Nepali Teacher Saves 1,643 Children: ଭାସିଗଲା ସ୍କୁଲ, କିନ୍ତୁ ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ପ୍ରଧାନଶିକ୍ଷକ

Aug 30, 2026 - 14:39
Nepali Teacher Saves 1,643 Children: ଭାସିଗଲା ସ୍କୁଲ, କିନ୍ତୁ ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚାଇଦେଲେ ପ୍ରଧାନଶିକ୍ଷକ

ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଫ୍ଲାସ୍‌ ଫ୍ଲଡ୍‌ ଆଣିଥିଲା ମହାବିପର୍ଯ୍ୟୟ। କ୍ଷଣିକ ମଧ୍ୟରେ ଛାରଖାର ହୋଇଯାଇଥିଲା ନେପାଳ। ତେବେ ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ, ଜଣେ ସ୍କୁଲ ପ୍ରଧାନଶିକ୍ଷକଙ୍କ ତତ୍ପରତା ଯୋଗୁଁ ୧,୬୪୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ପାଇଛି। ନୁୱାକୋଟ୍‌ ଜିଲ୍ଲାର ତ୍ରିଶୁଳୀ ଉପତ୍ୟକାରେ ଥିବା ତ୍ରିଭୂବନ ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦାଦାବିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଉ ଏକ ବଡ଼ ବିପତ୍ତିରୁ ରକ୍ଷା କରାଯାଇପାରିଥିଲା। ରାଜେନ୍ଦ୍ର ଦାଦାବି ଆସନ୍ନ ବିପଦର ସୂଚନା ପାଇବା ମାତ୍ରେ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଏକ ବଡ଼ ଦୁର୍ଘଟଣାକୁ ଆହୁରି ଭୟାବହ ହେବାରୁ ରୋକିଥିଲା।

ବୁଧବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌ରେ ରାଜେନ୍ଦ୍ର ଦାଦାବିଙ୍କ ପାଖକୁ ଜଣେ ବନ୍ଧୁ ଫୋନ୍‌ କରିଥିଲେ। ଉପରମୁଣ୍ଡରେ ଥିବା ଏକ ଗାଁକୁ ନଦୀ ଭସାଇ ନେଇଥିବା ଏବଂ ଭୟଙ୍କର ପାଣି ତଳମୁଣ୍ଡକୁ ଆସୁଥିବା ନେଇ ସେ ସତର୍କ କରାଇଥିଲେ। ସେତେବେଳେ ସ୍କୁଲରେ ପ୍ରାୟ ୧,୬୪୩ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ସ୍କୁଲକୁ ଆସୁଥିଲେ।

ଦାଦାବି ସମୟ ନଷ୍ଟ ନକରି ସ୍କୁଲର ଘଣ୍ଟି ବଜାଇବାକୁ କହିଥିଲେ। ଶିକ୍ଷକମାନଙ୍କୁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରୁ ବାହାର କରି ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ସେତେବେଳେ ଅନେକ ଛାତ୍ରଛାତ୍ରୀ ସ୍କୁଲ ବସ୍‌ରେ ଆସୁଥିଲେ। ଦାଦାବି ବସ୍‌ ଡ୍ରାଇଭରମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଫେରିଯିବାକୁ କହିଥିଲେ। ଗୋଟିଏ ବସ୍‌ ସହ ଯୋଗାଯୋଗ ହୋଇନଥିଲା। ଏହି ବସ୍‌ଟି ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ପାଣି ସ୍କୁଲ ପରିସରରେ ପ୍ରବେଶ କରିସାରିଥିଲା। ଦାଦାବି ସେହି ଡ୍ରାଇଭରଙ୍କୁ ମଧ୍ୟ ଫେରିଯିବାକୁ କହିଥିଲେ। ବସ୍‌ଟି ବ୍ରିଜ୍‌ ପାର ହେବାର କିଛି ସମୟ ପରେ ବ୍ରିଜ୍‌ଟି ଭାଙ୍ଗି ପଡ଼ିଥିଲା।

ବନ୍ୟାପାଣି ଦ୍ରୁତ ଗତିରେ ମାଡ଼ି ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ ପାହାଡ଼ିଆ ଉଚ୍ଚ ସ୍ଥାନକୁ ନିଆଯାଇଥିଲା। ଜଣେ ଛାତ୍ରୀ ଭୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୋଟରସାଇକେଲ୍‌ରେ ନିଆଯାଇଥିବା ବେଳେ ଅନ୍ୟମାନେ ପାଦରେ ଉଚ୍ଚ ସ୍ଥାନକୁ ଯାଇଥିଲେ। ଶେଷରେ ସେମାନେ ଏକ ଗଛ ନିକଟରେ ଆଶ୍ରୟ ନେଇଥିଲେ।

ଏହାର କିଛି ସମୟ ପରେ ଭୟଙ୍କର ବନ୍ୟାପାଣି ସ୍କୁଲ ଉପରେ ମାଡ଼ି ଆସିଥିଲା। ତିନି ମହଲା ବିଶିଷ୍ଟ ସ୍କୁଲ କୋଠା ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା। ତଥାପି ସମସ୍ତ ୧,୬୪୩ ଛାତ୍ରଛାତ୍ରୀ ସୁରକ୍ଷିତ ରହିଥିଲେ।

କିନ୍ତୁ ଏହି ସମୟରେ ସ୍କୁଲର ଜଣେ ଶିକ୍ଷକ ଏବଂ ଜଣେ କର୍ମଚାରୀ ପ୍ରାଣ ହରାଇଥିବା ଖବର ମିଳିଛି। ନବନିଯୁକ୍ତ ଶିକ୍ଷକ ସାଣ୍ଟୋସ୍‌ ପରିୟାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍କୁଲର ଜଣେ କର୍ମଚାରୀ ସୁଲତାନ ଲାମା ଛାତ୍ରଛାତ୍ରୀଙ୍କୁ ବାହାର କରିବା ପରେ ପୁଣି ସ୍କୁଲକୁ ଫେରିଥିଲେ ଏବଂ ପରେ ବନ୍ୟାରେ ଭାସିଯାଇଥିଲେ। 

୧,୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ବଞ୍ଚାଇବା ପରେ ସ୍ଥାନୀୟ ଲୋକେ ରାଜେନ୍ଦ୍ର ଦାଦାବିଙ୍କୁ ହିରୋ ବୋଲି କହୁଛନ୍ତି। କିନ୍ତୁ ସେ ନିଜେ ଏହାକୁ କୌଣସି ବୀରତ୍ୱର କାର୍ଯ୍ୟ ବୋଲି ଦେଖୁନାହାନ୍ତି। ବିପଦର ସଙ୍କେତ ମିଳିବା ପରେ ଜଣେ ପ୍ରଧାନଶିକ୍ଷକ ଭାବେ ଯାହା କରିବା ଆବଶ୍ୟକ ଥିଲା, ସେ କେବଳ ସେତିକି କରିଥିବା କହିଛନ୍ତି।

ନେପାଳରେ ଆକସ୍ମିକ ବନ୍ୟା ଆସିବା ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ବନ୍ୟାରେ ଘର, ରାସ୍ତା, ବ୍ରିଜ୍‌, ବିଦ୍ୟୁତ ଓ ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧ୍ୱଂସସ୍ତୂପ ମଧ୍ୟରୁ ଏବେ ବି ଜୀବନ ଖୋଜା ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।