New NMC Rules Restrict Social Media Promotions: ଡାକ୍ତରଙ୍କ ପାଇଁ ବଡ଼ ନିୟମ, ରୋଗୀଙ୍କ ରିଭ୍ୟୁ ଦେଖାଇ ଆଣିପାରିବେନି ରୋଗୀ
ଡାକ୍ତର ଓ ହସ୍ପିଟାଲ୍ର ଡିଜିଟାଲ୍ ପ୍ରମୋସନ୍କୁ ନେଇ ବଡ଼ ପଦକ୍ଷେପ ନେଇଛି ନ୍ୟାସନାଲ୍ ମେଡିକାଲ କମିଶନ (NMC)। ଏଣିକି ରୋଗୀଙ୍କ ରିଭ୍ୟୁ, ଟେଷ୍ଟିମୋନିଆଲ୍, ପେଡ୍ ପ୍ରମୋସନ୍ କିମ୍ବା ଭୁଲ ଦାବି ଦେଖାଇ ଡାକ୍ତର ଓ ହସ୍ପିଟାଲ୍ ରୋଗୀ ଆକୃଷ୍ଟ କରିପାରିବେନି। ଅକ୍ଟୋବର ୬ରେ NMC ପକ୍ଷରୁ ଜାରି ହୋଇଥିବା Guidelines on Ethical Advertising and Public Communication ତୁରନ୍ତ ଲାଗୁ ହୋଇଛି।
ନୂଆ ନିୟମ ଅନୁସାରେ ଡାକ୍ତର କିମ୍ବା ହସ୍ପିଟାଲ୍ ରୋଗୀଙ୍କ ଅନୁଭୂତି, ସୁସ୍ଥ ହେବାର କାହାଣୀ, ପ୍ରଶଂସା, ରିଭ୍ୟୁ କିମ୍ବା ରେଟିଂକୁ ନିଜର ବ୍ୟବସାୟିକ ପ୍ରଚାର ପାଇଁ ବ୍ୟବହାର କରିପାରିବେନି। ପେଡ୍, ନକଲି କିମ୍ବା ଭ୍ରମାତ୍ମକ ରିଭ୍ୟୁ ଓ ରେଟିଂ କିଣିବା, ପ୍ରକାଶ କରିବା କିମ୍ବା ତାହାରେ କୃତ୍ରିମ ଭାବେ ପରିବର୍ତ୍ତନ କରିବା ମଧ୍ୟ ନିଷେଧ କରାଯାଇଛି।
ବର୍ତ୍ତମାନ ଅନେକ ଡାକ୍ତର Instagram, YouTube ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସହ ନିଜର ବ୍ୟକ୍ତିଗତ ବ୍ରାଣ୍ଡ ଗଢ଼ୁଛନ୍ତି। ଏହା ମାଧ୍ୟମରେ ନୂଆ ରୋଗୀ ଆକୃଷ୍ଟ କରିବାର ପ୍ରଚଳନ ବଢ଼ିଥିବା ବେଳେ NMC ଏବେ ସ୍ୱାସ୍ଥ୍ୟ ସଚେତନତା ଓ ବ୍ୟାବସାୟିକ ପ୍ରଚାର ମଧ୍ୟରେ ସ୍ପଷ୍ଟ ସୀମାରେଖା ଟାଣିଛି।
AI ବିଜ୍ଞାପନ ବି ନିୟମ ଅଧୀନରେ
ନୂଆ ଗାଇଡଲାଇନ୍ରେ ‘ବିଜ୍ଞାପନ’ର ପରିସରକୁ ବ୍ୟାପକ କରାଯାଇଛି। ହସ୍ପିଟାଲ୍ କିମ୍ବା ଡାକ୍ତରଙ୍କ ୱେବସାଇଟ୍, ସୋସିଆଲ୍ ମିଡିଆ, ମେସେଜିଂ ପ୍ଲାଟଫର୍ମ, ପଡକାଷ୍ଟ, ଇନ୍ଫ୍ଲୁଏନ୍ସର କ୍ୟାମ୍ପେନ୍, ସ୍ପନ୍ସର୍ଡ ପୋଷ୍ଟ ଏବଂ AI-generated କିମ୍ବା AI-assisted promotional content ମଧ୍ୟ ଏହି ନିୟମ ଅଧୀନରେ ଆସିବ।
ଡାକ୍ତର ନିଜର ଚିକିତ୍ସା, ଦକ୍ଷତା କିମ୍ବା ସୁବିଧା ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ଦାବି କରିପାରିବେନି, ଯଦି ସେହି ଦାବିର ପ୍ରମାଣ ନଥାଏ। ସେହିପରି ଚିକିତ୍ସାରେ ନିଶ୍ଚିତ ସଫଳତା ମିଳିବ ବୋଲି ଗ୍ୟାରେଣ୍ଟି ଦେବା କିମ୍ବା ଅନାବଶ୍ୟକ ଟେଷ୍ଟ ଓ ପ୍ରକ୍ରିୟା ପାଇଁ ରୋଗୀଙ୍କୁ ଉତ୍ସାହିତ କରିବା ମଧ୍ୟ ନିଷେଧ।
ରୋଗୀଙ୍କ ଫଟୋ, ଭିଡିଓରେ ବି କଟକଣା
ରୋଗୀଙ୍କ ଫଟୋ, ଭିଡିଓ, କ୍ଲିନିକାଲ୍ ଇମେଜ୍ କିମ୍ବା ଚିକିତ୍ସାର କାହାଣୀକୁ ପ୍ରଚାର ପାଇଁ ବ୍ୟବହାର କରିବା ନେଇ ମଧ୍ୟ NMC କଠୋର ନିୟମ କରିଛି। ରୋଗୀ ସମ୍ମତି ଦେଇଥିଲେ ମଧ୍ୟ ପ୍ରତ୍ୟେକ ପ୍ରକାରର ପ୍ରମୋସନ୍ ବୈଧ ହୋଇଯିବ ନାହିଁ।
ବିଶେଷକରି ପୂର୍ବ ଓ ପରର ଫଟୋ, ସଫଳତାର କାହାଣୀ ଓ ପ୍ରମୋସନାଲ୍ ରୋଗୀଙ୍କ କଥା କେବଳ ରୋଗୀଙ୍କ ଅନୁମତି ଆଧାରରେ ବ୍ୟବହାର କରାଯାଇପାରିବନି। ଯେଉଁଠାରେ ସମ୍ମତି ଆବଶ୍ୟକ, ସେଠାରେ ଏହା ସ୍ପଷ୍ଟ, ସୂଚିତ, ସ୍ୱେଚ୍ଛାକୃତ, ଲିଖିତ ଭାବେ ରେକର୍ଡ ଓ ଯାଞ୍ଚଯୋଗ୍ୟ ହେବା ଆବଶ୍ୟକ।
ଇନ୍ଫ୍ଲୁଏନ୍ସର ଦ୍ୱାରା ପ୍ରଚାର କଲେ ବି ଦାୟିତ୍ୱ ରହିବ
କୌଣସି ଡାକ୍ତର କିମ୍ବା ହସ୍ପିଟାଲ୍ ନିଜର ପ୍ରଚାର ପାଇଁ ଆଡ୍ଭର୍ଟାଇଜିଂ ଏଜେନ୍ସି, ଇନ୍ଫ୍ଲୁଏନ୍ସର କିମ୍ବା ଡିଜିଟାଲ୍ ମାର୍କେଟିଂ କମ୍ପାନୀର ସହାୟତା ନେଲେ ମଧ୍ୟ ଦାୟିତ୍ୱରୁ ମୁକ୍ତ ହେବେନି। ପ୍ରଚାରକୁ ଅନୁମୋଦନ କରିଥିଲେ, ସ୍ପନ୍ସର କରିଥିଲେ କିମ୍ବା ଜାଣିଶୁଣି ଅନୁମତି ଦେଇଥିଲେ, ନିୟମ ଭଙ୍ଗ ପାଇଁ ଚିକିତ୍ସକ କିମ୍ବା ସଂସ୍ଥା ଦାୟୀ ହେବେ।
ଏହି ନୂଆ ନିୟମ ଫଳରେ ସୋସିଆଲ୍ ମିଡିଆରେ ରୋଗୀଙ୍କ ରିଭ୍ୟୁ ଓ ସଫଳତାର କାହାଣୀ ଦେଖାଇ ରୋଗୀ ଆକୃଷ୍ଟ କରିବାର ପ୍ରଚଳନରେ ବଡ଼ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।