ବାପା-ଝିଅଙ୍କୁ ଧକ୍କା ଦେଲା ଅଜଣା କାର୍‌: ଆଉ ତା’ପରେ ଘଟିଲା…

Oct 31, 2026 - 08:40
ବାପା-ଝିଅଙ୍କୁ ଧକ୍କା ଦେଲା ଅଜଣା କାର୍‌: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡ଼ି, ୩୧।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଜଣା କାର୍‌ ଧକ୍କାରେ ବାପା ଓ ତାଙ୍କ ୬ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇବା ପରେ ଧଳା ରଙ୍ଗର କାର୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏନେଇ ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ଆହତ ଦୁଇଜଣ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର ସାଗର କୁମାର ସାହୁ (୩୮) ଓ ତାଙ୍କ ୬ ବର୍ଷର ଝିଅ ନେହାଶ୍ରୀ ସାହୁ। ଦୁର୍ଘଟଣାରେ ଉଭୟଙ୍କ ମୁଣ୍ଡ, ହାତ, ଗୋଡ଼ ଓ ପିଠିରେ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଘରକୁ ଯିବାକୁ ଦେଇଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ଯିବେ ବୋଲି ସାଗର କହିଛନ୍ତି।

ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ଦୁଇଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଫଳରେ ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଅଞ୍ଚଳବାସୀ ପରିବାର ସହ ଗଜଲକ୍ଷ୍ମୀ ମେଢ଼ ବୁଲିବାକୁ ଯାଉଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥରେ ଯାନବାହନ ଦ୍ରୁତଗତିରେ ଯାତାୟାତ କରୁଛି। ଏହି ସମୟରେ ଏକ ଧଳା ରଙ୍ଗର କାର୍‌ ଦ୍ରୁତଗତିରେ ଆସି ସାଗର ଓ ତାଙ୍କ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାର୍‌ ଚାଳକ ଅଟକିବା ପରିବର୍ତ୍ତେ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାକୁ ନେଇ ସାଗର କୁମାର ସାହୁ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା କାର୍‌କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।