ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

Oct 08, 2026 - 14:14
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ଏଜ ଗ୍ରୁପ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିବା ପରେ ସେ ଟିମ ଇଣ୍ଡିଆର ଅଂଶ ହୋଇଛନ୍ତି। ଟି-୨୦ ଫର୍ମାଟ୍‌ରେ ଡେବ୍ୟୁ କରିବା ପରେ ମଧ୍ୟ ବୈଭବଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି।

ତେବେ ବୈଭବ ଆଗାମୀ ଦିନରେ ଜଣେ ମହାନ କ୍ରିକେଟର୍‌ ହେବେ କି? ଏହି ପ୍ରଶ୍ନରେ ଭାରତର ପୂର୍ବତନ ଅଧିନାୟକ କପିଳ ଦେବ ବଡ଼ ବୟାନ ଦେଇଛନ୍ତି। କପିଳଙ୍କ ମତରେ, ଏବେଠାରୁ ବୈଭବଙ୍କ ଭବିଷ୍ୟତ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ବୋକାମୀ ହେବ। ତାଙ୍କ ମଧ୍ୟରେ କ୍ଷମତା ନିଶ୍ଚିତ ଭାବେ ରହିଛି। କିନ୍ତୁ କ୍ରିକେଟ୍‌ରେ କେବଳ ପ୍ରତିଭା ଥିଲେ ହିଁ ଦୀର୍ଘ କ୍ୟାରିୟର୍‌ ଗଢ଼ି ଉଠେ ନାହିଁ। କ୍ରିକେଟ୍‌ରେ ଏମିତି ଅନେକ ଖେଳାଳି ଆସିଛନ୍ତି, ଯେଉଁମାନେ ବହୁତ ପ୍ରତିଭା ନେଇ ଆସିଥିଲେ, ପରେ ହଜିଗଲେ।

ଏହି ପ୍ରସଙ୍ଗରେ ସେ ପୂର୍ବତନ ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲିଙ୍କ ଉଦାହରଣ ଦେଇଥିଲେ। କାମ୍ବଲିଙ୍କ ଭଳି ପ୍ରତିଭାବାନ ଖେଳାଳି ମଧ୍ୟ ଆଶାନୁରୂପ ଦୀର୍ଘ କ୍ୟାରିୟର୍‌ ଗଢ଼ିପାରି ନ ଥିଲେ ବୋଲି କପିଳ କହିଛନ୍ତି। ବୈଭବ ୧୫ ବର୍ଷର। ତାଙ୍କୁ ଆଉ ୩ ବର୍ଷ ସମୟ ଦିଅନ୍ତୁ, ତା’ପରେ ଆମେ କଥା ହେବା।

କପିଳ ଦେବଙ୍କ ମତରେ, ବୈଭବଙ୍କ ଆଗାମୀ ଦିନର ଜୀବନଶୈଳୀ ଓ ଚିନ୍ତାଧାରା ତାଙ୍କ କ୍ରିକେଟ କ୍ୟାରିୟରରେ ବଡ଼ ଭୂମିକା ନେବ। ବୟସ ବଢ଼ିବା ସହ ତାଙ୍କ ଜୀବନଶୈଳୀ ବଦଳିବ ଏବଂ ତା’ସହ ଚିନ୍ତାଧାରା ମଧ୍ୟ ବଦଳିବ। ଆଗାମୀ ଦୁଇ-ତିନି ବର୍ଷରେ ସେ ନିଜକୁ କିଭଳି ପ୍ରସ୍ତୁତ କରୁଛନ୍ତି, ଚାପକୁ କିଭଳି ସମ୍ଭାଳୁଛନ୍ତି ଏବଂ ନିରନ୍ତର ଭାବେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ଅଧିକ ଜରୁରୀ।
ବର୍ତ୍ତମାନ ବୈଭବ ଭାରତୀୟ ଟି-୨୦ ଦଳରେ ତୃତୀୟ ଓପନର୍‌ ଭାବେ ରହିଛନ୍ତି। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ନିୟମିତ ଓପନର୍‌ ଭାବେ ଖେଳୁଥିବାରୁ ସେମାନଙ୍କୁ ବିଶ୍ରାମ ମିଳିଲେ ବୈଭବଙ୍କୁ ସୁଯୋଗ ମିଳୁଛି। ତେବେ ଯେତେବେଳେ ବୈଭବଙ୍କୁ ସୁଯୋଗ ମିଳିଛି, ସେ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏପର୍ଯ୍ୟନ୍ତ ସେ ୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ୩୦.୭୫ ହାରରେ ୨୪୬ ରନ କରିଛନ୍ତି। ଏଥିରେ ତାଙ୍କ ନାମରେ ୨ଟି ଅର୍ଦ୍ଧଶତକ ରହିଛି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୮୬ରୁ ଅଧିକ ରହିଛି।

କମ ବୟସରେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ବୈଭବଙ୍କ ଆଗରେ ଏବେ ନିଜ ପ୍ରତିଭାକୁ ଦୀର୍ଘ ସମୟ ଧରି ବଜାୟ ରଖିବା ଏବଂ ନିରନ୍ତର ପ୍ରଦର୍ଶନ କରିବାର ଚ୍ୟାଲେଞ୍ଜ ରହିଛି। କପିଳ ଦେବଙ୍କ ବୟାନ ମଧ୍ୟ ଏହି କଥାକୁ ହିଁ ସୂଚାଉଛି ଯେ, ପ୍ରତିଭା ସହ ଧୈର୍ଯ୍ୟ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ହିଁ ବୈଭବଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।