ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

Nov 02, 2026 - 18:41
ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

ମହାକାଳପଡ଼ା,୨।୧୧(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବତିଘର ଅଞ୍ଚଳରେ ଥିବା ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଖରିନାସୀ-ବଡ଼ଟୁବି ଘାଟ ନିକଟରେ ସେତୁ ନିର୍ମାଣ କରିବାକୁ ଦାବି କରି ଅଞ୍ଚଳର ଦୁଇ ଜଣ ବୁଦ୍ଧିଜୀବି ଗୌରହରି ବେରା ଓ ଗୁରୁପଦ ବାରିକ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ, ବଡ଼ଟୁବି ନଦୀ ଉପରେ ଉପଯୁକ୍ତ ସେତୁ ନ ଥିବାରୁ ଦୀର୍ଘ ବର୍ଷ ଧରି ହଜାର ହଜାର ଲୋକ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ପ୍ରତିଦିନ ଛାତ୍ରୀଛାତ୍ର, ଚାଷୀ, ଶ୍ରମିକ, ବ୍ୟବସାୟୀ, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ନଦୀ ପାର ହେବା ପାଇଁ ଅସୁରକ୍ଷିତ ରାସ୍ତା ଓ ଦୀର୍ଘ ବାଟ ଉପରେ ନିର୍ଭର କରୁଛନ୍ତି। ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଯାତାୟାତ ସମସ୍ୟା ଅଧିକ ଗମ୍ଭୀର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଠିକ ସମୟରେ ସ୍କୁଲ, କଲେଜ, କର୍ମକ୍ଷେତ୍ର, ହସ୍ପିଟାଲ ଓ ବଜାରରେ ପହଞ୍ଚିପାରୁନାହାନ୍ତି। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାରେ ମଧ୍ୟ ବିଳମ୍ବ ହେଉଛି।
ସେତୁ ଅଭାବରୁ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶ ମଧ୍ୟ ପ୍ରଭାବିତ ହେଉଛି। ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନିକଟସ୍ଥ ବଜାରକୁ ନେବାରେ ଅସୁବିଧା ଭୋଗିବା ସହ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଖରାପ ପାଗ ଓ ବନ୍ୟା ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହି ସ୍ଥାନରେ ସେତୁ ନିର୍ମାଣ ହେଲେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ଲୋକଙ୍କ ଯାତାୟାତ ସମୟ କମିବ। ଏହାଦ୍ୱାରା ଶିକ୍ଷା, ସ୍ବାସ୍ଥ୍ୟସେବା, ବ୍ୟବସାୟ ଓ ଅଞ୍ଚଳର ଆର୍ଥିକ ବିକାଶକୁ ମଧ୍ୟ ଗତି ମିଳିବ ବୋଲି ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି।

ଏହି ସମସ୍ୟା ନେଇ ପୂର୍ବରୁ ଅନେକ ଥର ସ୍ଥାନୀୟ ପ୍ରଶାସନ ଓ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାଏ ସମାଧାନ ହୋଇନଥିବା ଚିଠିରେ ଦର୍ଶାଯାଇଛି। ତେଣୁ ରାଷ୍ଟ୍ରପତି ଏହି ମାମଲାରେ ହସ୍ତକ୍ଷେପ କରି ସମ୍ପୃକ୍ତ ସରକାରୀ ବିଭାଗକୁ ସ୍ଥାନର ସର୍ଭେ କରିବା ଏବଂ ଯଥାଶୀଘ୍ର ସେତୁ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ନିବେଦନ କରିଛନ୍ତି। ଏହି ସେତୁ ନିର୍ମାଣ ହେଲେ କେବଳ ବତିଘର ଗ୍ରାମବାସୀ ନୁହେଁ, ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଉପକୃତ ହେବେ ବୋଲି ଆବେଦନକାରୀ ଗୌରହରି ବେରା ଓ ଗୁରୁପଦ ବାରିକ ଆଶା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।