ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

Sep 16, 2026 - 22:39
ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏକ ନୂଆ ଅଧ୍ୟୟନରେ ବାୟୁ ପ୍ରଦୂଷଣ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଇବା ନେଇ ଉଲ୍ଲେଖ କରାଯାଇଛି ।

ବ୍ରିଟେନ୍‌ର କ୍ୱିନ୍ସ ୟୁନିଭର୍ସିଟି ବେଲଫାଷ୍ଟର ଗବେଷକମାନେ ୨୯ଟି ଅଧ୍ୟୟନର ଫଳାଫଳକୁ ସମୀକ୍ଷା କରିଛନ୍ତି । ଏଥିରେ ଅଳ୍ପ ସମୟ ଓ ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣର ସଂସ୍ପର୍ଶକୁ ବିଚାର କରାଯାଇଥିଲା। ବିଶେଷକରି PM2.5, PM10 ଏବଂ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ (NO₂) ଭଳି ପ୍ରଦୂଷକ ସମ୍ପର୍କରେ ଅଧ୍ୟୟନ କରାଯାଇଛି। ଗବେଷକଙ୍କ ଅନୁସାରେ, ଅଧିକ ବାୟୁ ପ୍ରଦୂଷଣର ସଂସ୍ପର୍ଶ ଓ ଆତ୍ମହତ୍ୟା ସମ୍ପର୍କିତ ମଧ୍ୟରେ ସମ୍ପର୍କ ଥିବାର ସଙ୍କେତ ମିଳିଛି। ତେବେ ଏହାକୁ ବାୟୁ ପ୍ରଦୂଷଣ ହିଁ ଆତ୍ମହତ୍ୟାର ପ୍ରତ୍ୟକ୍ଷ କାରଣ ବୋଲି ଧରାଯାଇପାରିବ ନାହିଁ । ଆତ୍ମହତ୍ୟା ପ୍ରବୃତ୍ତି ଉପରେ ବ୍ୟକ୍ତିଗତ ପରିସ୍ଥିତି, ଜୈବିକ କାରଣ, ମାନସିକ ସ୍ୱାସ୍ଥ୍ୟ ଏବଂ ସାମାଜିକ ଓ ପରିବେଶଗତ ପରିସ୍ଥିତି ଭଳି ଅନେକ କାରକ ପ୍ରଭାବ ପକାଇପାରେ।

PM2.5 ଓ PM10 ହେଉଛି ବାୟୁରେ ଥିବା ଅତି ସୂକ୍ଷ୍ମ କଣିକା। ବିଶେଷକରି PM2.5 ଏତେ ସୂକ୍ଷ୍ମ ଯେ ଶ୍ୱାସ ନେବା ସମୟରେ ଏହା ଶରୀରର ଗଭୀର ଅଂଶକୁ ପହଞ୍ଚିପାରେ । ଅନ୍ୟପକ୍ଷରେ, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ମୁଖ୍ୟତଃ ଯାନବାହନ ଚଳାଚଳ ଓ ଇନ୍ଧନ ଜଳିବା ଭଳି କାର୍ଯ୍ୟକଳାପରୁ ନିର୍ଗତ ହୁଏ। ବିଶେଷଜ୍ଞଙ୍କ ମତରେ, ଏଭଳି ପ୍ରଦୂଷକର ସଂସ୍ପର୍ଶ ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ପାଇଁ ଦୀର୍ଘ ସମୟ ଧରି ରହିଥାଏ। ପୂର୍ବରୁ ମଧ୍ୟ ବାୟୁ ପ୍ରଦୂଷଣ ଓ ଅବସାଦ, ଚିନ୍ତା ଭଳି ମାନସିକ ସମସ୍ୟା ମଧ୍ୟରେ ସମ୍ଭାବ୍ୟ ସମ୍ପର୍କ ନେଇ ଗବେଷଣା ହୋଇଛି।

ଅଷ୍ଟ୍ରେଲିଆର କର୍ଟିନ୍‌ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପପୁଲେସନ୍‌ ହେଲ୍‌ଥର ପ୍ରଫେସର ବେନ୍‌ ମୁଲିନ୍ସଙ୍କ ଅନୁସାରେ, ବାୟୁ ପ୍ରଦୂଷଣ ଓ ଆତ୍ମହତ୍ୟା ମଧ୍ୟରେ ସମ୍ପର୍କକୁ ଏକାଧିକ ଅଧ୍ୟୟନର ଆଧାରରେ ଏକାଠି ବିଶ୍ଳେଷଣ କରୁଥିବା ଏହା ପ୍ରାରମ୍ଭିକ ବଡ଼ ବିଶ୍ଳେଷଣଗୁଡ଼ିକ ମଧ୍ୟରୁ ଗୋଟିଏ। ତେବେ ଅଧ୍ୟୟନଗୁଡ଼ିକର ସାମ୍ପଲ୍‌ ସାଇଜ୍‌ ଛୋଟ ଥିବା ସହ ଅନ୍ୟାନ୍ୟ ପ୍ରଭାବକାରୀ କାରଣଗୁଡ଼ିକୁ ପର୍ଯ୍ୟାପ୍ତ ଭାବେ ବିଚାର କରାଯାଇନଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।