ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

Sep 19, 2026 - 08:12
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୪୧ବର୍ଷ ପୁରୁଣା ଏହି ପୂର୍ବତନ ଇଟାଲୀୟ ନୌସେନା ଜାହାଜ ‘ଆଇଟିଏସ୍‌ ଜୁସପ୍‌ ଗାରିବାଲ୍ଡି’କୁ କିଣିଛି। ଇଟାଲୀରୁ ବିଭିନ୍ନ ସମୁଦ୍ରପଥ ଦେଇ ଉତ୍ତର ଜାକର୍ତ୍ତାର ତାନଜୁଙ୍ଗ ପ୍ରିଓକ ବନ୍ଦରରେ ପହଞ୍ଚିଥିବା ଏହି ବିଶାଳ ଜାହାଜକୁ ଏକ ଭବ୍ୟ ସାମରିକ ସମାରୋହରେ ଗ୍ରହଣ କରାଯାଇଥିବାବେଳେ ଆଗାମୀ ସପ୍ତାହରେ ଏହାର ନାମକରଣ ‘କେଆରଆଇ ଶ୍ରୀଓ୍ବିଜୟ’ କରାଯିବ।
ଏହି ଦ୍ୱୀପପୁଞ୍ଜରେ ଦ୍ରୁତ ଉଦ୍ଧାର ଏବଂ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ଏହି ଜାହାଜଟି ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ନୌସେନା ମୁଖ୍ୟ ମହମ୍ମଦ ଅଲ୍ଲି ଏବଂ ରାଷ୍ଟ୍ରପତି ପ୍ରଭୋବୋ ସ୍ପଷ୍ଟ କରିଛନ୍ତି। ଏହାକୁ ଯୁଦ୍ଧବିମାନ ପରିବର୍ତ୍ତେ ମୁଖ୍ୟତଃ ହେଲିକପ୍ଟର ଏବଂ ଡ୍ରୋନ ଅପରେଶନ ପାଇଁ ନବୀକରଣ କରାଯିବ। ତଥାପି ଏହି ବୃହତ ସାମରିକ କ୍ରୟକୁ ନେଇ ଦେଶ ଭିତରେ ଖର୍ଚ୍ଚ ଏବଂ ଆବଶ୍ୟକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅର୍ଥ ମନ୍ତ୍ରଣାଳୟ ୪୫୦ ନିୟୁତ ଡଲାର ମଞ୍ଜୁର କରିଥିବାବେଳେ କେବଳ ଏହାର ନବୀକରଣ ପାଇଁ ୧୬ ଟ୍ରିଲିୟନ ରୁପିଆ ପର୍ଯ୍ୟନ୍ତ ଖର୍ଚ୍ଚ ହୋପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।