ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

Oct 28, 2026 - 09:07
ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ଜିଲାରେ ବାଇଗଣ ଚାଷ କରିଥିବା ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବାଇଗଣର ବର୍ତ୍ତମାନ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି। ବେପାରୀମାନେ ଏବେ କିଲୋ ପ୍ରତି ୪ରୁ ୫ଟଙ୍କାରେ କିଣୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସରକାର ବିଭିନ୍ନ ସଭା, ସମିତିରେ ଅଣଧାନ ଚାଷ କରିବା ପାଇଁ ଚାଷୀମାନଙ୍କୁ କହି ଆସୁଛନ୍ତି। ସେହିପରି ଅଣଜଳସେଚିତ ଅଞ୍ଚଳରେ ରହିଥିବା ଗଭୀର ନଳକୂପଗୁଡ଼ିକରେ କେବଳ ଅଣଧାନ ଚାଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହି କ୍ରମରେ ଚାଷୀମାନେ ଅଣଧାନ ତଥା ପରିବା ଚାଷ କଲେ ମଧ୍ୟ ତା’ର ବିକ୍ରି ବ୍ୟବସ୍ଥା କିମ୍ବା ତାକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର କରାଯାଉ ନାହିଁ। ଫଳରେ ବର୍ତ୍ତମାନ ବାଇଗଣ ଚାଷ କରି ଅନେକ କ୍ଷତି ସହିବାକୁ ପଡୁଛି ବୋଲି ଜିଲାର ସୋହେଲା ବ୍ଲକ ଅନ୍ତର୍ଗତ ସାମକଟା ଅଞ୍ଚଳର ଚାଷୀମାନେ କହିଛନ୍ତି।
ଏହି ଗ୍ରାମର ଜଣେ ଚାଷୀ ତେଜରାଜ ସା କହିଛନ୍ତି, ସେ ୩ଏକର ଜମିରେ ବାଇଗଣ ଚାଷ କରିଛନ୍ତି। ବାଇଗଣ ମଧ୍ୟ ଭଲ ହୋଇଛି। ପ୍ରଥମେ ବେପାରୀମାନେ କିଲୋ ପ୍ରତି ୨୦ରୁ ୩୦ଟଙ୍କା ଦରରେ ବାଇଗଣ ନେଉଥିଲେ। ମାତ୍ର ଏବେ ବେପାରୀମାନେ କିଲୋ ପ୍ରତି ୪ରୁ ୫ଟଙ୍କା ଦରରେ ମାଗୁଛନ୍ତି। ଏଭଳି ସ୍ଥିତିରେ ୪ରୁ ୫ଟଙ୍କାରେ ବାଇଗଣ ମିଳିଲେ ଗଛରୁ ବାଇଗଣ ତୋଳିବା ଖର୍ଚ୍ଚ ମଧ୍ୟ ବାହାରୁ ନାହିଁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଚାଷୀ ବଲରାମ ପ୍ରଧାନ କହିଛନ୍ତି, ସେ ଦେଢ଼ ଏକର ଜମିରେ ବାଇଗଣ ଓ ପୋଟଳ ଚାଷ କରିଛନ୍ତି। ଏକର ପ୍ରତି ୨୫ରୁ ୩୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ବେପାରୀମାନେ କଳା ବାଇଗଣ ନେବା ପାଇଁ ମନା କରି ଦେଉଛନ୍ତି। ସେହିପରି ସବୁଜ ବାଇଗଣ କିଲୋ ପ୍ରତି ୪ରୁ ୫ଟଙ୍କା ଦରରେ ମାଗୁଛନ୍ତି। ଏଭଳି ଦରରେ ବାଇଗଣ ବିକିଲେ ଆମ ଖର୍ଚ୍ଚ ବି ବାହାରିବ ନାହିଁ। ସରକାର ଧାନ ଚାଷ ନ କରି ପରିବା ଚାଷ କରିବାକୁ କହୁଛନ୍ତି। ହେଲେ ପରିବା ଚାଷ କଲେ ତାହା ବିକ୍ରି ପାଇଁ ମଧ୍ୟ କିଛି ବ୍ୟବସ୍ଥା କରୁ ନାହାନ୍ତି। ଫଳରେ ବାଇଗଣ ମଧ୍ୟ କିଆରିରେ ସଢ଼ି ନଷ୍ଟ ହେଉଛି ବୋଲି ସେ ଅଭିଯୋଗ କରି କ୍ଷତିପୂରଣ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।