New US Visa Fees Could Raise Costs for Indian Students: H-1B ଓ OPT ପାଇଁ ନୂଆ ଫି’, ଭାରତୀୟ ଛାତ୍ରଙ୍କ ବଢ଼ିଲା ଚିନ୍ତା
ଆମେରିକାରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ଟେକ୍ନୋଲୋଜି ପ୍ରଫେସନାଲଙ୍କ ପାଇଁ ଆମେରିକା ଯିବା ଖର୍ଚ୍ଚ ପୁଣି ବଢ଼ିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ପ୍ରଶାସନ ପକ୍ଷରୁ ଭିସା ନେଇ ଯାଞ୍ଚ ଓ କଡ଼ାକଡ଼ି ବଢ଼ାଯାଉଥିବା ବେଳେ ଏବେ H-1B ୱର୍କ ଭିସା ଏବଂ F-1 Optional Practical Training (OPT) ପ୍ରୋଗ୍ରାମ ପାଇଁ ନୂଆ ଫି’ ଲାଗୁ କରିବା ନେଇ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ପ୍ରକ୍ରିୟା ଆରମ୍ଭ କରିଛି।
ନ୍ୟୁୟର୍କସ୍ଥିତ ଇମିଗ୍ରେସନ୍ ଲ’ ଫାର୍ମ Fragomen ଅନୁସାରେ, H-1B ଏବଂ F-1 OPT ପ୍ରୋଗ୍ରାମ ପାଇଁ ନୂଆ ଫି’ ନିର୍ଦ୍ଧାରଣ ନେଇ ପ୍ରସ୍ତାବ ପ୍ରକ୍ରିୟା ଚାଲିଛି। ତେବେ ଏହି ପ୍ରସ୍ତାବଗୁଡ଼ିକ ଏବେ ବିଚାରାଧୀନ ଥିବାରୁ ନୂଆ ଫି’ର ପରିମାଣ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।
ଭାରତୀୟଙ୍କ ପାଇଁ ଏହି ଖବର ବିଶେଷ ଗୁରୁତ୍ୱ ରଖୁଛି। ଆମେରିକାର USCIS (US Citizenship and Immigration Services) ରିପୋର୍ଟ ଅନୁସାରେ, ୨୦୨୪ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା H-1B ଆବେଦନଗୁଡ଼ିକର ୭୧ ପ୍ରତିଶତ ଭାରତରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଥିଲା। ତେଣୁ ନୂଆ ଫି’ ଲାଗୁ ହେଲେ ଭାରତୀୟ ପ୍ରଫେସନାଲ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।
H-1B ଆବେଦନକାରୀଙ୍କ ପାଇଁ ଗତ ଏକ ବର୍ଷ ମଧ୍ୟ ବେଶ୍ ଅସ୍ଥିର ରହିଛି। ଟ୍ରମ୍ପ ପ୍ରଶାସନ କିଛି H-1B ଆବେଦନ ପାଇଁ ୧ ଲକ୍ଷ ଡଲାରର ପେମେଣ୍ଟ ବାଧ୍ୟତାମୂଳକ କରିଥିଲା। ପରେ ଏକ ଫେଡେରାଲ୍ କୋର୍ଟ ଏହି ଶୁଳ୍କକୁ ରଦ୍ଦ କରିଥିଲେ।
H-1B ଭିସା ମୁଖ୍ୟତଃ ବିଦେଶୀ ପ୍ରଫେସନାଲଙ୍କୁ ବିଶେଷ ଦକ୍ଷତା ଆବଶ୍ୟକ ହେଉଥିବା ଚାକିରିରେ କାମ କରିବା ପାଇଁ ଦିଆଯାଏ। ଅନ୍ୟପକ୍ଷରେ, F-1 Optional Practical Training ବା OPT ପ୍ରୋଗ୍ରାମ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ନିଜ ପାଠପଢ଼ା ସହ ସମ୍ପର୍କିତ କ୍ଷେତ୍ରରେ ସାମୟିକ ଭାବେ କାମ କରିବାର ସୁଯୋଗ ଦିଏ।
ନ୍ୟୁୟର୍କସ୍ଥିତ Fragomen ଅଗଷ୍ଟ ୨୧ରେ ଜାରି କରିଥିବା ଏକ ସୂଚନାରେ କହିଛି ଯେ, H-1B ଏବଂ F-1 OPT ପ୍ରୋଗ୍ରାମକୁ ପ୍ରଭାବିତ କରିବାକୁ ଥିବା ନୂଆ ଫି’ ନେଇ ଆମେରିକାର DHS ନିୟାମକ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ପ୍ରସ୍ତାବିତ ଫି’ କେତେ ହେବ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।