Nearly 200 Members Under One Roof: ୧୦୦ କୋଠରୀର ଘର! ୩୯ ପତ୍ନୀ, ୯୪ ସନ୍ତାନ; ଏହା ସହ ବୋହୂ, ନାତିନାତୁଣୀ

Sep 21, 2026 - 19:35
Nearly 200 Members Under One Roof: ୧୦୦ କୋଠରୀର ଘର! ୩୯ ପତ୍ନୀ, ୯୪ ସନ୍ତାନ; ଏହା ସହ ବୋହୂ, ନାତିନାତୁଣୀ

ଆଜିର ସମୟରେ ଯେତେବେଳେ ଚାକିରି, ପାଠପଢ଼ା ଓ ଉନ୍ନତ ଜୀବନଶୈଳୀ ପାଇଁ ଲୋକେ ପରିବାରଠାରୁ ଦୂରରେ ରହୁଛନ୍ତି, ସେତେବେଳେ ଭାରତର ଉତ୍ତର-ପୂର୍ବ ରାଜ୍ୟ ମିଜୋରାମର ଏକ ପରିବାର ବର୍ଷ ବର୍ଷ ଧରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ହୋଇରହିଛି। ବକ୍ତାୱଙ୍ଗ ଗାଁର ଜିଓନା ଚାନାଙ୍କ ପରିବାରକୁ ବିଶ୍ୱର ସବୁଠାରୁ ବଡ଼ ପରିବାରଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ବହୁବାର ବର୍ଣ୍ଣନା କରାଯାଇଛି। 

କେବଳ ୨୦ କି ୩୦ ଜଣ ନୁହେଁ, ଏହି ପରିବାରର ସଦସ୍ୟ ସଂଖ୍ୟା ଏକ ସମୟରେ ପ୍ରାୟ ୨୦୦ ପର୍ଯ୍ୟନ୍ତ ପହଞ୍ଚିଥିଲା। ଜିଓନା ଚାନାଙ୍କ ୩୯ ଜଣ ପତ୍ନୀ, ୯୪ ଜଣ ସନ୍ତାନ, ୧୪ ଜଣ ବୋହୂ ଓ ୩୩ ଜଣ ନାତିନାତୁଣୀ ଥିଲେ। କେତେକ ରେକର୍ଡରେ ଜଣେ ପ୍ରପୌତ୍ରଙ୍କୁ ମଧ୍ୟ ଏହି ଗଣନାରେ ସାମିଲ କରାଯାଇଛି। ଜିଓନାଙ୍କ ଜୀବନକାଳରେ ପ୍ରାୟ ୧୮୧ ସଦସ୍ୟଙ୍କ ଏହି ବିଶାଳ ପରିବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। 

ଧାର୍ମିକ ସମୁଦାୟରୁ ଆରମ୍ଭ ହୋଇଥିଲା କାହାଣୀ

ଏହି ପରିବାରର ଇତିହାସ କେବଳ ସଦସ୍ୟ ସଂଖ୍ୟା ମଧ୍ୟରେ ସୀମିତ ନୁହେଁ। ୧୯୪୨ରେ Khuangtuaha ‘Lalpa Kohhran Thar’ ନାମକ ଏକ ଧାର୍ମିକ ସମୁଦାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜିଓନାଙ୍କ ବାପା ଚାନା ଏହାର ନେତୃତ୍ୱ ନେଇଥିଲେ। ୧୯୯୭ରେ ବାପାଙ୍କ ମୃତ୍ୟୁ ପରେ ଜିଓନା ଏହି ସମୁଦାୟର ମୁଖ୍ୟ ହୋଇଥିଲେ। 

ଜିଓନାଙ୍କୁ ସ୍ଥାନୀୟ ଭାବେ ‘Hotupa’ ବା ନେତା ବୋଲି ସମ୍ବୋଧନ କରାଯାଉଥିଲା। ତାଙ୍କ ନେତୃତ୍ୱ ସମୟରେ ପରିବାର ସହ ସମୁଦାୟର ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ିଥିଲା। ୨୦୨୧ ଜୁନ୍‌ରେ ଜିଓନା ଚାନାଙ୍କ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାରର ସଂଖ୍ୟା ଓ ରହିବା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହୋଇଛି; କିଛି ସଦସ୍ୟ ଅଲଗା ଘରକୁ ଯାଇଥିବା ନେଇ ମଧ୍ୟ ରିପୋର୍ଟ ରହିଛି। 

୧୦୦ କୋଠରୀର ଚାରି ମହଲା ଘର

ଜିଓନା ଚାନାଙ୍କ ପରିବାରର ଘର ମଧ୍ୟ ତାଙ୍କ ପରିବାର ଭଳି ଅସାଧାରଣ। ବକ୍ତାୱଙ୍ଗର ପାହାଡ଼ ମଧ୍ୟରେ ଥିବା ଏହି ବିଶାଳ ଘରର ନାଁ ‘Chhuan Thar Run’, ଯାହାର ଅର୍ଥ ‘ନୂଆ ପିଢ଼ିର ଘର’। ଚାରି ମହଲା ବିଶିଷ୍ଟ ଏହି ଘରେ ପ୍ରାୟ ୧୦୦ଟି କୋଠରୀ ରହିଛି। ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ଅଲଗା ଗେଷ୍ଟ ହାଉସ୍‌ର ବ୍ୟବସ୍ଥା ମଧ୍ୟ ରହିଥିଲା। 

ଏତେ ବଡ଼ ପରିବାରକୁ ଏକାଠି ରଖିବା ପାଇଁ ଘର ଭିତରେ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିଲା। ରୋଷେଇ, ସଫେଇଠାରୁ ଆରମ୍ଭ କରି ଦୈନନ୍ଦିନ କାମ ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଉଥିଲା। ରିପୋର୍ଟ ଅନୁସାରେ, ବୟସ୍କ ପତ୍ନୀମାନେ ଉପର ମହଲାରେ ରହୁଥିବା ବେଳେ କିଛି କମ୍ ବୟସର ପତ୍ନୀ ତଳ ଭାଗରେ ରହୁଥିଲେ। 

ଏତେ ବଡ଼ ପରିବାରର ଖାଇବା ବ୍ୟବସ୍ଥା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ପୁରୁଣା ରିପୋର୍ଟ ଅନୁସାରେ, ଦୈନିକ ଭୋଜନ ପ୍ରସ୍ତୁତି ପାଇଁ ବହୁ ପରିମାଣର ଚାଉଳ, ଆଳୁ, ମାଂସ ଓ ପନିପରିବା ଲାଗୁଥିଲା। ପ୍ରତ୍ୟେକ କାମ ସାମୂହିକ ଭାବେ କରାଯାଉଥିବାରୁ ବିଶାଳ ପରିବାରର ଦୈନିକ ଜୀବନ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ଚାଲୁଥିଲା। 

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ

ଜିଓନାଙ୍କ ବିଶାଳ ଘର ଓ ପରିବାର ବହୁ ବର୍ଷ ଧରି ମିଜୋରାମର ଏକ ପରିଚିତ ପର୍ଯ୍ୟଟନ ଆକର୍ଷଣ ପାଲଟିଛି। ଦେଶବିଦେଶର ଗଣମାଧ୍ୟମ, ଫଟୋଗ୍ରାଫର ଓ ପର୍ଯ୍ୟଟକମାନେ ଏହି ପରିବାରର ଜୀବନଶୈଳୀ ଦେଖିବା ପାଇଁ ବକ୍ତାୱଙ୍ଗ ଯାଇଥାନ୍ତି। 

ତେବେ ଜିଓନାଙ୍କ ପରିବାରକୁ ସାଧାରଣତଃ ‘ବିଶ୍ୱର ସବୁଠାରୁ ବଡ଼ ପରିବାର’ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ Guinness World Recordsର ଆଧିକାରିକ ରେକର୍ଡ ବୋଲି କହିବା ଠିକ୍ ନୁହେଁ। ବିଭିନ୍ନ ରେକର୍ଡ ସଂସ୍ଥା ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ଏହି ପରିଚୟ ଦେଇଥିଲେ। 

ଆଧୁନିକ ସମୟରେ ଯେତେବେଳେ ଛୋଟ ପରିବାର ଓ ଅଲଗା ରହିବାର ପ୍ରବୃତ୍ତି ବଢ଼ୁଛି, ସେତେବେଳେ ମିଜୋରାମର ଚାନା ପରିବାରର କାହାଣୀ ନିଶ୍ଚିତ ଭାବେ ଭିନ୍ନ। ଶହ ଶହ ଲୋକଙ୍କୁ ନେଇ ଗୋଟିଏ ଛାତ ତଳେ ଜୀବନ ଚଳାଇବାର ଏହି କାହାଣୀ ଆଜି ବି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।