‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ
ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ କୃଷକ। ପୂର୍ବ ବାତ୍ୟାରେ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ଏବେ କ୍ଷେତରେ ବଞ୍ଚି ରହିଥିବା ଫସଲକୁ ନେଇ ଚିନ୍ତା ବଢ଼ିଛି। ପୁଣି ବର୍ଷା ଓ ପବନ ହେଲେ ଅବଶିଷ୍ଟ ଫସଲ ମଧ୍ୟ ନଷ୍ଟ ହୋଇଯିବା ଆଶଙ୍କା ରହିଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଶ୍ରାବଣ ମାସରେ ଭଲ ବର୍ଷା ହେବା ପରେ ଦାରିଙ୍ଗବାଡ଼ି ଅଞ୍ଚଳର ଅଧିକାଂଶ ଚାଷୀ ନିଜ ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ। ଫୁଲକୋବି, ବନ୍ଧାକୋବି, ବିନ, ବାଇଗଣ, ଟମାଟୋ, କଞ୍ଚାଲଙ୍କା, ଭେଣ୍ଡି, ପୋଟଳ, ଆଳୁ ଓ ପିଆଜ ଭଳି ଫସଲ ଭଲ ଭାବେ ବଢ଼ିଥିଲା। ଆଉ କିଛି ଦିନ ପରେ ଫସଲ ଅମଳ କରି ବଜାରରେ ବିକ୍ରି କରିବାକୁ ଚାଷୀମାନେ ପ୍ରସ୍ତୁତ ହେଉଥିଲେ।
କିନ୍ତୁ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଚାଷୀଙ୍କ ଆଶାରେ ପାଣି ପକାଇ ଦେଇଛି। ଅନେକ ଚାଷ ଜମିରେ ପାଣି ଜମି ରହିବା ସହ ଜଳ ନିଷ୍କାସନ ନହେବାରୁ ଫସଲ ପଚି ସଢ଼ି ନଷ୍ଟ ହୋଇଯାଇଛି। ଆଉ କେତେକ ଚାଷୀଙ୍କ ଜମି ବର୍ଷାଜଳର ପ୍ରଖର ସ୍ରୋତରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଚାଷ ପାଇଁ ଅନେକ ଚାଷୀ ଋଣ କରିବା ସହ ନିଜର ସମ୍ପତ୍ତି ବନ୍ଧକ ରଖି ଅର୍ଥ ଖର୍ଚ୍ଚ କରିଥିଲେ। ଫସଲ ନଷ୍ଟ ହେବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଅମଳ ହେବାକୁ ଥିବା ପନିପରିବା ନଷ୍ଟ ହୋଇଯାଇଥିବାରୁ ଋଣ କିପରି ପରିଶୋଧ କରିବେ, ସେନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ଗ୍ରୀନବାଡ଼ି ପଞ୍ଚାୟତର ମିଡ଼ିଆଗୁଟା ଗ୍ରାମର ସାନୁଜ ପ୍ରଧାନ, ଶ୍ରାନିକେତା ପଞ୍ଚାୟତର ଦଣ୍ଡିମାହା ଗ୍ରାମର ପୁଷ୍ପଲତା ବେହେରା ଏବଂ ବାଡ଼ାବାଙ୍ଗା ପଞ୍ଚାୟତର ଡାଡାକେତା ଗ୍ରାମର ନର୍ମଦା ପ୍ରଧାନଙ୍କ ସମେତ ଅନେକ ଚାଷୀ ବ୍ୟାପକ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ପୂର୍ବ ବାତ୍ୟାର କ୍ଷୟକ୍ଷତିରୁ ଚାଷୀମାନେ ଏଯାଏ ମୁକୁଳି ପାରିନଥିବା ବେଳେ ଏବେ ବାତ୍ୟା ‘ମୁରାସୁ’କୁ ନେଇ ଚିନ୍ତା ବଢ଼ିଛି। ଅବଶିଷ୍ଟ ଫସଲ ଯଦି ବାତ୍ୟା ଓ ବର୍ଷାରେ ନଷ୍ଟ ହୁଏ, ତେବେ ଚାଷୀଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିବ। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷୟକ୍ଷତି ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ଉଠୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।