ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି
ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା କରିବ। ଏହା ପୂର୍ବରୁ, CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖି ସେ କହିଛନ୍ତି, ‘ଏହି ବିକ୍ଷୋଭ ପୂର୍ବରୁ ବହୁ ସଂଖ୍ୟାରେ ଲୋକଙ୍କୁ ଅଟକ ରଖାଯାଉଛି। ମୋଦି ଭାବୁଛନ୍ତି ଯେ ଲୋକଙ୍କୁ ଜେଲରେ ପୁରାଇ ସେ ବିରୋଧୀ ସ୍ବରକୁ ଦବାଇ ଦେଇପାରିବେ। ଆପଣ ଯେତେ ଅଧିକ ଲୋକଙ୍କୁ ଅଟକ ରଖିବେ, ସେତେ ଅଧିକ ଲୋକ ସାମ୍ନାକୁ ଆସିବେ!’
ଏହି ସମୟରେ, CJP ‘X’ ରେ ଲେଖିଛି, ‘ସରକାର ପୁଣିଥରେ ନିମ୍ନସ୍ତରୀୟ କୌଶଳ ଆପଣାଉଛନ୍ତି! ଅକ୍ଟୋବର ୧୦ରେ ବିକ୍ଷୋଭରେ ଅଂଶଗ୍ରହଣ କରିବାରୁ ରୋକିବା ପାଇଁ ସାରା ଦେଶରେ CJP ସ୍ବେଚ୍ଛାସେବୀମାନଙ୍କୁ ଅଟକ ରଖାଯାଉଛି। ତଥାପି, ଏହା କେବଳ ଜନଅସନ୍ତୋଷକୁ ବଢ଼ାଇବ ଏବଂ ସମର୍ଥନରେ ଆହୁରି ଅଧିକ ଲୋକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପ୍ରବର୍ତ୍ତାଇବ।’
ମୁମ୍ବାଇରେ CEC (ମୁଖ୍ୟ ନିର୍ବାଚନ କମିଶନର)ଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ପରେ, CJP ୩ ଅକ୍ଟୋବରରେ ଘୋଷଣା କରିଥିଲା ଯେ ଯଦି CEC ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ସାରା ଭାରତରୁ ‘ଅସରପା’ (କକରୋଚ) ସଦୃଶ କର୍ମୀମାନେ ୧୦ ଅକ୍ଟୋବରରେ ଦିଲ୍ଲୀର ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା କରିବେ। ସେମାନେ ଘୋଷଣା କରିଥିଲେ ଯେ ଯଦି ଦିଲ୍ଲୀ ପୋଲିସ ରାସ୍ତାରେ କୌଣସି ସ୍ଥାନରେ ସେମାନଙ୍କୁ ଅଟକାଏ, ତେବେ ସେହି ସ୍ଥାନ ହିଁ ସେମାନଙ୍କ ପାଇଁ ‘ଜନ୍ତର ମନ୍ତର’ ପାଲଟିଯିବ। ଗଣତନ୍ତ୍ର ଓ ନିରପେକ୍ଷ ନିର୍ବାଚନର ସୁରକ୍ଷା ପାଇଁ ଲଢ଼େଇରେ ସେମାନେ ମହାତ୍ମା ଗାନ୍ଧୀଙ୍କ ଦର୍ଶାଇଥିବା ପଥ ଅନୁସରଣ କରିବେ।
ଏହା ପରେ, CJP ନେତା ସୌରଭ ଦାସ ୭ ଅକ୍ଟୋବରରେ ସଂସଦ ମାର୍ଗ ପୋଲିସ ଷ୍ଟେଶନ ଯାଇ ଜନ୍ତର ମନ୍ତରରେ ବିକ୍ଷୋଭ ପାଇଁ ଅନୁମତି ଲୋଡ଼ିଥିଲେ। ତେବେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଅନୁମତି ପ୍ରଦାନ କରିନାହିଁ; ପୋଲିସର କହିବା କଥା ଯେ ଜନ୍ତର ମନ୍ତରରେ ବିକ୍ଷୋଭ ପାଇଁ ଅନୁମତି ୧୦ ଦିନ ପୂର୍ବରୁ ନେବା ଆବଶ୍ୟକ।
ଆଜି CJP ବେଙ୍ଗାଲୁରୁରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଅପରାହ୍ନ ୪ଟା ସମୟରେ ଫ୍ରିଡମ ପାର୍କଠାରେ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ବିକ୍ଷୋଭ ଅନୁଷ୍ଠିତ ହେବ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।