ଆଇପିଏଲ୍ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….
ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଧୋନିଙ୍କ ଭିତରେ ଏବେ ବି କ୍ରିକେଟ୍ ଜୋଶ୍ ରହିଛି ଏବଂ ସେ ଆଉ ଏକ ସିଜନ୍ ଖେଳିବାକୁ ଚେଷ୍ଟା କରିପାରନ୍ତି ବୋଲି CSKର CEO କାଶୀ ବିଶ୍ୱନାଥନ ଆଶା ପ୍ରକାଶ କରିଛନ୍ତି।
ଚେନ୍ନାଇରେ ବିଶ୍ୱନାଥନ କହିଛନ୍ତି ଯେ, ଆଗାମୀ ସିଜନ୍ରେ ଧୋନି ଖେଳିବେ କି ନାହିଁ, ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଧୋନିଙ୍କ ଉପରେ ଛାଡ଼ି ଦିଆଯାଇଛି । ଧୋନି ଚେନ୍ନାଇ ଆସିବା ପରେ ନିଜ ନିଷ୍ପତ୍ତି ବିଷୟରେ ଜଣାଇବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆହତ ସମସ୍ୟା କାରଣରୁ ଧୋନି ଆଇପିଏଲ୍ ୨୦୨୬ରେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ। ତେଣୁ ଆଗାମୀ ସିଜନ୍ରେ ତାଙ୍କ ଖେଳିବାକୁ ନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ରହିଛି।
ଅନ୍ୟପଟେ, CSKର ପୂର୍ବତନ ଖେଳାଳି ସୁରେଶ ରାଇନା ମଧ୍ୟ ଧୋନିଙ୍କୁ ଆଉ ଏକ ସିଜନ୍ରେ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି । ରାଇନା କହିଛନ୍ତି ଯେ, ସେ ଧୋନିଙ୍କୁ ଆଇପିଏଲ୍ ୨୦୨୭ରେ ଫେରିବାକୁ ଅନୁରୋଧ କରିଛନ୍ତି। ଧୋନି ଏଥିପାଇଁ ସକାରାତ୍ମକ ଥିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି। ଧୋନିଙ୍କ ଅନୁପସ୍ଥିତିରେ CSKର ୱିକେଟ୍କିପିଂ ଦାୟିତ୍ୱ କିଏ ସମ୍ଭାଳିବେ, ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସଞ୍ଜୁ ସାମସନ୍ଙ୍କୁ ଦଳରେ ସାମିଲ କରି CSK ଏହି ଦିଗରେ ଏକ ବିକଳ୍ପ ପ୍ରସ୍ତୁତ କରିଛି । ତେବେ ଧୋନି ଆଉ ଏକ ସିଜନ୍ ଖେଳିବେ କି ନାହିଁ, ତାହା ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।