ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

Oct 27, 2026 - 16:08
ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର ୧୯୯ ରନ୍‌ରେ ଲକ୍ଷ୍ୟ ଅତି ଛୋଟ ମନେ ହୋଇଥିଲା। ଭାରତ ମାତ୍ର ୧୩.୪ ଓଭରରେ ୪ ଉଇକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିଛି। ଦୀର୍ଘ ୬ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିବାର ସଫଳତା ମଧ୍ୟ ଭାରତକୁ ମିଳିଛି।

ଭାରତର ବିଜୟର ମୂଳଦୁଆ ପକାଇଥିଲେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ। ଉଭୟ ପ୍ରଥମ ଉଇକେଟ ପାଇଁ ମାତ୍ର ୪୩ଟି ବଲ୍‌ରେ ୧୩୩ ରନ ଯୋଡ଼ି ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌ ପ୍ରାୟ ବାହାର କରିଦେଇଥିଲେ। ଏହି ସିରିଜ୍‌ରେ ପ୍ରଥମ ଥର ପାଇଁ ଓପନିଂ କରିବାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ସେ ମାତ୍ର ୧୯ଟି ବଲ୍‌ରୁ ୪ଟି ଛକା ଓ ୪ଟି ଚୌକା ସହ ୪୫ ରନ କରିଥିଲେ। ତାଙ୍କ ବ୍ୟାଟିଂ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ବଢ଼ାଇ ଦେଇଥିଲା।
ବୈଭବ ଆଉଟ ହେବା ପରେ ମଧ୍ୟ ଅଭିଷେକ ଶର୍ମାଙ୍କ ବ୍ୟାଟ ଶାନ୍ତ ହୋଇ ନ ଥିଲା। ସେ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ମାତ୍ର ୩୫ଟି ବଲ୍‌ରେ ନିଜ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ କ୍ୟାରିୟରର ଚତୁର୍ଥ ଶତକ ପୂରଣ କରିଥିଲେ। ଅଭିଷେକ ୩୮ଟି ବଲ୍‌ରେ ୧୧୩ ରନ୍ର ଧୂଆଁଧାର ଇନିଂସ ଖେଳି ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ରହିଥିଲା ୯ଟି ଚୌକା ଓ ୧୧ଟି ଛକା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଭାରତ ଅତି ସହଜରେ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ତୃତୀୟ ଟି-୨୦ରେ ଏହି ବିଜୟ ସହ ଭାରତ ୫ ମ୍ୟାଚ୍‌ର ସିରିଜରେ ୩-୦ରେ ଆଗୁଆ ହୋଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।