Nepal Faces Fresh Flood Threat: ନେପାଳରେ ପୁଣି ପ୍ରକୃତିର ତାଣ୍ଡବ; ମାସେ ନ ପୂରୁଣୁ ପୁଣି ବିପତ୍ତି, ପ୍ରବଳ ବର୍ଷାରେ ଫୁଲିଲା ନଦୀ

Sep 26, 2026 - 16:22
Nepal Faces Fresh Flood Threat: ନେପାଳରେ ପୁଣି ପ୍ରକୃତିର ତାଣ୍ଡବ; ମାସେ ନ ପୂରୁଣୁ ପୁଣି ବିପତ୍ତି, ପ୍ରବଳ ବର୍ଷାରେ ଫୁଲିଲା ନଦୀ

ନେପାଳରେ ପୁଣି ପ୍ରକୃତିର ତାଣ୍ଡବ। ମାସେ ତଳେ ଭୟଙ୍କର ବନ୍ୟା ଓ ଭୂସ୍ଖଳନର ଛାତିଥରା ଦୃଶ୍ୟ ଦେଖିଥିବା ନେପାଳରେ ପୁଣି ମାଡ଼ି ଆସିଛି ବିପତ୍ତି। ପ୍ରବଳ ବର୍ଷାରେ ଫୁଲି ଉଠିଛି ନଦୀ, ବଢ଼ୁଛି ଜଳସ୍ତର। କାଠମାଣ୍ଡୁରେ ବାଗମତୀ ସମେତ ଏକାଧିକ ନଦୀରେ ବନ୍ୟା ସ୍ଥିତି। ଆଉ ଏପଟେ ଭାରତର ସିକ୍କିମରେ ଭୟଙ୍କର ଭୂସ୍ଖଳନ। ମାଟି, ପଥର ଓ ଆବର୍ଜନାର ସୁଅରେ ଭୁଶୁଡ଼ି ପଡ଼ିଛି ୩୦ରୁ ଅଧିକ ଘର। ନେପାଳଠୁ ସିକ୍କିମ୍ ଯାଏଁ ପ୍ରକୃତିର ଏହି କୋପରେ ଆତଙ୍କିତ ଲୋକେ। 

ନେପାଳରେ ଭୟଙ୍କର ପ୍ରଳୟକୁ ମାସେ ନପୁରୁଣୁ ପୁଣି ମାଡିଆସିଲା ବିପତ୍ତି । ସୁ ସୁ ଗର୍ଜନ କରି ଭୟଙ୍କର ରୂପରେ ମାଡି ଆସିଛି ପାଣି। ପ୍ରବଳ ବର୍ଷା ପାଇଁ ଫୁଲିଛି ନଦୀ। ବଢିବାରେ ଲାଗିଛି ଜଳସ୍ତର। କାଠମାଣ୍ଡୁରେ ବାଗମତୀ ସମେତ ବିଷ୍ଣୁମତୀ, ମନୋହରା ଓ ଗୋଦାବରୀ ନଦୀର ଜଳସ୍ତର ବଢିବା ସହ ମାଡି ଆସିଛି ବନ୍ୟା। 

ଲଗାଣ ବର୍ଷା ଯୋଗୁଁ ନଦୀ ଅବବାହିକା ଅଞ୍ଚଳରେ ବିପଦ ବଢିଥିବା ବେଳେ ଆସନ୍ତା ୨୭ ତାରିଖ ଯାଏଁ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ନେପାଳକୁ ପୁଣି ଏକ ବଡ଼ ବିପଦ ବୋଲି କୁହାଯାଉଛି। ନଦୀକୂଳିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ କରାଯିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପରାମର୍ଶ ଦେଇଛି। 

କେବଳ ନେପାଳ ନୁହେଁ ଗତକାଲି ମଝିରାତିରେ ଭାରତର ସିକ୍କିମରେ ମଧ୍ୟ ଦେଖାଦେଇଛି ପ୍ରଳୟ। ପଶ୍ଚିମ ସିକ୍କିମ୍ ଅଞ୍ଚଳର ରିମ୍ବିରେ ପାହାଡ଼ ହଠାତ୍ ଗର୍ଜି ଉଠିଥିଲା। ଆଉ ତାପରେ ଭୟଙ୍କର ଭୂସ୍ଖଳନ। ଏମିତି ମାଡ଼ିଆସିଥିଲା ମାଟି, ପଥର ଓ ଆବର୍ଜନାର ସୁଅ। ଆଗରେ ଯାହା ପଡ଼ିଲା ଆଖି ପିଛୁଳାକେ ଚାପିଦେଇ ଚାଲିଗଲା। ବିପର୍ଯ୍ୟୟରେ ସରକାରୀ କ୍ବାଟର୍ସ ସମେତ ୩୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି।

ଅଗଷ୍ଟ ୨୬ ତାରିଖରେ ନେପାଳ ପ୍ରଳୟର ଛାତିଥରା ଦୃଶ୍ୟ, କୋହଭରା କାହାଣୀ ମନରୁ ନ ଲିଭୁଣୁ ପୁଣି ବିପତ୍ତି ମାଡି ଆସିଛି ବିପତ୍ତି। ନେପାଳଠୁ ନେଇ ଭାରତର ସିକ୍କିମ ସବୁଠି ଏବେ ଭୟ ଭିତରେ ଜୀବନ ବଞ୍ଚିବାକୁ ପଡୁଛି। ପାହାଡିଆ ଅଞ୍ଚଳକୁ ସୁନ୍ଦର ଓ ଆକର୍ଷଣୀୟ କୁହାଯାଏ କିନ୍ତୁ ଏଠିକାର ଲୋକ ଏବେ ପ୍ରତି ମୁହୂର୍ତ୍ତ ଡରି ଡରି ବଞ୍ଚୁଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।