ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

Oct 31, 2026 - 09:22
ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ ବିମାନ ଟିକଟ ଭଡ଼ା କ୍ରମାଗତ ବୃଦ୍ଧି ପାଉଥିବାରୁ ସାଧାରଣ ଯାତ୍ରୀ, ମଧ୍ୟବିତ୍ତ ପରିବାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଆସନ୍ତା ନଭେମ୍ବର ୧ ତାରିଖରୁ ଏହି ରୁଟ୍‌ରେ ବିମାନ ଟିକଟ ଭଡ଼ା ୪,୪୯୯ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଇଣ୍ଡିଆୱାନ ଏୟାର କମ୍ପାନି ପକ୍ଷରୁ ଉତକେଲାରୁ ଭୁବନେଶ୍ୱର ବିମାନ ଯାତ୍ରା ପାଇଁ ପ୍ରଥମେ ଟିକଟ ଭଡ଼ା ୯୯୯ ଟଙ୍କା ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୩,୨୮୭ ଟଙ୍କା ହୋଇଥିଲା। ପରେ ପୁଣି ୩,୮୧୨ ଟଙ୍କାକୁ ବଢ଼ିଥିବା ବେଳେ ନଭେମ୍ବର ୧ରୁ ଏହା ୪,୪୯୯ ଟଙ୍କାରେ ପହଞ୍ଚିବ। ଫଳରେ ପ୍ରାରମ୍ଭିକ ଭଡ଼ା ତୁଳନାରେ ଯାତ୍ରୀଙ୍କୁ ପ୍ରାୟ ୪.୫ ଗୁଣା ଅଧିକ ଅର୍ଥ ଦେବାକୁ ପଡ଼ିବ।

କଳାହାଣ୍ଡିରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାର, ଛାତ୍ରୀଛାତ୍ର ଏବଂ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଭୁବନେଶ୍ୱର ଯାଉଥିବା ଲୋକଙ୍କ ପାଇଁ ଏହି ବିମାନ ସେବା ଆଶାର କିରଣ ପାଲଟିଥିଲା। କମ ସମୟରେ ଭୁବନେଶ୍ୱରରେ ପହଞ୍ଚି ନିଜ କାମ ସାରି ପୁଣି ଘରକୁ ଫେରିବାର ସୁଯୋଗ ମିଳିବ ବୋଲି ଜିଲାବାସୀ ଆଶା ରଖିଥିଲେ। କିନ୍ତୁ ବାରମ୍ବାର ଟିକଟ ଭଡ଼ା ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଏହି ଆଶା ଏବେ ମଉଳିବାକୁ ବସିଛି।

ସ୍ଥାନୀୟ ଲୋକଙ୍କ ମତରେ, ଏଭଳି ଟିକଟ ଭଡ଼ା ବୃଦ୍ଧି ହେଲେ ଏହି ବିମାନ ସେବାର ଲାଭ ନେତା, ମନ୍ତ୍ରୀ, ଠିକାଦାର ଓ ଧନୀଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମିତ ରହିଯିବ। ଅନ୍ୟପକ୍ଷରେ ମଧ୍ୟବିତ୍ତ, ଗରିବ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଏହା ଏକ ଅତିରିକ୍ତ ଆର୍ଥିକ ବୋଝ ପାଲଟିବ। ଇଣ୍ଡିଆୱାନ ଏୟାର କମ୍ପାନିର ଏଭଳି ଭଡ଼ା ବୃଦ୍ଧିକୁ ନେଇ କେବଳ କଳାହାଣ୍ଡି ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଛି।

ବିମାନ ସେବାର ଉଦ୍ଦେଶ୍ୟ କେବଳ ଧନୀ ଶ୍ରେଣୀର ଲୋକଙ୍କୁ ସୁବିଧା ଯୋଗାଇବା ନୁହେଁ, ବରଂ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ରୁତ ଓ ସୁଲଭ ଯାତ୍ରାର ସୁଯୋଗ ଦେବା। ତେଣୁ ଟିକଟ ଭଡ଼ା ଉପରେ ନିୟନ୍ତ୍ରଣ ଆଣି ଏହାକୁ ସାଧାରଣ ଯାତ୍ରୀଙ୍କ ଆୟ ସହ ସମନ୍ବୟ ରଖିବାକୁ ଇଣ୍ଡିଆୱାନ ଏୟାର କମ୍ପାନି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ନିକଟରେ ଜିଲାବାସୀ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।