Naveen Patnaik’s CJP Support Sparks Questions: ଚୁଲିକୁ ଗଲାଣି କି ନବୀନଙ୍କ ସମଦୂରତା ନୀତି? CJP ସମର୍ଥନ ପରେ ଚର୍ଚ୍ଚା
ନବୀନଙ୍କ ଗୋଟିଏ ସମର୍ଥନ, ଆଉ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା। CJP ନେତାଙ୍କୁ ସମର୍ଥନ କରିବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ। ଏହି ସମର୍ଥନ କେବଳ ଏକ ପ୍ରସଙ୍ଗରେ ସୀମିତ, ନା ଏହା ପଛରେ ରହିଛି ବଡ଼ ରାଜନୈତିକ ରଣନୀତି ? ବିଜେଡିର ଭବିଷ୍ୟତ ରାଜନୈତିକ ଗତିବିଧିକୁ ନେଇ ଆରମ୍ଭ ହୋଇଛି ଆକଳନ। ଅନ୍ୟପଟେ ନବୀନଙ୍କ ଏହି ଆଭିମୁଖ୍ୟକୁ ନେଇ ବିରୋଧୀ ଶିବିରରୁ ଆସିଛି ସମାଲୋଚନା। କଂଗ୍ରେସ ଓ ବିଜେପି ନେତାଙ୍କ ଟାର୍ଗେଟରେ ନବୀନ। ବିଜେଡିର ପ୍ରକୃତ ରାଜନୈତିକ ଆଭିମୁଖ୍ୟ କ'ଣ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ଗୋଟିଏ ପଟେ ସମର୍ଥନ, ଅନ୍ୟପଟେ ଦଳର ନୀତି ଓ ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ। ତେବେ ଏହି ଘଟଣା ବିଜେଡିର ରାଜନୈତିକ ସମୀକରଣରେ କିଛି ପରିବର୍ତ୍ତନର ସଙ୍କେତ ଦେଉଛି କି ? ଏହାର ଉତ୍ତର ଏବେ ନବୀନଙ୍କ ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସ କହିଛି, ନବୀନ ଏବେ ବଦଲା ନେବା ମୁଡ୍ ରେ ଅଛନ୍ତି, କିନ୍ତୁ ଚାପରେ ଆଭିମୁଖ୍ୟ ସ୍ପଷ୍ଟ କରିପାରୁ ନାହାନ୍ତି। ବିଜେପି କଡ଼ା ସମାଲୋଚନା କରି କହିଛି, ତାଙ୍କର ବିଚାର ବିଭ୍ରାଟ ହେଲାଣି। ଦେଶ ବିରୋଧୀ ତତ୍ତ୍ବଙ୍କୁ ସମର୍ଥନ ଦେଉଛନ୍ତି, କିନ୍ତୁ କାହା ପଟେ ରହୁଛନ୍ତି ତାହା କହିପାରୁ ନାହାନ୍ତି। ଜବାବରେ ବିଜେଡି କହିଛି, ଦଳ ଏବେ ବି ଏକଲା ଚାଲ ନୀତିରେ ଅଛି। ନବୀନ ବାବୁଙ୍କ ସମର୍ଥନ ସିଜେପିକୁ ନୁହଁ, ଦେଶର ଯୁବପିଢିକୁ ସୁରକ୍ଷିତ ରଖିବାକୁ।
ନବୀନ କେତେବେଳେ ଇଣ୍ଡି ମେଣ୍ଟକୁ ସିଧା ସଳଖ ସମର୍ଥନ ଜଣାଉଛନ୍ତି ତ ଆଉ କେତେବେଳେ ଖୋଲା ବିରୋଧ। ଇଣ୍ଡି ମେଣ୍ଟ ନେତାଙ୍କ ECI ଅଫିସ୍ ଘେରାଉକୁ ଦିଲ୍ଲୀରେ ବିଜେଡି ସମର୍ଥନ କଲା, କିନ୍ତୁ ଓଡ଼ିଶା ବନ୍ଦ ଡାକରାରେ ହେଲାନି ସାମିଲ୍। ଦେଶରେ Gen Z ଆନ୍ଦୋଳନ ପୁରା ଦମରେ ଚାଲିଛି। ଆଉ ଏହି ସମୟରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବି ଅନୁଷ୍ଠିତ ହେଲା। ଯେଉଁଥିରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ନବୀନ ଦାବି କଲେ। Gen Zଙ୍କୁ ଏବେ ସବୁବେଳେ କିଛି ନା କିଛି ବାର୍ତ୍ତା ଦେଉଛି ଦଳ। ବଡ଼ ପ୍ରଶ୍ନ Gen Z ବା ଯୁବ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ନା କେନ୍ଦ୍ର ବିରୋଧରେ ଲଢ଼ିବା ଆହ୍ବାନ ଦେଇ ଦଳ ଭିତରେ ଥିବା ଅସନ୍ତୋଷକୁ ଚାପିବାକୁ ରଣନୀତି କରୁଛନ୍ତି ବିଜେଡି ସୁପ୍ରିମୋ ?
ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ସମର୍ଥନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର। କିନ୍ତୁ ଆଗକୁ ବିଜେଡିର ଆଭିମୁଖ୍ୟ କଣ ରହୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।