New Vision for Odisha’s Development: ମୋହନଙ୍କ ବିକାଶର ନୂଆ ନକ୍ସା -ଏବେ ସ୍ୱପ୍ନକୁ ସମ୍ଭାବନାରେ ପରିଣତ କରିବାର ଆହ୍ୱାନ
ସ୍ୱପ୍ନ ସବୁବେଳେ ସୁନ୍ଦର । ଏହା ଏକ କଳ୍ପନା ଏବଂ ଏହାକୁ ସମ୍ଭାବନାରେ ପରିଣତ କରିପାରିଲେ, ଜଣେ ବ୍ୟକ୍ତିର ଜୀବନ ହୁଏ ଚରିତାର୍ଥ । ସେହିପରି ଏକ ଅନୁଷ୍ଠାନ ବା ସରକାରୀ ପ୍ରତିଷ୍ଠାନ ଦେଖିଥବା ବା ବୁଣିଥିବା ସ୍ୱପ୍ନକୁ ସାକାର କରିପାରିଲେ ତାହା ଦ୍ୱାରା ସେ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇଥାଏ । ଠିକ୍ ଏହିପରି ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀର ଗାନ୍ଧିମାର୍ଗରେ ଏକ ଦୀର୍ଘ ଅଭିଭାଷଣ ପ୍ରଦାନ କରିବା ଅବସରରେ ଅନେକ ସ୍ୱପ୍ନର ଅବତାରଣା କରିଛନ୍ତି । ତାଙ୍କର ଏହି ଅଭିଭାଷଣ କେବଳ ସରକାରଙ୍କ ସଫଳତାର ଏକ ତାଲିକା ନଥିଲା; ବରଂ ଏହା ଥିଲା ତାଙ୍କ ସରକାରର ବିକାଶ ମଡେଲ୍କୁ ନେଇ ଏକ ସ୍ପଷ୍ଟ ରାଜନୈତିକ ନ୍ୟାରେଟିଭ୍ ବା ବର୍ଣ୍ଣନ ।
ପୁଞ୍ଜିନିବେଶ, ଭତ୍ତିିଭୂମି, ଶିଳ୍ପାୟନ ଓ ରାଜ୍ୟର ଦ୍ରୁତ ଆର୍ଥିକ ପରିବର୍ତ୍ତନକୁ ସେ ନିଜ ସରକାରର ପ୍ରମୁଖ ପରିଚୟ ଭାବେ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି । ବାର୍ତ୍ତାଟି ହେଲା ଏବେ ରାଜ୍ୟ ତାଙ୍କ ନେତୃତ୍ୱରେ ଏକ ଶିଳ୍ପ ଅନୁକୁଳ ପରିବେଶ ପ୍ରଦେଶ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ରାଜ୍ୟ ଏବେ ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସର ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି । ସମ୍ଭାଷଣ ମାଧ୍ୟମରେ ସେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ରାଜ୍ୟର ନିବେଶ ଛବି ବଦଳୁଛି । “ୟହି ସମୟ ହୈ, ସହି ସମୟ ହୈ” ଭଳି ଏକ ବାର୍ତ୍ତା ଦେଇ ସେ ଶିଳ୍ପପତି ଓ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାର ଏକ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ଏବେ ଶିଳ୍ପ ପ୍ରତିଷ୍ଠା ପାଇଁ ଦୃୃଢ ଭିତ୍ତିଭୂମି ପ୍ରତିଷ୍ଠା ହୋଇପାରିଛି । ରାଜ୍ୟର ସକଳ ଘରୋଇ ଉତ୍ପାଦ ବା ଏସ୍ଜିଡିପିର ୬.୫ ପ୍ରତିଶତ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ ରାଜ୍ୟର ଏହି ନୀତି ଦର୍ଶାଉଛି ଯେ ରାସ୍ତା, ରେଳ, ବନ୍ଦର, ବିମାନବନ୍ଦର ଓ ଆର୍ଥିକ କରିଡରକୁ ଏକାଠି କରି ଓଡ଼ିଶାର ଅଥର୍ନୀତିକୁ ନୂଆ ଗତି ଦେବାକୁ ତାଙ୍କ ସରକାର ଚାହୁଁଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟ କିପରି ଡବଲ ଇଂଜିନ୍ର ଲାଭ ପାଉଛି, ସେ ସମ୍ପର୍କରେ ଅବତାରଣା କରିବାକୁ ଚେଷ୍ଟା କରିଛନ୍ତି । କେନ୍ଦ୍ର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ, ୫୯ଟି ରେଳ ଷ୍ଟେସନର ଆଧୁନିକୀକରଣ, ପ୍ରାୟ ୪୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପରି ପ୍ରକଳ୍ପକୁ ପ୍ରତ୍ୟକ୍ଷ ସହାୟତା ଯୋଗାଇଦେବା ଡବଲ ଇିଂଜିନ୍ ସରକାରର ନେଟ୍ ଲାଭ ବୋଲି ସେ ଏକ ଧାରଣା ଦେବା ପାଇଁ ପ୍ରୟାସ କରିଛନ୍ତି ।
ଭୁବନେଶ୍ୱର-କଟକ-ପୁରୀ- ପାରାଦୀପ ଆର୍ଥିକ କରିଡର ବା ଅଞ୍ଚଳର ବିକାଶକୁ ମଧ୍ୟ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିବା ସହିତ ଊପଳୂଳ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପି ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ସେ ଭାଷଣରେ ଦୋହାରାଇଥିଲେ ।
ରାଜ୍ୟର ବିକାଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ କେନ୍ଦ୍ରୀୟ ସହେଯାଗ ସହ ଯୋଡ଼ି ମୁଖ୍ୟମନ୍ତ୍ରୀ ମୂଳତଃ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ଯେ ଭୁବେନଶ୍ୱର ଓ ନୂଆଦିଲ୍ଲୀରେ ସମାନ ରାଜେନୈତିକ ଦଳର ସରକାର ରହିବା ଓଡ଼ିଶା ପାଇଁ ଏକ ବିକାଶମୂଳକ ସୁଯୋଗ ସୃଷ୍ଟି ହୋଇଛି ଏବଂ ଏବେ ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ।
୨୪ ବର୍ଷର ବିଜେଡ଼ି ଶାସନ ପରେ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବାର ପ୍ରଚେଷ୍ଟାରେ ଅଛି । ପୂର୍ବ ସରକାରର କଲ୍ୟାଣମୂଳକ ରାଜନୀତିର ବିକଳ୍ପ ଭାବେ ନିବେଶ, ଶିଳ୍ପ, ଭିତ୍ତିଭୂମି ଓ ଚାକିରିକୁ କେନ୍ଦ୍ର କରି ଏକ ‘ବିକାଶ ରାଜନୀତି’ ଗଢ଼ିବା ପାଇଁ ମୋହନ ମାଝୀ ସରକାର ଉଦ୍ୟମ କରୁଥିବା ତାଙ୍କ ଭାଷଣରୁ ବେଶ୍ ବାରି ହୋଇପଡ଼ୁଥିଲା ।
ବାମପନ୍ଥୀ ଉଗ୍ରବାଦର ଅବସାନକୁ ମଧ୍ୟ ମାଝୀ ତାଙ୍କ ବିକାଶ କାହାଣୀ ସହ ଯୋଡ଼ିଛନ୍ତି । ଏକଦା ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଅଞ୍ଚଳ ‘ରେଡ୍ କରିଡର’ ପ୍ରଭାବିତ ଥିବା ବେଳେ ଏବେ ସେହି ପରିସ୍ଥିତି ବଦଳିଛି ବୋଲି ସେ କହିଛନ୍ତି । ଆଇନଶୃଙ୍ଖଳ।ର ସୁଧାରକୁ ମଧ୍ୟ ନିବେଶ ଓ ବିକାଶର ପୂର୍ବାଧାରା ବୋଲି ସେ କହିବା ସହିତ ଏହା ତାଙ୍କ ସରକାରଙ୍କ ଏକ ବଡ଼ ସଫଳତା ବୋଲି ସେ ଦାବି କରିଥିଲେ ।
କିନ୍ତୁ ଏହି ବିକାଶ ନ୍ୟାରେଟିଭ ସଫଳତା ଶେଷରେ ଘୋଷଣାରେ ନୁହେଁ, ଡେଲିଭରିରେ ନିର୍ଭର କରିବ । ରାସ୍ତା ହେଲେ ଯାତାୟତ କେତେ ସହଜ ହେଲା, ଶିଳ୍ପ ଆସିଲେ ସ୍ଥାନୀୟ ଯୁବକଙ୍କୁ କେତେ ଚାକିରି ମିଳିଲା, ନିବେଶ ଆସିଲେ ରାଜ୍ୟର ରାଜସ୍ୱ କେତେ ବଢ଼ିଲା ଏବଂ ବିକାଶର ଲାଭ ଦୁଗର୍ମ ଅଞ୍ଚଳର ଲୋକଙ୍କ ପାଖରେ କେତେ ପହଞ୍ଚିଲା—ଏସବୁ ହିଁ ମାଝୀ ସରକାରର ରାଜନୈତିକ ମୂଲ୍ୟାୟନର ମୁଖ୍ୟ ମାପକ ହେବ ।
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଯେଉଁ ବଡ଼ ଚିତ୍ର ଆଙ୍କିଛନ୍ତି, ତାହା ସ୍ପଷ୍ଟ—ଓଡ଼ିଶାକୁ କେବଳ ସମ୍ପଦସମୃଦ୍ଧ ରାଜ୍ୟ ନୁହେଁ, ବରଂ ନିବେଶ, ଶିଳ୍ପ ଓ ଭିତ୍ତିଭୂମିର ଏକ ପ୍ରମୁଖ ଜାତୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା । ଏବେ ଦେଖିବାର ବିଷୟ, ଏହି ରାଜନୈତିକ ନ୍ୟାରେଟିଭ୍ କେତେ ଶୀଘ୍ର ବାସ୍ତବତାର ରୂପ ନେଉଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଭାଷଣର ସବୁଠାରୁ ବଡ଼ ରାଜେନୈତିକ ଘୋଷଣା ଥିଲା ୩୧ ହଜାର କୋଟି ଟଙ୍କାର ତିନିଟି ବଡ଼ ରାସ୍ତା ପ୍ରକଳ୍ପ । ବ୍ରହ୍ମପୁର-ଜୟପୁର ଓ ପାରଳାଖେମୁଣ୍ଡି-ଅମ୍ବାଭୋନା ମଧ୍ୟରେ ନମୋ ଏକ୍ସପ୍ରେସୱେ ଏବଂ ମୋଟୁ-ତିରିଂ ମଧ୍ୟରେ ଅଟଳ ଏକ୍ସପ୍ରେସୱେ ପ୍ରସ୍ତାବ ମାଧ୍ୟମରେ ସରକାର ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଏବଂ ସୀମାନ୍ତ ଅଞ୍ଚଳକୁ ଉନ୍ନତ ସଡ଼କ ଯୋଗ।ଯୋଗରେ ଯୋଡ଼ିବାର ଚିତ୍ର ଆଙ୍କିଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଥିଲେ ।
ଏଠାରେ ଏକ ବଡ଼ ରାଜନୈତିକ ପ୍ରଶ୍ନ ମଧ୍ୟ ରହିଛି ଯେ ଘୋଷଣା ଓ ପ୍ରକଳ୍ପର ଆକାର ନିଶ୍ଚିତ ଭାବେ ବଡ଼, କିନ୍ତୁ ଏହାର ପ୍ରଭାବ ଲୋକଙ୍କ ଜୀବନରେ କେତେ ଶୀଘ୍ର ଦେଖାଯିବ? ନିବେଶ ପ୍ରସ୍ତାବ କେତୋଟି ପ୍ରକୃତ ଶିଳ୍ପରେ ପରିଣତ ହେବ? କେତେ ନୂଆ ଚାକିରି ସୃଷ୍ଟି ହେବ?
ଭିତ୍ତିଭୂମିରେ ହେଉଥିବା ବ୍ୟାପକ ଖଚ୍ଚର୍ର ଲାଭ ରାଜ୍ୟର ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳ ପର୍ଯ୍ୟନ୍ତ କେତେ ଦୂର ପହଞ୍ଚିବ—ଏସବୁ ହେବ ସରକାରଙ୍କ ପାଇଁ ପ୍ରକୃତ ପରୀକ୍ଷା ।
ମୁଖ୍ୟମନ୍ତ୍ରୀଙ୍କ ଭାଷଣ ନିଶ୍ଚିତ ଭାବରେ ବେଶ୍ ଆକର୍ଷଣୀୟ ଓ ପ୍ରଭାବୀ ଥିଲା । କିନ୍ତୁ ସବୁ କିଛି ନିର୍ଭର କରୁଛି ଯେ ସେ କିପରି ତାଙ୍କର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରୁଛନ୍ତି ।
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।