ଆଜି ଆସୁଛନ୍ତି ମୋଦି

Oct 25, 2026 - 08:28
ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ ବିମାନବନ୍ଦରରୁ ବାହାରିବେ। ୪ଟା୧୦ ମିନିଟ୍‌ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ୪ଟା ୧୫ ମିନିଟ୍‌ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଅଭିମୁଖେ ବାହାରିବେ। ୪ଟା ୩୫ ମିନିଟ୍‌ ସମୟରେ ଖୋର୍ଦ୍ଧା ହେଲିପ୍ୟାଡ୍‌ଠାରେ ପହଞ୍ଚିବେ। ୪ଟା୪୦ ମିନିଟ୍‌ରେ ଖୋର୍ଦ୍ଧା ହେଲିପ୍ୟାଡ୍‌ରୁ ସ୍ଥଳପଥରେ ଆର୍‌ବିଆଇ ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର ଯେଉଁଠାରେ କାର୍ଯ୍ୟକ୍ରମ ହେଉଛି ସେଠାକୁ ଯିବେ। ୪ଟା୪୫ ମିନିଟ୍‌ରେ ଆର୍‌ବିଆଇ ଗ୍ରୀନ୍‌ଫିଲ୍ଡ ଡାଟା ସେଣ୍ଟର ଆଣ୍ଡ ଟ୍ରେନିଂ ସ୍ଥଳରେ ପହଞ୍ଚି ସେଠାରେ ୫ଟା ୪୫ ଯାଏ ରହିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଆର୍‌ବିଆଇ ଡାଟା ସେଣ୍ଟରର ଉଦ୍‌ଘାଟନ କରିବେ। ୫ଟା୫୦ ମିନିଟ୍‌ରେ ଆର୍‌ବିଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରୁ ବାହାରି ଖୋର୍ଦ୍ଧା ହେଲିପ୍ୟାଡ୍‌ ଯିବେ। ସେଠାରୁ ସ୍ଥଳପଥରେ ଫେରି ୬ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ୬ଟା ୩୫ ମିନିଟ୍‌ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ୮ଟା ୫୫ ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ ବୋଲି ତାଙ୍କ କାର୍ଯ୍ୟକ୍ରମ ସୂଚୀରେ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ରାସ୍ତାକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଟ୍ରାଫିକ୍‌ କଟକଣା ସମ୍ପର୍କିତ ଘୋଷଣା କରାଯାଇଛି। ଭୁବନେଶ୍ୱର-କଟକର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂହଙ୍କ ଦସ୍ତଖତରେ ଏନେଇ ଏକ ଚିଠି ଜାରି କରାଯାଇଛି। ପୋଲିସ କଟକଣା ସମ୍ପର୍କିତ ନିର୍ଦ୍ଦେଶ ମୁତାବକ, ସା ୫ଟା ୪୦ ମିନିଟ୍‌ରୁ ୬ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଆର୍‌ବିଆଇ ଡାଟା ସେଣ୍ଟର, ଡାହାଣ ମୋଡ଼, ଇନ୍‌ଫୋଭାଲି ଆଦି ଛକରୁ ବାମ ମୋଡ଼ ବନ୍ଦ ରହିବ। ସେହିପରି ତଳଖେତା ଛକରୁ ବାମ ମୋଡ଼, ବାଟଭୁଆସୁଣୀ ଛକ, ଜାତୀୟ ରାଜପଥ ନମ୍ୱର ୧୬, ଜୟଦେବ ବିହାର ଛକରୁ ଡାହାଣ ମୋଡ଼, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବିଏନ୍‌ ଛକ, ପାଓ୍ୱାର ହାଉସ ଛକ, ଲୋକଭବନ ଛକରୁ ବାମ ମୋଡ଼, ଏଜି ଛକରୁ ଡାହାଣ ମୋଡ଼, ହସ୍ପିଟାଲ ଛକ ଏବଂ ଏୟାରପୋର୍ଟ ଛକ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପଟେ ଅନେକ ରାସ୍ତାକଡ଼ରେ ଉଠାଦୋକାନ ପକାଉଥିବା ବେପାରୀଙ୍କୁ ଗତ ଶନିବାର ଏବଂ ରବିବାର ଦୋକାନ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋପବନ୍ଧୁ ଛକରୁ ଜଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତାକଡ଼ରେ ଜଳଖିଆ ଦୋକାନୀମାନେ ୨ ଦିନ ବେପାର ବନ୍ଦ ରଖୁଥିବା ଜଣାପଡ଼ିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।