ଦ୍ୱିତୀୟ ବ୍ୟବହାର
ଥରେ ମାତ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଡାକ୍ତରୀ ଉପକରଣଗୁଡ଼ିକୁ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ପୁନର୍ବାର ବ୍ୟବହାର କରାଯାଉଥିବାର ଖବର ମିଳିବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କଡ଼ା ନିଷେଧାଦେଶ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ଗତ ୧୬ ତାରିଖରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ମୁଖ୍ୟତଃ କେତେକ ଘରୋଇ ଓ କର୍ପୋରେଟ ହସ୍ପିଟାଲ ଥରେମାତ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଡାକ୍ତରୀ ଉପକରଣଗୁଡ଼ିକୁ ବିଶୋଧନ କରାଇ ପୁନର୍ବାର ବ୍ୟବହାର କରୁଛନ୍ତି। ବିଶେଷକରି ହୃଦ୍ରୋଗ, କିଡ୍ନୀଜନିତ, କର୍କଟ ଓ ସ୍ନାୟୁଶଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ପେସିଆଲିଟିରେ ଏଭଳି ଦୁଇ ନମ୍ବରି କାର୍ଯ୍ୟ ଅଧିକ ହେଉଥିବା ଦେଖାଯାଇଛି। ଯେହେତୁ ଏହି ସମ୍ବନ୍ଧୀୟ ରୋଗ ସକାଶେ ଡାକ୍ତରୀ ଉପକରଣ ଅଧିକ ଦାମିକା ରହୁଛି, ସେଥିପାଇଁ ଅତ୍ୟଧିକ ଲାଭ ଆଶାରେ ଘରୋଇ ଓ କର୍ପୋରେଟ ହସ୍ପିଟାଲଗୁଡ଼ିକ ଅନୈତିକ କାର୍ଯ୍ୟ ଜାରି ରଖିଛନ୍ତି। ସେପରିି କାର୍ଯ୍ୟ କରୁଥିବା ହସ୍ପିଟାଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଲଗାଇବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ କେତେଦୂର ଓ କେତେ ମାତ୍ରାରେ ଅନୁପାଳନ ହେବ, ତାହା ପରେ ଜଣାପଡ଼ିବ।
ଥରିକିଆ ବ୍ୟବହାର ପାଇଁ ତିଆରି ହୋଇଥିବା ଚିକିତ୍ସା ଉପକରଣ ଓ ଅସ୍ତ୍ରୋପଚାର ପରେ ଫୋପାଡ଼ିବା ଲାଗି ଉଦ୍ଦିଷ୍ଟ ସାମଗ୍ରୀର ପୁନଃବ୍ୟବହାର ହସ୍ପିଟାଲ ପରିଚାଳନାରେ ଏକ ଛୋଟିଆ ତ୍ରୁଟି ନୁହେଁ; ଏହା ରୋଗୀ, ଡାକ୍ତର ଓ ହସ୍ପିଟାଲ ମାଲିକଙ୍କ ମଧ୍ୟରେ ଥିବା ସାଧାରଣ ବିଶ୍ୱାସର ଘୋର ଉଲ୍ଲଂଘନ। ସବୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଦୁରାରୋଗ୍ୟ ରୋଗୀଙ୍କଠାରୁ ଅନେକ ପୃଷ୍ଠାବିଶିଷ୍ଟ ଚୁକ୍ତିନାମା ଏକତରଫା ଦସ୍ତଖତ କରାଇନେବାକୁ ବାଧ୍ୟ କରାନ୍ତି। ସେହି ଚୁକ୍ତିନାମାର ନକଲକୁ ରୋଗୀଙ୍କ ପରିବାରକୁ ଦିଆଯାଏ ନାହିଁ। ସେଥିରେ ଉଲ୍ଲେଖ ଥାଏ, ରୋଗୀଙ୍କ ମୃତ୍ୟୁ ଘଟିଲେ ବା ଅଧିକ କ୍ଷତି ହେଲେ ହସ୍ପିଟାଲ କିମ୍ବା ଡାକ୍ତର ଦାୟୀ ହେବେ ନାହିଁ ଏବଂ ଯେତେ ପ୍ରକାର ଔଷଧ ଓ ଉପକରଣ ବ୍ୟବହୃତ ହେବ, ସେଗୁଡ଼ିକର ସମ୍ପୂର୍ଣ୍ଣ ମୂଲ୍ୟ; ଜୀବିତ ରହୁ କିମ୍ବା ମୃତ୍ୟୁ ପରେ ତା’ର ପରିବାର ଭରଣା କରିବାକୁ ବାଧ୍ୟ ହେବେ।
ଜଣେ ରୋଗୀ ସକାଶେ ଗୋଟିଏ ଥର ବ୍ୟବହାର ପାଇଁ ତିଆରି ହୋଇଥିବା ଉପକରଣକୁ ଷ୍ଟେରିଲାଇଜେଶନ କରାଗଲେ ତାହା ତା’ର ଗୁଣବତ୍ତା ହରାଇଥାଏ। କେବଳ ସେତିକି ନୁହେଁ, ଜଣଙ୍କଠାରେ ସମ୍ପୃକ୍ତ ଉପକରଣ ଥରେ ଉପଯୋଗ ହୋଇଗଲେ ତାହାକୁ ଯେତେ ସଫା କଲେ ମଧ୍ୟ ଅନ୍ୟଙ୍କଠାରେ ସଂକ୍ରମଣ ହେବାର ସବୁ ସମ୍ଭାବନା ରହିଛି। ଏହା ବ୍ୟତୀତ ଯଦି ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ପଇସା ଭରଣା କରିଛି, ତେବେ ସେହି ଉପକରଣ ପାଇଁ ଦ୍ୱିତୀୟ ରୋଗୀଙ୍କ ଅଜାଣତରେ ପୁନର୍ବାର ଅର୍ଥ ନିଆଯିବା ଏକ ଘୋର ଅପରାଧ ବୋଲି ବୁଝାଯିବା ଦରକାର। ତେଣୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଆଯିବା ଉଚିତ। ଏଭଳି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ତରରୁ ଦିଆଯାଇଥିବା ନିଷେଧାଦେଶ ସ୍ବାଗତଯୋଗ୍ୟ। କିନ୍ତୁ ଏହା ପଛରେ ଉଦାସୀନତା ବ୍ୟତୀତ ରୋଗୀଙ୍କ ସପକ୍ଷରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇ ନାହିଁ। କେବଳ ଏକ ସର୍କୁଲାର ଅନୈତିକ କାର୍ଯ୍ୟ କରୁଥିବା ହସ୍ପିଟାଲକୁ ସ୍ବଚ୍ଛ ରଖିପାରିବ ନାହିଁ। ମୂଳ କଥା ଦେଉଛି ଯାଞ୍ଚ କରୁଥିବା କର୍ତ୍ତୃପକ୍ଷ ହସ୍ପିଟାଲଗୁଡ଼ିକୁ ହଠାତ୍ ନିରୀକ୍ଷଣ କରିବା, ଉପକରଣ ଉପଯୋଗ ଓ କିଭଳି ସେଗୁଡ଼ିକୁ ନଷ୍ଟ କରାଯାଉଛି ତାହାର ରେକର୍ଡ ଦେଖିବା ଦରକାର। ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ସ ଆକ୍ଟ, ମେଡିକାଲ ଡିଭାଇସେସ୍ ରୁଲ୍ସ ଏବଂ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ଅଧୀନରେ ନିୟମ ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଏଠି କଠୋର ଅର୍ଥ ହେଉଛି ସେହି ସଂସ୍ଥାର ପଞ୍ଜୀକରଣକୁ ରଦ୍ଦ ସହ ସମ୍ପୃକ୍ତ ଡାକ୍ତରଙ୍କ ଲାଇସେନ୍ସ ମଧ୍ୟ ଅକାମୀ କରିଦିଆଯିବା ଦରକାର। ଏପରି ଜଘନ୍ୟ କାର୍ଯ୍ୟରେ ଜଡ଼ିତ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଆପରାଧିକ ଆଇନରେ ଦଣ୍ଡିତ କରାଯିବା ଉଚିତ।
ଏଭଳି କୁକର୍ମ କରୁଥିବା ଡାକ୍ତର ଓ ହସ୍ପିଟାଲଗୁଡ଼ିକୁ ଆୟତ୍ତରେ ରଖିବାକୁ ହେଲେ ରୋଗୀଙ୍କଠାରୁ ମତାମତ ଲୋଡ଼ାଯିବା ଦରକାର। ହସ୍ପିଟାଲ ଦସ୍ତଖତ କରାଉଥିବା ଚୁକ୍ତିକୁ ସରକାରୀ ସ୍ବାସ୍ଥ୍ୟ ପୋର୍ଟାଲରେ ପଞ୍ଜୀକୃତ କରାଯିବା ଉଚିତ। ସେହି ପଞ୍ଜୀକରଣ ସଂଖ୍ୟା ରୋଗୀଙ୍କୁ ମଧ୍ୟ ଦିଆଯିବା ଆବଶ୍ୟକ, ଯାହାକୁ ବ୍ୟବହାର କରି ହସ୍ପିଟାଲ ଓ ଡାକ୍ତରଙ୍କ ସମ୍ପର୍କରେ ସେବା ପାଇଥିବା ରୋଗୀ ମତାମତ ଦେଇପାରିବେ। ତା’ହେଲେ ଉଭୟ ହସ୍ପିଟାଲ ମାଲିକ ଓ ଡାକ୍ତର ବାରମ୍ବାର ନକାରାତ୍ମକ ମନ୍ତବ୍ୟକୁ ଭୟ କରିବା ସହିତ ରୋଗୀ ସେବାକୁ ଉଚ୍ଚମାନର କରିବାରେ ବାଧ୍ୟ ହେବେ। ଏଭଳି ପୋର୍ଟାଲର ସବୁ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ହେବା ଉଚିତ। କିନ୍ତୁ କେବଳ ରୋଗୀଙ୍କ ନାମ, ଠିକଣା ଏବଂ ଯୋଗାଯୋଗ ତଥ୍ୟ ଗୋପନୀୟ ରହିବା ଦରକାର। ଲାଇସେନ୍ସ ରଦ୍ଦର ଧମକ ସହିତ ତତ୍କ୍ଷଣାତ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆଖିଦୃଶିଆ ଆର୍ଥିକ ଦଣ୍ଡ ଦିଆଗଲେ, ଅନେକ ପରିମାଣରେ ଏଭଳି ମନ୍ଦ କାର୍ଯ୍ୟରୁ ସେମାନେ ଦୂରେଇ ରହିବେ ବୋଲି ଆଶା କରାଯାଇପାରେ। ଏହି ଆର୍ଥିକ ଦଣ୍ଡର ରାଶି ସମୟସୀମା ମଧ୍ୟରେ ରୋଗୀ କିମ୍ବା କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ମାଧ୍ୟମରେ ଦିଆଯିବା ଦରକାର। ଏହି ପଦ୍ଧତି ବ୍ୟତୀତ ଘରୋଇ ହସ୍ପିଟାଲ, ଯାହାର ମାଲିକମାନେ ସେହି ଅଞ୍ଚଳରେ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ଜଣାଥାଆନ୍ତି, ସେମାନଙ୍କ ବିରୋଧରେ ଲଗାମ ଲଗାଇବା ସମ୍ଭବପର ନୁହେଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।