ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…

Oct 28, 2026 - 09:07
ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…

ୱେଲିଂଟନ,୨୮।୧୦: ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ଶ୍ରେୟସ ଆୟର। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ର ଏହି ଦୁଇ ଯୁବ ବ୍ୟାଟରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତକୁ ଦମ୍‌ଦାର ବିଜୟ ଦେଇଥିଲା। ମାତ୍ର ୫ ଓଭରରେ ୧୦୦ ରନ ଏବଂ ପାୱାରପ୍ଲେ ମଧ୍ୟରେ ୧୧୮ ରନ କରି ଭାରତୀୟ ଓପନିଂ ଯୋଡ଼ି ନୂଆ ବିଶ୍ୱ ରେକର୍ଡ କରିଥିବା ଦାବି କରାଯାଇଛି।
ଅଭିଷେକ ଶର୍ମା ମାତ୍ର ୩୮ ବଲ୍‌ରେ ୧୧୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୮ ବଲ୍‌ରେ ୪୫ ରନ କରିଥିଲେ। ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ନ୍ୟୁଜିଲାଣ୍ଡର ବୋଲରମାନେ ଚାପରେ ପଡ଼ିଯାଇଥିଲେ। ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ, ଓପନରମାନେ ଏତେ ସହଜରେ କିପରି ରନ ସଂଗ୍ରହ କଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେମାନଙ୍କ ଷ୍ଟ୍ରୋକ ଖେଳିବାର ଶୈଳୀ ଦେଖିବାକୁ ଖୁବ ଆକର୍ଷଣୀୟ ଥିଲା। ଯେତେବେଳେ ସେ ଓ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ପିଚ୍‌ରେ ବଲ ସିମ କରୁଥିଲା। ଏହା ଦେଖି ସେ ଭାବୁଥିଲେ ଯେ ଅଭିଷେକ ଓ ବୈଭବ ଏତେ ସହଜରେ ରନ କିପରି କରିପାରିଲେ। ଉଭୟ ଯୁବ ବ୍ୟାଟର୍‌ ଯାହା କରିଥିଲେ, ତାହା ଅବିଶ୍ୱସନୀୟ ଥିଲା। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାତ୍ର ୫ ଓଭରରେ ୧୦୦ ରନ ହେବା ସେ ପୂର୍ବରୁ ଦେଖି ନ ଥିବା କହିଥିଲେ।

ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍‌ର ଲକ୍ଷ୍ୟକୁ ଭାରତ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ହାସଲ କରିଥିଲା। ଏହି ବିଜୟ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୩-୦ରେ ଅଜେୟ ଅଗ୍ରଣୀ ହାସଲ କରିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।