Nearly Rs 1 Lakh Crore Unclaimed: ବ୍ୟାଙ୍କରେ ପଡ଼ିଛି ୧ ଲକ୍ଷ କୋଟି ଟଙ୍କା, ନାହାନ୍ତି କେହି ଦାବିଦାର
ବ୍ୟାଙ୍କ ଖାତାରେ ପଡ଼ି ରହିଛି ବିପୁଳ ଟଙ୍କା, ହେଲେ ଦାବି କରିବାକୁ କେହି ନାହାନ୍ତି। ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଅଣଦାବୀଦାର ଡିପୋଜିଟ୍ ରିଜର୍ଭ ବ୍ୟାଙ୍କର ଜମାକାରୀ ଶିକ୍ଷା ଓ ସଚେତନତା ପାଣ୍ଠିକୁ ସ୍ଥାନାନ୍ତର ହୋଇଛି। ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଏହି ରାଶି ୯୮,୦୭୩ କୋଟି ଟଙ୍କାରେ ପହଞ୍ଚିଛି।
ତେବେ ପ୍ରଶ୍ନ ଉଠୁଛି, ଏତେ ଟଙ୍କା କାହିଁକି ଦାବି ହେଉନାହିଁ? ପୁରୁଣା ଠିକଣା, ବଦଳିଯାଇଥିବା ଫୋନ୍ ନମ୍ବର କିମ୍ବା ଅପଡେଟ୍ ନଥିବା ଇ-ମେଲ୍ ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କ ସହ ଯୋଗାଯୋଗ କରିପାରୁନାହିଁ। ଅନେକ କ୍ଷେତ୍ରରେ ଖାତାଧାରୀଙ୍କ ମୃତ୍ୟୁ ପରେ ପରିବାର କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ ଖାତା ବିଷୟରେ ଜଣା ନଥାଏ।
ତେବେ ଏହି ଟଙ୍କା ପୁଣି ମିଳିବ କି ନାହିଁ ? ଆବଶ୍ୟକ ଦସ୍ତାବିଜ ଓ ନିର୍ଦ୍ଧାରିତ ପ୍ରକ୍ରିୟା ପୂରଣ କରି ଯୋଗ୍ୟ ଖାତାଧାରୀ କିମ୍ବା ଆଇନଗତ ଉତ୍ତରାଧିକାରୀ ଟଙ୍କା ଫେରି ପାଇପାରିବେ।
ଅନକ୍ଲେମ୍ଡ ଡିପୋଜିଟ୍ ଚିହ୍ନଟ ଓ ଟଙ୍କା ଫେରସ୍ତ ପାଇଁ ୨୦୨୫ରେ RBI ବ୍ୟାଙ୍କଗୁଡ଼ିକୁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ କହିଛି। ବ୍ୟାଙ୍କଗୁଡ଼ିକୁ ଗ୍ରାହକ, ନୋମିନି ଓ ଆଇନଗତ ଉତ୍ତରାଧିକାରୀଙ୍କୁ ଖୋଜିବା ସହ ୱେବସାଇଟ୍ରେ ଅନକ୍ଲେମ୍ଡ ଡିପୋଜିଟ୍ର ତଥ୍ୟ ନିୟମିତ ଅପଡେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସେଥିପାଇଁ ନିଜ ବ୍ୟାଙ୍କ ଖାତାର ଠିକଣା, ମୋବାଇଲ୍ ନମ୍ବର ଓ ନୋମିନି ତଥ୍ୟ ଅପଡେଟ୍ ରଖନ୍ତୁ। ପରିବାରର ସଦସ୍ୟଙ୍କୁ ମଧ୍ୟ ନିଜ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ଜଣାଇ ରଖନ୍ତୁ, ନଚେତ୍ ଆପଣଙ୍କ ଟଙ୍କା ମଧ୍ୟ ଦିନେ ଦାବିଦାରଙ୍କୁ ଅପେକ୍ଷା କରି ରହିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।