Netaji Opted for Sanskrit in Civil Services Exam: ସଂସ୍କୃତରେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ସୁଭାଷ ଚନ୍ଦ୍ର ବୋଷ: ପ୍ରଧାନମନ୍ତ୍ରୀ ମୋଦି
୧୯୨୦ ମସିଆରେ ବ୍ରିଟିଶ ଶାସନ ସମୟରେ ସଂସ୍କୃତରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ। ଭାରତ ମଣ୍ଡପମରେ ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଏହି କାର୍ଯ୍ୟକ୍ରମକୁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଆକାଂକ୍ଷାର ଉତ୍ସବ ବୋଲି କହିଥିଲେ। ମୋଦି କହିଥିଲେ, ଏହା କେବଳ ଏକ ଅନୁଷ୍ଠାନର ୧୦୦ ବର୍ଷ ପୂର୍ତ୍ତି ନୁହେଁ, ବରଂ ଏହି ସଂସ୍ଥା ଉପରେ ପ୍ରତ୍ୟେକ ଭାରତୀୟଙ୍କ ରହିଥିବା ବିଶ୍ୱାସର ମଧ୍ୟ ଉତ୍ସବ। ଏହି ଶତାବ୍ଦୀର ଦୀର୍ଘ ଯାତ୍ରାରେ ପିଢ଼ି ବଦଳିଗଲା, ସରକାର ବଦଳିଲା, ପ୍ରଯୁକ୍ତିବିଦ୍ୟା ବଦଳିଲା ଏବଂ ପାଠ୍ୟକ୍ରମ ବଦଳିଗଲା, ତଥାପି UPSC ପ୍ରତି ବିଶ୍ୱାସ ଆଜି ମଧ୍ୟ ସେହିପରି ଅଟଳ ରହିଛି, ଏବଂ ଏହା ଆପଣଙ୍କର ସବୁଠାରୁ ବଡ଼ ସମ୍ପତ୍ତି ମଧ୍ୟରୁ ଗୋଟିଏ।
ଉତ୍ସବସ୍ଥଳରେ ପ୍ରଦର୍ଶିତ ଗ୍ୟାଲେରି ବୁଲି ଦେଖିବା ସମୟର ଅନୁଭୂତି ବର୍ଣ୍ଣନା କରି ମୋଦି କହିଥିଲେ ଯେ, ୧୯୨୦ ମସିହାରେ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଏହି ପ୍ରକ୍ରିୟା ଦେଇ ଯାଇଥିଲେ। ଯଦିଓ ସେତେବେଳେ ବ୍ରିଟିଶମାନେ କ୍ଷମତାରେ ଥିଲେ, କିନ୍ତୁ ସିଭିଲ ସର୍ଭିସ ପରୀକ୍ଷାରେ ସଂସ୍କୃତ ବିଷୟ ଥିଲା, ଏବଂ ସୁଭାଷ ବାବୁ ସଂସ୍କୃତରେ ତାଙ୍କର ପରୀକ୍ଷା ଦେଇଥିଲେ।
ୟୁପିଏସ୍ସିର ଐତିହାସିକ ଯାତ୍ରା ସମ୍ପର୍କରେ କହି ମୋଦି ବ୍ରିଟିଶ ଶାସନ ସମୟର ବ୍ୟବସ୍ଥା ଏବଂ ସ୍ୱାଧୀନତା ପରବର୍ତ୍ତୀ ପରିବର୍ତ୍ତନ ମଧ୍ୟରେ ତୁଳନା କରିଥିଲେ। ସ୍ୱାଧୀନ ଭାରତର ସ୍ୱପ୍ନ ପୂରଣ ଦିଗରେ ସିଭିଲ ସର୍ଭିସ ବ୍ୟବସ୍ଥା ନିଜର ଭୂମିକା ବଦଳାଇଥିବା ସେ କହିଥିଲେ। ଏବେ ଆଗାମୀ ୨୫ ବର୍ଷର ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ। ଦେଶ ସ୍ୱାଧୀନ ହେବା ପରେ ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ ଭିତ୍ତି ଦେବାରେ ସର୍ଦ୍ଦାର ପଟେଲଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଦେଶର ପୁନର୍ଗଠନ ପାଇଁ ଆବଶ୍ୟକ ‘ଷ୍ଟିଲ୍ ଫ୍ରେମ୍’ ସର୍ଦ୍ଦାର ପଟେଲ ଯୋଗାଇଥିଲେ ବୋଲି ମୋଦି କହିଥିଲେ।
ପ୍ରତିବର୍ଷ ଏପ୍ରିଲ ୨୧ ତାରିଖକୁ ଭାରତରେ ସିଭିଲ ସର୍ଭିସ ଡେ’ ଭାବେ ପାଳନ କରାଯାଏ। ୧୯୪୭ ମସିହାରେ ଦିଲ୍ଲୀର ମେଟକାଲ୍ଫ ହାଉସ୍ରେ ପ୍ରଶିକ୍ଷଣରତ ସିଭିଲ ସର୍ଭିସ ଅଧିକାରୀଙ୍କୁ ସର୍ଦ୍ଦାର ପଟେଲ ଦେଇଥିବା ଉଦ୍ବୋଧନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଏ। ସେତେବେଳେ ସେ ସିଭିଲ ସର୍ଭାଣ୍ଟମାନଙ୍କୁ ଭାରତର ‘ଷ୍ଟିଲ୍ ଫ୍ରେମ୍’ ବୋଲି କହିଥିଲେ।
ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ ସିଭିଲ ସର୍ଭିସ ଅଧିକାରୀଙ୍କୁ କମ୍ପାନୀର ନିର୍ଦ୍ଦେଶକମାନେ ମନୋନୀତ କରୁଥିଲେ। ପରେ ସେମାନଙ୍କୁ ଲଣ୍ଡନର ହେଲିବେରୀ କଲେଜରେ ପ୍ରଶିକ୍ଷଣ ଦିଆଯାଇ ଭାରତ ପଠାଯାଉଥିଲା। ୧୮୫୪ରେ ବ୍ରିଟିଶ ସଂସଦର ସିଲେକ୍ଟ କମିଟିରେ ଲର୍ଡ ମାକାଲେଙ୍କ ରିପୋର୍ଟ ପରେ ଯୋଗ୍ୟତାଭିତ୍ତିକ ଆଧୁନିକ ସିଭିଲ ସର୍ଭିସ ବ୍ୟବସ୍ଥାର ଧାରଣା ଆସିଥିଲା। ଏହାପରେ ୧୮୫୪ରେ ଲଣ୍ଡନରେ ସିଭିଲ ସର୍ଭିସ କମିଶନ ଗଠନ ହୋଇଥିଲା ଏବଂ ୧୮୫୫ରୁ ପ୍ରତିଯୋଗିତାମୂଳକ ପରୀକ୍ଷା ଆରମ୍ଭ ହୋଇଥିଲା।
ଭାରତରେ ୟୁପିଏସ୍ସିର ଯାତ୍ରା ୧୯୨୬ ଅକ୍ଟୋବର ୧ରେ ଦେଶର ପ୍ରଥମ ପବ୍ଲିକ ସର୍ଭିସ କମିଶନ ଗଠନରୁ ଆରମ୍ଭ ହୋଇଥିଲା। ୧୯୩୭ ଏପ୍ରିଲ ୧ରେ ଏହା ଫେଡେରାଲ ପବ୍ଲିକ ସର୍ଭିସ କମିଶନରେ ପରିଣତ ହୋଇଥିଲା। ଭାରତୀୟ ସମ୍ବିଧାନ ୧୯୫୦ ଜାନୁଆରୀ ୨୬ରେ ଲାଗୁ ହେବା ପରେ ଫେଡେରାଲ ପବ୍ଲିକ ସର୍ଭିସ କମିଶନର ନାମ ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ୍ସି ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।