ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା

Oct 26, 2026 - 07:57
ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା

ଭୁବନେଶ୍ୱର, ୨୬ା୧୦ (ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣି ଛନକା ପଶିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ଓଡ଼ିଶା ଆଡ଼କୁ ମୁହାଁଇବା ସମ୍ଭାବନା ଥିବାରୁ ଚିନ୍ତା ବଢ଼ିଛି। ତେଣୁ ବାତ୍ୟା ଓ ବର୍ଷାଜନିତ ସ୍ଥିତିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଅବପାତ ରବିବାର ରାତିରେ ଗଭୀର ଅବପାତରେ ପରିଣତ ହୋଇଛି। ସୋମବାର ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ୨୭ ତାରିଖ ଅର୍ଥାତ୍‌ ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ୨୮ ତାରିଖ ପୂର୍ବାହ୍ନରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚତ୍ବା ସହିତ ଅତି ଭୀଷଣ ବାତ୍ୟା ଭାବେ ବାପଟ୍‌ଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ୟାନାମ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୪୦ କିଲୋମିଟର ରହିବ। ଆନ୍ଧ୍ରପ୍ରଦେଶ ସହ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏସବୁ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ସାଇକ୍ଲୋନ୍‌ ଆଲର୍ଟ ଭାବେ ଅରେଞ୍ଜ ମେସେଜ୍‌ ଜାରି କରିଛି।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବିଶାଖାପାଟଣାର ଦକ୍ଷିଣରେ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ ଗତିପଥ ବଦଳାଇ ଉତ୍ତର ଦିଗକୁ ଅର୍ଥାତ୍‌ ଓଡ଼ିଶାର କୋରାପୁଟ ଆଡ଼କୁ ମୁହଁାଇବ। ଫଳରେ ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ଉପକୂଳ ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଏହା ଭୀଷଣ ପ୍ରଭାବ ପକାଇବ। ଅତି ପ୍ରବଳ ବର୍ଷା ସାଙ୍ଗକୁ ୭୫ରୁ ୧୦୦ କିଲୋମିଟର ବେଗରେ ପବନ ବହିବ। ତେବେ ଲ୍ୟାଣ୍ଡଫଲ୍‌ ଦିନକୁ ଆହୁରି ତିନିଦିନ ରହିଥିବାରୁ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ବଦଳିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ ବୋଲି ସେ କହିଛନ୍ତି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ୨୭ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ପ୍ରବଳକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ଜଗତ୍‌ସିଂହପୁର ଏବଂ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୮ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଝଡ଼ବର୍ଷା ସାଙ୍ଗକୁ ଅତ୍ୟଧିକ ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ସର୍ବାଧିକ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାବାଦ୍‌ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ପବନର ବେଗ ସର୍ବାଧିକ ୬୦ କିମି ରହିବା ସହ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼ ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୋନପୁର ଓ ବୌଦ୍ଧ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୯ ତାରିଖରେ ସୁନ୍ଦରଗଡ଼ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୨୯ ତାରିଖ ବେଳକୁ ବାତ୍ୟା ଅବପାତ ଏବଂ ୩୦ ତାରିଖରେ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।