହେବ ନାହିଁ। ନବୀନଙ୍କ ପ୍ରକୃତ ଶକ୍ତି ଏବେ ତାଙ୍କୁ ମିଳୁଥିବା ସମ୍ମାନରେ ନୁହେଁ, ବରଂ ପରାଜିତ ବିଜେଡିକୁ ପୁଣି ଥରେ ଜନସମର୍ଥନ ହାସଲ କରିବାରେ କେତେ ସକ୍ଷମ ହେଉଛନ୍ତି, ସେଥିରେ ନିହିତ ରହିଛି।

ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ରେ ସକ୍ରିୟ ରାଜନୀତିକୁ ଆସିଥିଲେ ନବୀନ। ସେହି ବର୍ଷ ଡିସେମ୍ବରରେ ବିଜେଡି କିଛି ବିଜୁ ଅନୁଗତ ନେତାମାନଙ୍କ ଦ୍ୱାରା ଗଠନ ହୋଇଥିଲା। ୨୦୦୦ରେ ବିଜେପି ସହ ମେଣ୍ଟ କରି ସେ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲେ। ଏହା ପରେ ଲଗାତାର ପାଞ୍ଚଟି ବିଧାନସଭା ନିର୍ବାଚନରେ ବିଜେଡିକୁ ବିଜୟୀ କରାଇ ସେ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ।

ନବୀନ ନିଜକୁ ଜନସାଧାରଣରେ ଜଣେ ସ୍ୱଚ୍ଛ ରାଜନୈତିକ ବ୍ୟକ୍ତି ଭାବେ ଉପସ୍ଥାପିତ କରିବାରେ ବେଶ୍ ସଫଳ ହୋଇଥିଲେ । ଏହାଛଡ଼ା ବିଭିନ୍ନ କଲ୍ୟାଣମୂଳକ ଯୋଜନାମାନ ପ୍ରଣୟନ କରି ଏବଂ ବିରୋଧୀଙ୍କ ଦୁର୍ବଳତାକୁ ଆୟୁଧ କରି ନବୀନ ଗୋଟିଏ ପରେ ଗୋଟି ରାଜନୈତିକ ସଫଳତାର ସାଉଁଟି ଚାଲିଥିଲେ । ଦୀର୍ଘ ଶାସନ ପରେ ମଧ୍ୟ ତାଙ୍କ ବିରୋଧରେ ଜନଅସନ୍ତୋଷକୁ ନିର୍ବାଚନୀ ପରାଜୟରେ ପରିଣତ କରିବାକୁ ବିରୋଧୀମାନେ ସଫଳ ହୋଇପାରି ନଥିଲେ। କିନ୍ତୁ ୨୦୨୪ରେ ଏହି ରାଜନୈତିକ ସମୀକରଣ ବଦଳିଗଲା।  ବିଜେପି ୧୪୭ଟି ବିଧାନସଭା ଆସନରୁ ୭୮ଟି ଜିତି ସରକାର ଗଠନ କଲା। ବିଜେଡି ୫୧ଟି ଆସନରେ ସୀମିତ ରହିଲା। ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନ ମଧ୍ୟରୁ ୨୦ଟିରେ ବିଜେପି ଓ ଗୋଟିଏରେ କଂଗ୍ରେସ ବିଜୟୀ ହେଲା। ନବୀନ ନିଜେ କଣ୍ଟାବାଞ୍ଜିରୁ ପରାଜିତ ହେଲେ, ଯଦିଓ ହିଞ୍ଜିଳି ଆସନରେ ସେ ମାତ୍ର ୪ହଜାର ଭୋଟ୍ ବ୍ୟବଧାନରେ ବିଜୟ ବଜାୟ ରଖିଲେ।

ଏହା କେବଳ ସରକାର ପରିବର୍ତ୍ତନ  ନଥିଲା। ନବୀନଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଉପରେ ନିର୍ଭରଶୀଳ ଏକ ଦଳୀୟ ବ୍ୟବସ୍ଥାର ସୀମାବଦ୍ଧତା ମଧ୍ୟ ଏହି ନିର୍ବାଚନରେ ସାମ୍ନାକୁ ଆସିଲା।
ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ନବୀନ ଏବେ ବିରୋଧୀ ଦଳର ନେତା। କିନ୍ତୁ ୨୪ ବର୍ଷ ଧରି ଶାସନ କରିବା ଏବଂ କ୍ଷମତାରୁ ଦୂରରେ ରହି ଏକ ସରକାରକୁ ଚ୍ୟାଲେଞ୍ଜ କରିବା ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି।
ଶାସନ ସମୟରେ ପ୍ରଶାସନିକ କଳ ଓ ଦଳୀୟ ସଂଗଠନ ଉପରେ ନବୀନଙ୍କ ନିୟନ୍ତ୍ରଣ ତାଙ୍କୁ ଶକ୍ତିଶାଳୀ କରିଥିଲା। ଏବେ ତାଙ୍କୁ ବିଧାନସଭାରେ ସରକାରଙ୍କୁ ଘେରିବା ସହ ରାଜରାସ୍ତାରେ ଜନସମର୍ଥନ ହାସଲ କରିବାକୁ ପଡ଼ିବ। କେବଳ ବିବୃତି ଓ ପ୍ରତିବାଦ ମାଧ୍ୟମରେ ବିରୋଧୀ ରାଜନୀତିକୁ ଜୀବନ୍ତ ରଖିବା ସମ୍ଭବ ନୁହେଁ।

ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିବା ଦଳ ପାଇଁ ଆଉ ଏକ ଝଟ୍‌କା। ଏହି ଫଳାଫଳ ବିଜେଡିର ପାରମ୍ପରିକ ଭୋଟ ବ୍ୟାଙ୍କ କେତେ ସୁରକ୍ଷିତ, ତାହା ନେଇ ପ୍ରଶ୍ନ ଉଠାଇଛି।

ଛାତ୍ର ରାଜନୀତିରେ ମଧ୍ୟ ବିଜେଡିର ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ ପୂର୍ବ ପ୍ରଭାବ ବଜାୟ ରଖିବାରେ ସଫଳ ହୋଇପାରିନାହିଁ । ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏବିଭିପି ବ୍ୟାପକ ସଫଳତା ପାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଏବିଭିପି ବିସିଜେଡ଼ିକୁ ପଛରେ ପକାଇ ଜିତାପଟ ହାସଲ କରି ବିଭିନ୍ନ କ୍ୟାମ୍ପସରେ ନିଜର ଉପସ୍ଥିତି ବଢ଼ାଇଛି। ଛାତ୍ର ରାଜନୀତି କେବଳ କଲେଜ ନିର୍ବାଚନରେ ସୀମିତ ନୁହେଁ; ଏହା ଭବିଷ୍ୟତର ରାଜନୈତିକ କର୍ମୀ ଓ ନେତୃତ୍ୱ ଗଢ଼ିବାର ଏକ ମାଧ୍ୟମ। ଏହି କ୍ଷେତ୍ରରେ ପଛରେ ପଡ଼ିବା ବିଜେଡି ପାଇଁ ଦୀର୍ଘମିଆଦି ସମସ୍ୟା ସୃଷ୍ଟି କରିପାରେ।

ନବୀନଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ଦଳ ଭିତରେ ଶୃଙ୍ଖଳା ଓ ଏକତା ବଜାୟ ରଖିବା। ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ନେଇ କିଛି ବିଜେଡି ବିଧାୟକଙ୍କ ବିଦ୍ରୋହ ଦଳରେ ନବୀନଙ୍କ ନିର୍ଦ୍ଦେଶ ପ୍ରତି ପୂର୍ବଭଳି  ଆନୁଗତ୍ୟ ରହିଛି କି ନାହିଁ, ସେ ନେଇ ପ୍ରଶ୍ନ ସୃଷ୍ଟି କରିଛି। କ୍ଷମତାରେ ଥିବାବେଳେ ଦଳକୁ ଏକାଠି ରଖିବା ସହଜ। କିନ୍ତୁ କ୍ଷମତା ହରାଇବା ପରେ ନେତା ଓ କର୍ମୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼େ। ଯଦି ଏହି ସମୟରେ ଦଳୀୟ ଅସନ୍ତୋଷ ବଢ଼େ, ତେବେ ପୁନର୍ଗଠନର କାର୍ଯ୍ୟ ଅଧିକ କଷ୍ଟକର ହେବ।

ଏଥିସହ ଯୋଡ଼ି ହୋଇଛି ଉତ୍ତରାଧିକାରୀ ପ୍ରଶ୍ନ। ନବୀନଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଏତେ ପ୍ରଭାବଶାଳୀ ଥିଲା ଯେ ଦଳରେ ଦ୍ୱିତୀୟ ପିଢ଼ିର ନେତୃତ୍ୱ ବିକାଶ ନେଇ ଆଲୋଚନା ଦୀର୍ଘ ସମୟ ଧରି ପଛରେ ପଡ଼ି ରହିଥିଲା। ଏବେ କିନ୍ତୁ ବିଜେଡିକୁ ଏମିତି ନେତା ଗଢ଼ିବାକୁ ପଡ଼ିବ, ଯେଉଁମାନେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିପାରିବେ, କର୍ମୀଙ୍କୁ ସକ୍ରିୟ କରିପାରିବେ ଏବଂ ଦଳର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରାଜନୈତିକ ଦିଗ ଦେଇପାରିବେ।

ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ନବୀନଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ବିଜେପି ସରକାର ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଜନସାଧାରଣଙ୍କୁ ଆଉ ଥରେ ସୁଯୋଗ ମାଗିବା ଏବଂ ସେହି ସୁଯୋଗ ପାଇଁ ଦୃଢ଼ ଯୁକ୍ତି ଦେବା ମଧ୍ୟରେ ଫରକ ରହିଛି।

ବିଜେଡିକୁ କେବଳ ବିଜେପି ସରକାରଙ୍କ ବିଫଳତା ଦେଖାଇଲେ ଚଳିବ ନାହିଁ। ନିଜ ଶାସନ କାଳର ତ୍ରୁଟିକୁ ଚିହ୍ନଟ କରିବା ସହ ଲୋକଙ୍କ ସମସ୍ୟାର ବିକଳ୍ପ ସମାଧାନ ଦେବାକୁ ପଡ଼ିବ।
ଅନ୍ୟପଟେ ବିଜେପି ସରକାର ମଧ୍ୟ ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ବାଧ୍ୟ। ଶାସନରେ ବିଫଳତା କିମ୍ବା ଜନଅସନ୍ତୋଷ ବିଜେଡିକୁ ସୁଯୋଗ ଦେଇପାରେ। କିନ୍ତୁ ସେହି ସୁଯୋଗର ଫାଇଦା ଉଠାଇବାକୁ ବିଜେଡି ସଂଗଠିତ, ସକ୍ରିୟ ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ।

ଅଶୀ ବର୍ଷରେ ନବୀନଙ୍କ ରାଜନୈତିକ ଐତିହ୍ୟ ନେଇ ସନ୍ଦେହ ନାହିଁ। କିନ୍ତୁ ତାଙ୍କ ରାଜନୈତିକ ଭବିଷ୍ୟତ ଆଉ ସୁନିଶ୍ଚିତ ନୁହେଁ  ବୋଲି ଅନେକ ସମୀକ୍ଷକ ମନେକରନ୍ତି । ତାଙ୍କର ବୟସ ଓ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଦେଖାଦେଇପାରେ । ନବୀନଙ୍କ ପାଇଁ ଏବେ ସବୁଠୁ ବଡ଼ ପରୀକ୍ଷା ହେଉଛି, ତାଙ୍କ ନାମ ପ୍ରତି ଥିବା ଆନୁଗତ୍ୟକୁ ବିଜେଡି ପ୍ରତି ନୂଆ ଜନ ବିଶ୍ୱାସରେ ପରିଣତ କରିବା।

ଓଡ଼ିଶା ରାଜନୀତିରେ ନବୀନଙ୍କ ବିଜୟ ଆଉ ଏକ ସୁନିଶ୍ଚିତ ପରିକଳ୍ପନା ନୁହେଁ। ଆଗାମୀ ଦିନରେ ତାଙ୍କୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ନିଜ ଦଳର ପ୍ରାସଙ୍ଗିକତା ପ୍ରମାଣିତ କରିବାକୁ ପଡ଼ିବ। ଏହା କେବଳ ନବୀନଙ୍କ ବ୍ୟକ୍ତିଗତ ଲଢ଼େଇ ନୁହେଁ; ଏହା ବିଜେଡିର ଅସ୍ତିତ୍ୱ, ନେତୃତ୍ୱ ଓ ଭବିଷ୍ୟତର ମଧ୍ୟ ପରୀକ୍ଷା  ବୋଲି ସମୀକ୍ଷକମାନେ ମନେକରନ୍ତି।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।