ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ

Nov 04, 2026 - 11:44
ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଛି। ଦଳର କୌଣସି ବ୍ୟାଟର୍‌ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଏବେ ଭାରତ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସିଫର୍ଟ ସର୍ବାଧିକ ୩୮ ରନ କରିଥିବା ବେଳେ ଗ୍ଲେନ ଫିଲିପ୍ସ ୩୦ ଏବଂ ଡାରିଲ ମିଚେଲ ୨୮ ରନ କରିଥିଲେ। ଜାକବ ଡଫିଙ୍କ ବ୍ୟାଟ୍‌ରୁ ୧୫ ରନ ଆସିଥିଲା। ତେବେ ଶେଷ ଭାଗରେ ବ୍ଲେୟାର ଟିକନର୍‌ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୧୮୫ରେ ପହଞ୍ଚାଇଥିଲେ। ସେ ମାତ୍ର ୨୩ଟି ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୪ ରନ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅର୍ଶଦୀପ ସିଂହ ୧୦ ଓଭରରେ ୭୦ ରନ ଦେଇ ୪ଟି ଉଇକେଟ ନେଇଛନ୍ତି। ଅଂଶୁଲ କାମ୍ବୋଜ ମାତ୍ର ୨୨ ରନ ଦେଇ ୨ଟି ଉଇକେଟ ହାସଲ କରିଛନ୍ତି।

ସେହିପରି ଗୁରନୁର ବରାଡ଼ ୯.୨ ଓଭରରେ ୪୪ ରନ ଦେଇ ୩ଟି ଉଇକେଟ ନେଇଛନ୍ତି। ଅକ୍ଷର ପଟେଲ ଓ ଔକିବ ନବିଙ୍କୁ କୌଣସି ଉଇକେଟ ମିଳିନାହିଁ। ନବି ୬ ଓଭରରେ ୩୩ ରନ ଦେଇଥିବା ବେଳେ ଅକ୍ଷର ୫ ଓଭରରେ ମାତ୍ର ୧୨ ରନ ଖର୍ଚ୍ଚ କରିଛନ୍ତି।

ପ୍ରଥମ ଦିନିକିଆ ଜିତି ସିରିଜ୍‌ରେ ଆଗୁଆ ହେବାକୁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଚେଷ୍ଟା କରିବ। ୧୮୬ ରନ୍‌ର ଲକ୍ଷ୍ୟ ହାସଲ କରିବା ଭାରତ ପାଇଁ ଏକ ସୁଯୋଗ ହୋଇପାରେ। ତେବେ ନ୍ୟୁଜିଲାଣ୍ଡ ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଥିବାରୁ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିପାରେ।
ନ୍ୟୁଜିଲାଣ୍ଡରେ ପ୍ରଥମ ଦିନିକିଆ ଶତକ ଅପେକ୍ଷାରେ ରୋହିତ ଶର୍ମା
ଭାରତୀୟ ଦଳର ଅଭିଜ୍ଞ ବ୍ୟାଟର୍‌ ରୋହିତ ଶର୍ମା ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ଶତକ ହାସଲ କରିନାହାନ୍ତି। ଏହି ସିରିଜ୍‌ରେ ତାଙ୍କ ପାଖରେ ଏହି ଅପେକ୍ଷାର ଅନ୍ତ ଘଟାଇବାର ସୁଯୋଗ ରହିଛି। ରୋହିତଙ୍କ ବ୍ୟାଟିଂ ଫର୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆଶା ରହିଛି। ତେଣୁ ଏହି ମ୍ୟାଚ୍‌୍‌ରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।