Netanyahu: ଇସ୍ରାଏଲରେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ନେତାନ୍ୟାହୁ

Oct 30, 2026 - 18:58
Netanyahu: ଇସ୍ରାଏଲରେ ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ନେତାନ୍ୟାହୁ

ତେଲ୍‌ଆଭିଭ୍‌: ଇସ୍ରାଏଲ ରେ ସାଧାରଣ ନିର୍ବାଚନ ପରେ ସରକାର ଗଠନକୁ ନେଇ ରାଜନୈତିକ ଅନିଶ୍ଚିତତା ଦେଖାଦେଇଛି।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ୫୩ଟି ଆସନ ଜିତିଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ୬୧ଟି ଆସନଠାରୁ ପଛରେ ରହିଛି।

ଅନ୍ୟପକ୍ଷରେ ବିରୋଧୀ ମେଣ୍ଟକୁ ୪୮ଟି ଆସନ ମିଳିଛି।

ଫଳରେ ସଂସଦରେ ମୋଟ ୧୯ଟି ଆସନ ଜିତିଥିବା ଆରବ ଦଳଗୁଡ଼ିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ସୃଷ୍ଟି ହୋଇଛି।

ଇସ୍ରାଏଲର କେନ୍ଦ୍ରୀୟ ନିର୍ବାଚନ କମିଟି ଗୁରୁବାର ପ୍ରକାଶ କରିଥିବା ଚୂଡ଼ାନ୍ତ ଭୋଟ୍‌ ଗଣତି ତଥ୍ୟ ଆଧାରରେ ଏହି ଚିତ୍ର ସ୍ପଷ୍ଟ ହୋଇଛି।

ନେତାନ୍ୟାହୁଙ୍କ ଲିକୁଡ୍‌ ଦଳ ୨୭ଟି ଆସନ ପାଇ ଇସ୍ରାଏଲ ସଂସଦ 'କ୍ନେସେଟ୍‌'ର ସର୍ବବୃହତ୍‌ ଦଳ ହୋଇଛି।

ତେବେ ତାଙ୍କ ମେଣ୍ଟ ପାଇଁ ସରକାର ଗଠନର ରାସ୍ତା ସହଜ ନୁହେଁ।

ବିରୋଧୀ ଶିବିରର ନେତୃତ୍ୱ ନେଉଥିବା ପୂର୍ବତନ ସେନାମୁଖ୍ୟ ଗାଦି ଆଇଜେନକୋଟ୍‌ଙ୍କ ସାମ୍ନାରେ ମଧ୍ୟ ସମାନ ସମସ୍ୟା ରହିଛି।

ଆରବ ଦଳଗୁଡ଼ିକର ସମର୍ଥନ ବିନା ଉଭୟ ପକ୍ଷ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବା କଷ୍ଟକର।

Advertisment ଆରବ ଦଳଙ୍କ ସମର୍ଥନ ଉପରେ ନଜର ଆରବ ଦଳଗୁଡ଼ିକ ମଧ୍ୟରେ ମନ୍‌ସୁର ଆବାସ୍‌ଙ୍କ ନେତୃତ୍ୱାଧୀନ ରାମ୍‌ ଏବଂ ୟୁସେଫ୍‌ ଜାବାରିନ୍‌ଙ୍କ ନେତୃତ୍ୱାଧୀନ ଜଏଣ୍ଟ ଲିଷ୍ଟ ରହିଛି।

ଏହି ଦଳଗୁଡ଼ିକ ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ତେବେ ସେମାନଙ୍କୁ ମେଣ୍ଟରେ ସାମିଲ କରିବା କିମ୍ବା ସେମାନଙ୍କ ସମର୍ଥନ ନେବା ପ୍ରସଙ୍ଗରେ ବିରୋଧୀ ଶିବିର ମଧ୍ୟରେ ମତଭେଦ ରହିଛି।

ଆଇଜେନକୋଟ୍‌ ସର୍ତ୍ତସାପେକ୍ଷ ଭାବେ ଆରବ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାର ସମ୍ଭାବନାକୁ ଖୋଲା ରଖିଛନ୍ତି।

ଜଏଣ୍ଟ ଲିଷ୍ଟର ନେତା ଅହମଦ ତିବିଙ୍କ କହିବା ଅନୁଯାୟୀ, ବିରୋଧୀ ମେଣ୍ଟ କ୍ନେସେଟ୍‌ର ବାଚସ୍ପତି ପରିବର୍ତ୍ତନ ପ୍ରସଙ୍ଗରେ ତାଙ୍କ ଦଳ ସହ ଆଲୋଚନା କରିଛି।

ଆରବ ଦଳଗୁଡ଼ିକ ନିଜ ସମ୍ପ୍ରଦାୟରେ ବଢ଼ୁଥିବା ସଂଗଠିତ ଅପରାଧ, ଗୃହ ଅଭାବ, ଭେଦଭାବ ଓ ବିକାଶ ପାଇଁ ପାଣ୍ଠିର ଅଭାବ ଭଳି ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଚାହୁଛନ୍ତି।

ନେତାନ୍ୟାହୁଙ୍କ ପାଇଁ ରାଜନୈତିକ ଚ୍ୟାଲେଞ୍ଜ ନେତାନ୍ୟାହୁ କ୍ଷମତା ହରାଇଲେ ତାଙ୍କ ବିରୋଧରେ ଚାଲିଥିବା ଦୀର୍ଘକାଳୀନ ଦୁର୍ନୀତି ମାମଲାରେ ଉତ୍ତରଦାୟିତ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ।

୨୦୨୩ ଅକ୍ଟୋବର ୭ରେ ହମାସ୍ ‌ ପକ୍ଷରୁ ହୋଇଥିବା ଭୟଙ୍କର ଆକ୍ରମଣକୁ ରୋକିବାରେ ସୁରକ୍ଷା ବ୍ୟବସ୍ଥାର ବିଫଳତା ନେଇ ମଧ୍ୟ ତଦନ୍ତ ଦାବି ଜୋର୍‌ ଧରିପାରେ।

ଏହି କାରଣରୁ ସେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।

ଅନ୍ୟପକ୍ଷରେ, ଆରବ ଦଳଗୁଡ଼ିକ ସହ ସହଯୋଗ କରିବାକୁ ବିରୋଧୀ ନେତାମାନେ ରାଜି ନ ହେଲେ ଇସ୍ରାଏଲରେ ପୁଣି ନିର୍ବାଚନ ହେବା କିମ୍ବା ନେତାନ୍ୟାହୁଙ୍କ ସହ ମିଶି ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି।

ତେଣୁ ଆଗାମୀ ଦିନରେ ଆରବ ଦଳଗୁଡ଼ିକ କେଉଁ ପକ୍ଷକୁ ସମର୍ଥନ କରିବେ ଏବଂ ବିରୋଧୀ ଶିବିର ସେମାନଙ୍କ ସହ କେତେଦୂର ସହଯୋଗ କରିବ, ତାହା ଇସ୍ରାଏଲର ପରବର୍ତ୍ତୀ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିପାରେ।

ଋଣ ଖିଲାପୀଙ୍କ ଘରେ ତାଲା!

୭ ଡିସିମିଲ ଜମି ସହ କୋଠାଘର ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।