ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

Sep 16, 2026 - 14:49
ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି।

ପ୍ରକାଶ ଯେ, ସିମନବାଡ଼ିର ଏସ୍‌ବିଆଇ ଶାଖା ସମ୍ମୁଖ ଏବଂ ଜନଜାତି ହାଟ ଅଞ୍ଚଳରେ ସର୍ବାଧିକ ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ, ପଚାଶଢ଼ା ପନିପରିବା ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ବ୍ୟାଙ୍କ ସମ୍ମୁଖରେ ରହିଥିବା ଖୋଲା ଜମିରେ ଗଦା କରାଯାଉଛି। ଫଳରେ ମଶାବଂଶ ବୃଦ୍ଧି ସହ ବୁଲା ଗୋରୁ ପ୍ଲାଷ୍ଟିକ ଖାଇ ଗୁରୁତର ହୋଇପଡୁଛନ୍ତି। ସେହିପରି ବ୍ୟାଙ୍କକୁ ଆସୁଥିବା ଉପଭୋକ୍ତା ଉକ୍ତ ପୁତ୍ତିମୟ ଗନ୍ଧରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଜନଜାତି ହାଟପଦାରେ ମଧ୍ୟ ସେ ସମାନ ଅବସ୍ଥା ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏ ଚଳୁଥିବା ବେଳେ ହାତରୁ ବାହାରୁଥିବା ପନିପରିବା ଚୋପା, ପ୍ଲାଷ୍ଟିକ ଓ ଅଇଁଠାପତ୍ର ସବୁକୁ ବ୍ୟବସାୟୀମାନେ ଘଟଣାସ୍ଥଳରେ ହିଁ ଛାଡ଼ି ଚାଲିଯାଉଛନ୍ତି। ଫଳରେ ହାଟ ସାରିବା ପରେ ଉକ୍ତ ଅଞ୍ଚଳ ଦୁର୍ଗନ୍ଧରେ ନାକ ଫାଟିବା ସହ ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡୁଛି। ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅଳିଆ ଆବର୍ଜନାକୁ ଡମ୍ପିୟାର୍ଡରେ ପକାଇବା ବ୍ୟବସ୍ଥା ନ ଥିବାରୁ ଅଳିଆବର୍ଜନା ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିଛି। ନିଜ ବଜାର ଅଞ୍ଚଳକୁ ସଫା ସୁତୁରା ରଖିବା ଓ ପରିବେଶ ସୁନ୍ଦର କରିବାକୁ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ସିମନବାଡ଼ି ବଣିକ ସଂଘର ମାସିକ ବୈଠକରେ ପହଞ୍ଚି ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ କୌଣସି କାରଣରୁ ବ୍ୟବସାୟୀମାନେ ଅଳିଆ ଆବର୍ଜନା ପରିଚାଳନାରେ ଫେଲ ମାରିଥିବା ଓ ଆଇଆଇସିଙ୍କ ପତମର୍ଶକୁ ବେଖାତିର କରାଯାଉଥିବା ଏବେ ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଚଳିତ ୩ରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ବୈଠକ ବ୍ଲକ ସଭାଗୃହଠାରେ ଟ୍ରଷ୍ଟର ଅଧ୍ୟକ୍ଷା ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ଆଇଆଇସି ଜେନା ସିମନବାଡ଼ିର ପରିବେଶ ସମ୍ପର୍କରେ ଓ ଚାରିଆଡ଼େ ଗଦାଗଦା ଅଳିଆ ଆବର୍ଜନା ପଡ଼ିଥିବା ପ୍ରସଙ୍ଗ ଉପଜିଲାପାଳଙ୍କୁ ଜଣାଇଥିଲେ। ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲାପାଳ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଆଇଆଇସି ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।