ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍; ଘରୁ ମିଳିଲା….
ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ହେଲେ ଏହି ଚଢ଼ାଉ ଭିତରେ ଆସିଲା ଏକ ନୂଆ ମୋଡ଼। ଘରୁ ବନ୍ୟଜନ୍ତୁଙ୍କ ଶିଙ୍ଗ ଓ ଦାନ୍ତ ମିଳିବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ଘରେ କଳ୍ପନା ଫାଇନାନ୍ସ ସର୍ଭିସେସ ସଂସ୍ଥାର ୧୨୨ କୋଟି ଟଙ୍କା ଠକେଇ ମାମଲାରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ବେଆଇନ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଓ ଦସ୍ତାବିଜ ଖୋଜିବା ପାଇଁ ଇଡି ଅଧିକାରୀମାନେ ଘର ଭିତରେ ଯାଞ୍ଚ କରିଥିଲେ।
ଇଡିର ଚଢ଼ାଉ ଚାଲିଥିବା ବେଳେ ପ୍ରାୟ ୧୩ ଘଣ୍ଟା ପରେ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ଘରେ ଯାଞ୍ଚ କରିବା ପରେ ବନ ବିଭାଗ ହରିଣ ଶିଙ୍ଗ ଓ ହାତୀର ଦାନ୍ତ ଜବତ କରିଥିବା ଜଣାପଡ଼ିଛି। ଏହି ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଘରେ ବେଆଇନ ଭାବେ ରଖାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ବନ ବିଭାଗ ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିବା ସହ ହରିଣ ଶିଙ୍ଗ ଓ ହାତୀ ଦାନ୍ତ ଜବତ କରିଛି। ଅନ୍ୟପଟେ, ଇଡି ଚଢ଼ାଉ ସମୟରେ ଘରୁ ଜମିପଟ୍ଟା, କିଛି ଅଳଙ୍କାର ଓ ବ୍ୟାଙ୍କ ପାସ୍ବୁକ୍ ଜବତ କରିଥିବା ସୂଚନା ମିଳିଛି। ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗ ସହ ଜଡ଼ିତ ଆର୍ଥିକ କାରବାରର ତଦନ୍ତ ପାଇଁ ଇଡି ଏହି ଦସ୍ତାବିଜ ଓ କାଗଜପତ୍ର ଜବତ କରିଛି।
ଗୋଟିଏ ପଟେ ଇଡି ଆର୍ଥିକ ଠକେଇ ମାମଲାର ତଦନ୍ତ କରୁଥିବା ବେଳେ ଅନ୍ୟପଟେ ବନ ବିଭାଗ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଜବତ ଘଟଣାରେ ଆଇନଗତ ପଦକ୍ଷେପ ନେଇଛି। ଉଭୟ ବିଭାଗର ତଦନ୍ତ ପରେ ଏହି ମାମଲାର ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।