Naveen Patnaik Writes BJP MPs: ବିଜେଡିର MMDR ପଲିଟିକ୍ସ; ସିଏମଙ୍କ ପରେ ୨୦ ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି

Aug 29, 2026 - 20:17
Naveen Patnaik Writes BJP MPs: ବିଜେଡିର MMDR ପଲିଟିକ୍ସ; ସିଏମଙ୍କ ପରେ ୨୦ ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି

ପ୍ରଥମେ ମୁଖ୍ୟମନ୍ତ୍ରୀ ଆଉ ଏହାପରେ ବିଜେପି ସାଂସଦ। MMDR ପ୍ରସଙ୍ଗରେ ଆଜି ବିଜେପିର ୨୦ ସାଂସଦଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ ନକଲେ ଇତିହାସ କ୍ଷମା ଦେବନି ବୋଲି କହି ବିଜେପି ସାଂସଦଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ବିଜେଡି ତାଳରେ କଂଗ୍ରେସ ତାଳ ମିଶାଇଥିବା ବେଳେ ବିଜେପି କହିଛି, ଲୋକଙ୍କୁ ଭ୍ରମିତ ନକରି କେତେ କ୍ଷତି ହେବ ତାର ହିସାବ ଦିଅନ୍ତୁ ନବୀନ ବାବୁ।

ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ। MMDR ସଂଶୋଧନକୁ ନେଇ ସିଧାସଳଖ ନିଶାନା। ଅଗଷ୍ଟ ୧୩ ବିଲ୍ ପାରିତ ଦିନକୁ କଳା ଦିବସ କହିବା ସହ ଓଡ଼ିଶାର ସ୍ବାର୍ଥ ସହିତ ସାଲିସ ନକରିବାକୁ ପରାମର୍ଶ ଦେଇଛନ୍ତି ନବୀନ। ଦେଶର ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶା ମାଟି ତଳେ ଥିବା କହି ଉଠାଇଛନ୍ତି ରାଜସ୍ୱ ଓ ରାଜ୍ୟର ହକ୍ ର ପ୍ରଶ୍ନ। ଚିଠିରେ ସେ ଦାବି କରିଛନ୍ତି, ଓଡ଼ିଶା ବାର୍ଷିକ ପ୍ରାୟ ୧୨ ହଜାର କୋଟିର ରାଜସ୍ୱ ହରାଇପାରେ। 

ଯାହା ସଶକ୍ତ ଓଡ଼ିଶା ଗଠନ ସ୍ବପ୍ନକୁ ଧୂଳିସାତ କରିଦେଇଛି। ବିଶେଷକରି ଓଡ଼ିଶାର ଶିଶୁ ଓ ଯୁବକ ଏହାଦ୍ବାରା ବେଶୀ ପ୍ରଭାବିତ ହେବେ। ଏହି ପ୍ରସଙ୍ଗରେ ବିଜେପି ସାଂସଦଙ୍କୁ ଆହ୍ୱାନ ଦେଇ ନବୀନ କହିଛନ୍ତି, ଦଳୀୟ ସ୍ବାର୍ଥ ଉପରେ ରାଜ୍ୟର ସ୍ବାର୍ଥକୁ ରଖନ୍ତୁ। ନିଜ ବିବେକକୁ ପଚାରନ୍ତୁ, ଓଡ଼ିଶାର ଭବିଷ୍ୟତ କଥା ଚିନ୍ତା କରନ୍ତୁ। 

ନିୟମ ବଦଳାଇବାକୁ ସ୍ବର ଉଠାନ୍ତୁ। ମାତ୍ର ୧୦ ମିନିଟ୍ ଆଲୋଚନାରେ ଏତେ ବଡ଼ ବିଲ୍ କିପରି ପାରିତ ହେଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଏଥିସହ କହିଛନ୍ତି ଓଡ଼ିଶାର ସ୍ବାର୍ଥ ପାଇଁ ସ୍ବର ନଉଠାଇଲେ ଇତିହାସ କ୍ଷମା ଦେବନି। ସେପଟେ କଂଗ୍ରେସ ମଧ୍ୟ MMDRକୁ ବିରୋଧ କରିଆସୁଛି। ଆଗକୁ ଦଳ ସଜବାଜ ହେଉଛି ଅର୍ଥନୈତିକ ଅବରୋଧ ପାଇଁ। 
MMDR ସଂଶୋଧନ ଫଳରେ ରାଜ୍ୟର କ୍ଷମତା ସଂକୁଚିତ ହୋଇଛି ବୋଲି କଂଗ୍ରେସ କହିଛି। ଜବାବରେ ବିଜେପି କହିଛି, ନବୀନ ବାବୁ ଭ୍ରମିତ କରନ୍ତୁ ନାହିଁ । ଯଦି କ୍ଷତି ହେବ କହୁଛନ୍ତି, ତେବେ କେତେ କ୍ଷତି ହେବ ହିସାବ ଦିଅନ୍ତୁ। 

୧୯୫୭ର ମାଇନ୍ସ ଆଣ୍ଡ ମିନେରାଲ୍ସ ଆକ୍ଟକୁ ୨୦୨୬ରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବ୍ୟତୀତ ଖଣିଜ ସମ୍ପଦ ଥିବା ସ୍ଥାନ ଉପରେ ରାଜ୍ୟ ସରକାର ନୂଆ ଟିକସ ଲଗାଇ ପାରିବେ ନାହିଁ। ବର୍ତ୍ତମାନ ଖଣି ଉପରେ ରୟାଲଟି, ଅକ୍ସନ୍ ପ୍ରିମିୟମ୍, ଡେଡ୍ ରେଣ୍ଟ୍, ଡିଏମ୍ଏଫ୍, ଜିଏସ୍ଟି ଓ ଟ୍ରାଞ୍ଜିଟ୍ ଫି ସମେତ ପ୍ରାୟ ୧୪ ପ୍ରକାରର ଟିକସ ଓ ଶୁଳ୍କ ରହିଛି। 

ଓଡ଼ିଶାରେ ୭୯ଟି ନିଲାମ ହୋଇଥିବା ବ୍ଲକ୍ ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ହୋଇଛି। ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଅକ୍ସନ୍ ପ୍ରିମିୟମରୁ ପ୍ରାୟ ୮୭ ହଜାର କୋଟି ଟଙ୍କା ଆୟ ହୋଇଛି। ୨୦୦୫ରେ ଓଡ଼ିଶା ରୁରାଲ୍ ଇନଫ୍ରାଷ୍ଟ୍ରକଚର୍ ଆଣ୍ଡ ସୋସିଓ ଇକୋନମିକ୍ ଡେଭଲପମେଣ୍ଟ ବା ORISED ଆଇନ ପ୍ରଣୟନ ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ନବୀନଙ୍କ ଚିଠି...କଂଗ୍ରେସର ଆନ୍ଦୋଳନ ଚେତାବନୀ...ଆଉ ବିଜେପିର ପାଲଟା ପ୍ରଶ୍ନବାଣ। MMDR ପ୍ରସଙ୍ଗ କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିନି। ଓଡ଼ିଶାର ହକ୍ ବନାମ କେନ୍ଦ୍ରର ଅଧିକାରର ରାଜନୈତିକ ବିତର୍କ ବି ହେଲାଣି। ଆଗକୁ ଏହି ରାଜନୈତିକ ଟଣାଓଟରା କି ମୋଡ଼ ନେଉଛି ତାଉପରେ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।