ଅନ୍ତର୍ନିହିତ ଓ ବାହ୍ୟ ଶକ୍ତି

Oct 15, 2026 - 11:13
ଅନ୍ତର୍ନିହିତ ଓ ବାହ୍ୟ ଶକ୍ତି

ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଜଣେ ଯୁବ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌ କହୁଛନ୍ତି ଯେ ସେ ଏକ ଆଇଫୋନ କିଣିଥିଲେ। କାରଣ ତାଙ୍କ ମତରେ ଏହି ଫୋନ୍‌ର ବିଶେଷତ୍ୱ ହେଉଛି ଏହା ମଣିଷକୁ ଆତ୍ମବିଶ୍ୱାସୀ କରିଥାଏ। ଆଇଫୋନ୍‌ କିଣିବା ପରେ ସେ ଅଧିକ ଆତ୍ମବିଶ୍ୱାସୀ ହୋଇଯାଇ ଆଇଫୋନ୍‌ ନ ଥିବା ତାଙ୍କ ବନ୍ଧୁ ଓ ସହକର୍ମୀଙ୍କୁ ଗାଳିଗୁଲଜ କରିବାକୁ ସାହସ କରିପାରିଲେ। ଏଠାରେ ବ୍ରାଣ୍ଡ୍‌ ଜିନିଷରେ ଥିବା ଶକ୍ତିରୁ ଅଧିକ ଶକ୍ତି ହାସଲ କରିବା ପାଇଁ ବ୍ରାଣ୍ଡ୍‌ ଜିନିଷ ନ ଥିବା ଲୋକଙ୍କୁ ଅପମାନିତ କରିବା ପାଇଁ ବ୍ୟବହାର କରାଯାଇଥିଲା। ଏହିପରି ଭାବେ ବ୍ରାଣ୍ଡ୍‌ ଜିନିଷ ମାଧ୍ୟମରେ ଶକ୍ତି କିଣାଯାଇପାରିବ ଏବଂ ଅପମାନ ମାଧ୍ୟମରେ ଶକ୍ତି ଛଡ଼ାଇ ନିଆଯାଇପାରିବ। ଖାଦ୍ୟ ଭଳି ଶକ୍ତିକୁ ଦିଆଯାଇ ପାରେ, ନିଆଯାଇ ପାରେ ଏବଂ ଗ୍ରହଣ କରାଯାଇ ପାରେ।
ହିନ୍ଦୁ ପୁରାଣରେ, ଶକ୍ତିର ପ୍ରତୀକ ହେଉଛନ୍ତି ଦେବୀ ଶକ୍ତି, ଯିଏ ଦେବୀ ଦୁର୍ଗା ଭାବରେ ଜଣାଶୁଣା। କିନ୍ତୁ ଜଣେ ସୂକ୍ଷ୍ମ ଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଶକ୍ତି ଏବଂ ଦୁର୍ଗାଙ୍କ ମଧ୍ୟରେ ପାର୍ଥକ୍ୟ ଥିବା ଲକ୍ଷ୍ୟ କରନ୍ତି। ପ୍ରତ୍ୟେକ ଦେବତାଙ୍କ ଶକ୍ତି ଅଛି। ଦେବତାମାନେ ସେମାନଙ୍କର ଅନ୍ତର୍ନିହିତ ଶକ୍ତି ପ୍ରଦାନ କରିବା ଯୋଗୁ ବାହାରେ ଦୁର୍ଗା ସୃଷ୍ଟି ହୁଅନ୍ତି। ଅର୍ଥାତ୍‌, ଶକ୍ତି ହେଉଛି ଆମର ଅନ୍ତର୍ନିହିତ ବଳ ଓ ଆତ୍ମବିଶ୍ୱାସ। ଦୁର୍ଗା ହେଉଛନ୍ତି ଆମ ବାହାରେ ଥିବା ଶକ୍ତି, ଯାହା ଆମକୁ ପ୍ରଶଂସା, ସ୍ବୀକୃତି, ସମ୍ମାନ, ପଦମର୍ଯ୍ୟାଦା, ବ୍ରାଣ୍ଡ୍‌, ଉପକରଣ ଓ ଅସ୍ତ୍ରଶସ୍ତ୍ର ରୂପରେ ମିଳିଥାଏ। ନିଜ ଅନ୍ତର୍ନିହିତ ଶକ୍ତିକୁ ଖୋଜିବା କଷ୍ଟକର, ତେଣୁ ଆମେ ଦୁର୍ଗା (ବାହ୍ୟ ଶକ୍ତି)ଙ୍କୁ ପାଇବାକୁ ବ୍ୟାକୁଳ ହୋଇଥାଉ।
ଭାଷା ହେଉଛି ଦୁର୍ଗାଙ୍କର ଏକ ଶକ୍ତିଶାଳୀ ଉତ୍ସ। ଯେତେବେଳେ କେହି ଆମର ପ୍ରଶଂସା କରେ, ଆମେ ନିଜକୁ ଶକ୍ତିଶାଳୀ ଭାବୁୁ। କେହି ଆମକୁ ଅପମାନିତ କଲେ ଆମେ ନିଜକୁ ଶକ୍ତିହୀନ ମନେକରୁ। ପ୍ରଶଂସା ପାଇଲେ ଲାଗେ ସମାଜରେ ଆମର କିଛି ମୂଲ୍ୟ ଅଛି, କିନ୍ତୁ ଅପମାନିତ ହେଲେ ଆମର କୌଣସି ମୂଲ୍ୟ ନାହିଁ ବୋଲି ଅନୁଭବ କରୁ। ତେଣୁ ଆମେ ସଦାବେଳେ ପ୍ରେରଣା ଖୋଜିଥାଉ ଏବଂ ସମାଲୋଚନା କରୁଥିବା ବ୍ୟକ୍ତିଠାରୁ ଦୂରେଇ ରହୁ। ରାଜନେତାମାନେ ଭାଷାର ଶକ୍ତିକୁ ବ୍ୟବହାର କରି ଲୋକଙ୍କୁ ଭଲ କାମ କରିବା ପାଇଁ ପ୍ରେରିତ କରିପାରନ୍ତି କିମ୍ବା ଏକ ଉତ୍ତ୍ୟକ୍ତ ଭିଡ଼ ଜମେଇ ବଡ଼ ଦୁର୍ଗକୁ ଭାଙ୍ଗି ଚୂରମାର କରିଦେଇ ପାରନ୍ତି। ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୁର୍ବଳ କରିବା ପାଇଁ ସେମାନେ ମର୍ଯ୍ୟାଦାହାନି କଲାଭଳି ଅସମ୍ମାନଜନକ ଶବ୍ଦ ବ୍ୟବହାର କରନ୍ତି। ଅନ୍ୟମାନଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସକୁ କ୍ଷୁଣ୍ଣ କରି ଜଣେ ରାଜନେତା ରାକ୍ଷସ ଭଳି ନିଜକୁ ଶକ୍ତିଶାଳୀ ମନେକରିଥାଏ।
ହିନ୍ଦୁ ପୂଜାବିଧି ସମୟରେ ମୁଖ୍ୟ ଦେବଦେବୀଙ୍କ ଆରାଧନା ପୂର୍ବରୁ ପୂଜାରେ ଘଣ୍ଟି, କଳସ, ପାତ୍ର ଇତ୍ୟାଦିକୁ ପୂଜା କରାଯାଇଥାଏ। ଅର୍ଥାତ୍‌ ବୁଝିବାକୁ ହେବ ଯେ, ପ୍ରତ୍ୟେକ ବସ୍ତୁରେ ଶକ୍ତି ଅଛି । ପୂଜାରେ କେବଳ ଦେବତାଙ୍କୁ ନୁହେଁ ବରଂ ବ୍ୟବହୃତ ସମସ୍ତ ଉପକରଣକୁ ସମ୍ମାନ ଦିଆଯାଏ। ସେହିଭଳି ଏକ ସଂସ୍ଥା ବା ଅନୁଷ୍ଠାନରେ କେବଳ ‘ଦେବତା’ ସଦୃଶ ବରିଷ୍ଠ ଅଧିକାରୀ କିମ୍ବା ମାଲିକ ନୁହନ୍ତି, ବରଂ ସଂସ୍ଥା ଗଠନରେ ସହଯୋଗ କରୁଥିବା ଅଂଶୀଦାର, ବ୍ୟବସାୟୀ ଏବଂ ସହାୟକ କର୍ମଚାରୀଙ୍କ ସମେତ ସଂସ୍ଥାର ସମସ୍ତ କର୍ମଚାରୀ ସମ୍ମାନ ପାଇବା ଉଚିତ। କିନ୍ତୁ ସେମାନେ ତାହା ପାଇ ନ ଥାନ୍ତି। ସଂସ୍ଥାଗୁଡ଼ିକରେ ଶକ୍ତି ବା କ୍ଷମତା ପ୍ରାୟତଃ ତଳସ୍ତରରୁ ଉପରସ୍ତରକୁ ଅର୍ଥାତ୍‌ ଦୁର୍ବଳ (କନିଷ୍ଠ) ଲୋକଙ୍କଠାରୁ ଶକ୍ତିଶାଳୀ (ବରିଷ୍ଠ) ଲୋକଙ୍କ ଆଡ଼କୁ ଗତି କରିଥାଏ, ଯାହା ଅଯୌକ୍ତିକ ମନେହୁଏ। ନିଜର ପଦବୀ ଏବଂ ପଦମର୍ଯ୍ୟାଦା ଯୋଗୁ କ୍ଷମତା ପାଇଥିବା ବ୍ୟକ୍ତିମାନେ ସଂସ୍ଥାର ଅନ୍ୟମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ଅଧିକ କ୍ଷମତା ଚାହିଁଥାନ୍ତି । ଫଳରେ ସେମାନେ ଅନ୍ୟମାନଙ୍କଠାରୁ ଆନୁଗତ୍ୟ ଓ ଅଧୀନତା ଦାବି କରନ୍ତି।
ଏହା ପଛରେ କ’ଣ ଆମର ସେହି ପ୍ରଚଳିତ ଭାରତୀୟ ବିଶ୍ୱାସର ଭୂମିକା ରହିଛି, ଯେଉଁଥିରେ କୁହାଯାଏ ଯେ ବୟସ୍କ ଓ ଶିକ୍ଷକମାନଙ୍କୁ ସମ୍ମାନ କରିବା ଉଚିତ। ଏହି ବିଶ୍ୱାସରୁ ଧାରଣା ସୃଷ୍ଟି ହୁଏ ଯେ, ଯଦି ଆପଣ ଗୁରୁଜନ ନୁହନ୍ତି କିମ୍ବା ଉଚ୍ଚ ପଦବୀରେ ନାହାନ୍ତି କିମ୍ବା ଶିକ୍ଷକ ନୁହନ୍ତି, ତେବେ ସମ୍ମାନ ପାଇବାକୁ ଯୋଗ୍ୟ ନୁହନ୍ତି। ଫଳରେ ସମ୍ମାନ କେବଳ ସେହିମାନଙ୍କୁ ମିଳିଥାଏ, ଯେଉଁମାନଙ୍କ ପାଖରେ ଅଧିକ ଜ୍ଞାନ, ଅଧିକ ସମ୍ବଳ ଏବଂ ଅଧିକ ସାମାଜିକ ପ୍ରତିଷ୍ଠା ଥାଏ। ଏହିପରି ଭାବରେ ଜାତି ଏବଂ ପଦବୀ ଆଧାରରେ ଶକ୍ତି ବଣ୍ଟନ କରାଯାଇଥାଏ। ସାମାଜିକ ସ୍ତରରେ ଆପଣ ଯେତେ ଉପରେ ରହିବେ ସେତେ ଶକ୍ତି ପାଇଁ ଯୋଗ୍ୟ ବୋଲି ଭାବିବା ସହ ଅଧିକ କ୍ଷମତା ଦାବି କରିବେ। ଏହା ଏକ ସାମନ୍ତବାଦୀ ବ୍ୟବସ୍ଥା ସୃଷ୍ଟି କରେ ଏବଂ ଏକ ଜଙ୍ଗଲୀ ନିୟମ ଭଳି ମନେହୁଏ। ଧର୍ମୀୟ ଦୃଷ୍ଟିରେ ଶକ୍ତି ସର୍ବଦା ଦୁର୍ବଳ ବା ଶକ୍ତିହୀନଙ୍କୁ ମିଳିବା ଉଚିତ।
ଭାରତରେ ଅନେକେ କହିଥାନ୍ତି ଯେ, ଆପଣ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କଲେ ସେମାନେ ଆପଣଙ୍କର ସୁଯୋଗ ନେବେ, କାରଣ ସେମାନେ ଆପଣଙ୍କୁ ଦୁର୍ବଳ ବା ଶକ୍ତିହୀନ ମନେକରନ୍ତି। ଅର୍ଥାତ୍‌ ଲୋକଙ୍କୁ ଦୁର୍ବ୍ୟବହାର କରିବା, ଅପମାନିତ କରିବା ଏବଂ ଅଶାଳୀନ ବ୍ୟବହାର କରିବାକୁ ଶକ୍ତିର ପ୍ରତୀକ ମନେକରାଯାଏ। ଏହା ସାଧାରଣତଃ ଧନୀ, କ୍ଷମତାଶାଳୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରେ ଦେଖିବାକୁ ମିଳେ। ସେଲିବ୍ରିଟି, ରାଜନେତା ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ବିଶେଷ କରି ସେବା ପ୍ରଦାନକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବାକୁ ନିଜ ଅଧିକାର ଭାବନ୍ତି। ସେମାନେ ଅନୁଭବ କରନ୍ତି ଯେ, ଅନ୍ୟକୁ ଦୁର୍ବ୍ୟବହାର ଏବଂ ଅସମ୍ମାନ କରିବା ସେମାନଙ୍କ ଅଧିକାର । ଯେତେବେଳେ ଆମେ ବିଶ୍ୱାସ କରୁ ଯେ ଅସମ୍ମାନ ବା ଅପମାନ କରି ଶକ୍ତି ହାସଲ କରାଯାଇପାରିବ, ସେତେବେଳେ କେବଳ ବ୍ରାଣ୍ଡେଡ୍‌ ଜିନିଷ କିଣିବା କିମ୍ବା ପ୍ରତିଷ୍ଠା ଅର୍ଜନ କରି ନିଜକୁ ଶକ୍ତିଶାଳୀ ମନେ କରି ସନ୍ତୁଷ୍ଟ ହୋଇପାରୁନାହୁଁ; ବରଂ ଯେଉଁମାନଙ୍କ ପାଖରେ ସେହି ବ୍ରାଣ୍ଡ୍‌ ବା ପଦବୀ କିମ୍ବା ସାମାଜିକ ସ୍ଥିତି ନାହିଁ, ସେମାନଙ୍କୁ ଦୁର୍ବ୍ୟବହାର କରିବାକୁ ଚାହଁୁ।
ଟେଲିଭିଜନ ଶୋ’ଗୁଡ଼ିକରେ ଅସଭ୍ୟ ଏବଂ ଅହଂକାରୀ ଲୋକମାନେ ଅନ୍ୟମାନଙ୍କୁ ନୀଚ କରି ଦେଖାଇ କିଭଳି ସେଲିବ୍ରିଟି ପାଲଟି ଯାଉଛନ୍ତି ତାହା ଆମେ ଦେଖିବାକୁ ପାଉ। ଏହି ବ୍ୟକ୍ତିମାନେ ନିଜର ଅଶାଳୀନ ବ୍ୟବହାରକୁ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଯାଇ କହିଥାନ୍ତି ଯେ, ସେମାନେ ଏକ ମହତ୍‌ ଉଦ୍ଦେଶ୍ୟ ପାଇଁ ଲଢ଼ୁଛନ୍ତି। ସେମାନେ ନିଜକୁ ପୀଡ଼ିତ ଏବଂ ନିଜର ବିରୋଧୀଙ୍କୁ ଖଳନାୟକ ବୋଲି ଦର୍ଶାନ୍ତି। ଏଠି ଅଶିଷ୍ଟତା ଓ ରୁକ୍ଷ ବ୍ୟବହାରକୁ ବୀରତ୍ୱପୂର୍ଣ୍ଣ ଗୁଣ ଭାବେ ଦର୍ଶାଯାଏ। ଏହିପରି ଭାବରେ ଆମେ ଠିକ୍‌ ଭାବୁଥିବା ଲୋକଙ୍କୁ ଅଶିଷ୍ଟ ହେବା ପାଇଁ ଅନୁମତି ଦେଇଛୁ। ସେଥିପାଇଁ ପୋଲିସ ଅପରାଧୀ ପ୍ରତି ଦୁର୍ବ୍ୟବହାର କରିବାକୁ ନିଜ ଅଧିକାର ମନେକରେ ଏବଂ ସେମାନଙ୍କୁ ମାନବିକ ମର୍ଯ୍ୟାଦାରୁ ବଞ୍ଚତ୍ତ କରେ। ଶିଷ୍ଟାଚାର ବା ସଭ୍ୟ ହେବାକୁ ଏକ ବୋଝ ଭାବରେ ଦେଖାଯାଏ। ଏହି କାରଣରୁ ମାଗଣାରେ ମିଳୁଥିବା ‘ଦୁର୍ଗା’ (ଶକ୍ତି/ସମ୍ମାନ) ଦେବାରେ କାର୍ପଣ୍ୟତା ପ୍ରକାଶ କରୁ। କାର୍ଯ୍ୟାଳୟଗୁଡ଼ିକରେ ଜଣେ ଶକ୍ତିହୀନ ଅଧସ୍ତନ କର୍ମଚାରୀ ଏକାନ୍ତରେ କ୍ୟାଣ୍ଟିନରେ ବରିଷ୍ଠ ଅଧିକାରୀଙ୍କୁ ନିନ୍ଦା କରି ନିଜକୁ ଶକ୍ତିଶାଳୀ ମନେକରେ। ଆଜିକାଲି ସୋସିଆଲ ମିଡିଆରେ ଅଜ୍ଞାତ ପରିଚୟର ସୁଯୋଗ ନେଇ ଶକ୍ତିହୀନ ଲୋକମାନେ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ଅପମାନିତ କରି ନିଜକୁ ଶକ୍ତିଶାଳୀ ମନେକରୁଛନ୍ତି। ସମ୍ମାନ ଏବଂ ପ୍ରେରଣା ସହିତ ଚାରିପାଖର ସମସ୍ତଙ୍କୁ ଶକ୍ତି ଯୋଗାଉଥିବା ଏକ ‘ଧାର୍ମିକ ସୂର୍ଯ୍ୟ’ ହେବା ପରିବର୍ତ୍ତେ, ଆମେ ଲୋକଙ୍କୁ ଅଧର୍ମର କୃଷ୍ଣ ଗହ୍ବର(ବ୍ଲାକ୍‌ ହୋଲ୍‌)ହେବା ପାଇଁ ଉତ୍ସାହିତ କରୁଛୁ, ଯେଉଁମାନେ ଅସମ୍ମାନ ପ୍ରଦର୍ଶନ କରି ସମସ୍ତଙ୍କଠାରୁ ଶକ୍ତି ଛଡ଼ାଇ ନେଉଛନ୍ତି।
-devduttofficial@gmail.com

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।