Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା

Sep 05, 2026 - 01:02
Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା

"କାଳିଆପାଣି (ରବି ନାରାୟଣ କର): ଚତୁର୍ମାସ୍ୟାରେ ନଗଡ଼ା ପଡ଼ୋଶୀ ଗୁହିଆଶାଳ ରାଜସ୍ବ ଗାଁକୁ ଯାତାୟତ ଯନ୍ତ୍ରଣା ଏବେ ଦୁର୍ବିଷହ।

ପ୍ରାୟ ସବୁଦିନ ଅପରାହ୍ଣରେ ବର୍ଷା ହେଉଥିବା ଏହି ପାହାଡ଼ୀ ଗାଁକୁ ଏଯାବତ୍ ନିର୍ଦ୍ଦିଷ୍ଟ ବାଟ ନାହିଁ।

ଲୋକେ ଏକାଧିକ ଗୁଳାବାଟରେ ଯା"ଆସ କରୁଥିବା ଦେଖାଯାଉଛି।

Advertisment ଗମନାଗମନର ସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଛି।

ହେଲେ ସଜାଡ଼ିବାର ବ୍ୟବସ୍ଥା ନାହିଁ।

୨୦୨୩ ମସିହା ମେ ମାସରେ ଶିଳାନ୍ୟାସ ହୋଇଥିବା ନାଲିଆଡାବ-ଗୁହିଆଶାଳ ବନ ସଡ଼କ ଫଳକରେ ସୀମିତ ରହିଛି।

୩ ବର୍ଷ ମଧ୍ୟରେ ରାସ୍ତାରେ ମାଟି ମୁଠାଏ ପଡ଼ିନି।

ବରଂ ପ୍ରସ୍ତାବିତ ସଡ଼କ ପାଇଁ ପାହାଡ଼ିଆ ସ୍ଥାନରେ ଠୁଳ କରାଯାଇଥିବା ବାଲି ଓ ଚିପ୍ସ ଗଦାସବୁ ତଳକୁ ବୋହିଯାଇ ବରବାଦ୍‌ ହୋଇଗଲାଣି।

ଖୋଳା ଯାଇଥିବା କଲଭର୍ଟ ନିଅଁ ଏବେ ଠାବ କରିବା କଷ୍ଟକର।

ଜୁନମାସ ଶେଷ ସପ୍ତାହରୁ ଲଗାଣ ବର୍ଷା ପ୍ରଭାବରୁ ଏହି ପାହାଡ଼ୀ ଇଲାକାର ବିଭିନ୍ନ ଗୁଳାବାଟରେ ଶିଉଳି ଉଠି ଯାଇଛି।

ସଡ଼କ ପାଇଁ କଟା ଯାଇଥିବା ଶୁଖିଲା ଗଛର ମୂଳ ଖୁଣ୍ଟା ଓ ସେଠାରୁ ପଥରଖଣ୍ଡ ସବୁ ପଦାକୁ ବାହାରି ପଡ଼ିଛି।

ନାଲିଆଡାବ ପମ୍ପ୍ ହାଉସରୁ ଗୁହିଆଶାଳ ଗାଁ ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ଖସଡ଼ା ଥିବାରୁ ବିନା ଜୋତା କିମ୍ବା ଚପଲରେ ବାଟକୁ ଚାହିଁ ଚାଲିବାକୁ ପଡ଼ୁଛି।

ରାସନ ଚାଉଳ କିମ୍ବା ଜରୁରୀ କାମ ପାଇଁ ଝଡ଼ିବର୍ଷାରେ ଗାଁରୁ ବାହାରି ନାଲିଆଡାବ ଆସିବାକୁ ହେଲେ ଛତାଧରି ଆସିବାକୁ ପଡ଼ୁଛି।

କୋଳରେ ଝୁଲୁଥିବା ଛୁଆ ଓ ଛତାକୁ ଧରି ପାଦ ଚିପିଚିପି ବାଟ ଚାଲିବା କେତେ କଷ୍ଟକର ସେହି ମାଆ କେବଳ ଜାଣୁଛି ବୋଲି ମେଞ୍ଜାରି ପ୍ରଧାନ, ସୁନିଆରି ପ୍ରଧାନ ଓ ରୁପାଇ ପ୍ରଧାନ କହିଥିଲେ।

ଶୁଖିଲା ପାଗରେ ଅଧଘଣ୍ଟାର ବାଟ ଏବେ ଦେଢ଼ଘଣ୍ଟା ଲାଗି ଯାଉଛି ବୋଲି ରାଜମାଇ ପ୍ରଧାନ, ତୁଳସୀ ପ୍ରଧାନ, ରଜନୀ ପ୍ରଧାନ ପ୍ରମୁଖ ମନ୍ତବ୍ୟ ଦେଇଥିଲେ।

ଘରୁ ବାହାରିଲା ମାତ୍ରେ ପାଣିକାଦୁଅରେ ଖାଲିପାଦରେ ଯାତାୟତ କରିବାକୁ ପଡ଼ୁଥିବାରୁ ପାଦ‌ରେ ପାଣିଖିଆ ଘାଆ ମାଡ଼ିଯାଉଥିବା ଓ ଶେତା ପଡ଼ିଯାଉଥିବା ଗାଁର ବରିଷ୍ଠ ମହିଳା ଜାଡ଼ମ୍ବାଇ ପ୍ରଧାନ କହନ୍ତି।

ଗ୍ରାମବାସୀଙ୍କୁ ଥଣ୍ଡା, ଜର, କାଶ ଭଳି ରୋଗ ଦେହସୁହା ହୋଇଗଲାଣି ବୋଲି ଦୁର୍ଜନ ପ୍ରଧାନ, କୈଳାସ ପ୍ରଧାନ, କବିରା ପ୍ରଧାନ, ଗଣେଶ ପ୍ରଧାନ ପ୍ରମୁଖ କହନ୍ତି।

ପର୍ବପର୍ବାଣୀ, ବାହାଘର କିମ୍ବା ଶୁଦ୍ଧିକ୍ରିୟ‌ାରେ ବନ୍ଧୁଘର ଯିବାକୁ ହେଲେ ଭାର ମୁଣ୍ଡାଇ ଯିବାକୁ ହେଉଛି।

ବନ୍ଧୁଘର ଆସିବାକୁ ଡରୁଛନ୍ତି।

Hospital: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଜବ ବ୍ୟବସ୍ଥା: ରୋଗଠୁ ବଳିଯାଉଛି ଖାଦ୍ୟ ଯନ୍ତ୍ରଣା ଗତ ସପ୍ତାହରେ ଗୁହିଆଶାଳ ଗସ୍ତରେ ଆସିଥିବା ଭ୍ରାମ୍ୟମାଣ ଡାକ୍ତରୀଦଳର ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ସାକିଲା ହାଁସଦା ଫେରିବା ବାଟରେ ପଡ଼ିଯାଇ ଆହତ ହୋଇଥିଲେ।

ସ୍ବାସ୍ଥ୍ୟ ସମସ୍ୟା ଦୟନୀୟ ସ୍ଥିତିରେ ଥିବା ଗାଁକୁ ନିୟମିତ ଯାତାୟତ ପୀଡ଼ାଦାୟକ ବୋଲି ଆଶାକର୍ମୀ ଜୟନ୍ତୀ ମହାନ୍ତ କହନ୍ତି।

ଗାଁକୁ ସଡ଼କ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟାରୁ ମୁକୁଳି ପାରୁନଥିବା ଗାଁ ମୁଖିଆ ଠେଙ୍ଗେଣିଆ ପ୍ରଧାନ ଅଭିଯୋଗ କରନ୍ତି।

ପ୍ରସ୍ତାବିତ ବନ ସଡ଼କ ସଂପର୍କରେ ବନପାଳ ରାମ ତିରିଆଙ୍କୁ ପଚାରିବାରେ ଅନୁକୂଳ ପାଗ ଦେଖି କାମ ଆରମ୍ଭ ଯୋଜନା ଥିବା କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।